କାକଟପୁର: ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମା’ ମଙ୍ଗଳାଙ୍କ ପୀଠ ଅନ୍ୟତମ । ପ୍ରାଚୀ ନଦୀର ସୁରମ୍ୟ ତଟ ଦେଶରେ ମା’ଙ୍କ ମନ୍ଦିର ଅବସ୍ଥିତ । ଖାଲି ଓଡିଶା କାହିଁକି, ସାରା ଭାରତ ବର୍ଷରେ ମା’ଙ୍କ ଲୋକପ୍ରିୟତା ଯେତିକି ଉଚ୍ଚକୋଟିର ତାଙ୍କର ମହାନତା ଏବଂ ଖ୍ୟାତି ମଧ୍ୟ ସେତିକି ସୁଦୂର ପ୍ରସାରିତ। ବର୍ଷର ବିଭିନ୍ନ ସମୟରେ ମା’ଙ୍କ ଯାନିଯାତ୍ରା, ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରୁ ପ୍ରସିଦ୍ଧ ଶାରଦୀୟ ପାର୍ବଣ ପୂଜା ଅନ୍ୟତମ।

Advertisment

ଆଶ୍ୱିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଦିନ ମା’ ଦୁର୍ଗା ଶୟନ ତ୍ୟାଗ କରନ୍ତି । ମା’ଙ୍କୁ ଜାଗ୍ରତ କରିବା ପାଇଁ ଏହି ଦିନ ଷୋଡଶ ଉପଚାରରେ ମା’ଙ୍କ ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମାଙ୍କୁ ଦିବ୍ୟ ସୁଗନ୍ଧ ଜଳରେ ୧୦୮ ଥର ଲେଖାଏଁ ସ୍ନାନ କରାଯାଇଥାଏ। ପୀଠରେ ଶାରଦୀୟ ପୂଜାର ଅୟମାରମ୍ଭ ହୁଏ । ଅଖଣ୍ଡ ଦୀପ ଲଗାଯାଏ । ଦିବ୍ୟ ସୁବାସିତ ଜଳରେ ସ୍ନାନପରେ ମା’ ମଙ୍ଗଳାଙ୍କୁ ବେଶ କରାଯାଇଥାଏ ।

ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ସିଂହ ପୂଜା ଓ କଳସ ପୂଜା କରାଯାଇ ବଲ୍ଲଭ ପୂଜା ହୁଏ। ପ୍ରତିପଦ (ନବ ପତ୍ରିକା) ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ମା’ଙ୍କ ପାଦ ପଦ୍ମଲାଗି, ନାଲି କଲି ବେଶ ଏବଂ କଳା କଲି ବେଶ ବେଶ ଅନୁଷ୍ଠିତ ହୋଇଥାଏ । ପଂଚମୀ ଦିନ ମା’ଙ୍କର ତୀର କମାଣ ବେଶ, ଷଷ୍ଠୀ ଦିନ କାତିଖର୍ପର ବେଶ, ସପ୍ତମୀ ଦିନ ସିଂହବାହିନୀ ବେଶ, ଅଷ୍ଟମୀ ଦିନ ମହିଷା ମର୍ଦ୍ଦିନୀ ବେଶ ଏବଂ  ନବମୀ ଦିନ ମହାସରସ୍ୱତୀ ବେଶରେ ସଜ୍ଜିତ କରାଯାଇ ପୂଜା କରାଯାଇଥାଏ । ମହାଷ୍ଟମୀ ଦିନ ମା’ଙ୍କ ଚଳନ୍ତି ପ୍ରତିମା ରତ୍ନଗିରିରୁ ଫେରି ଜଗତି ପୂଜା ପରେ ଦୁର୍ଗାଙ୍କ ସହିତ ମନ୍ଦିର ଭିତରକୁ ଯାଆନ୍ତି । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମନ୍ଦିରରେ ଚଣ୍ଡିପାଠ କରାଯାଇଥାଏ । ମହାନବମୀ ଦିନ ମନ୍ଦିରରେ ସ୍ୱତନ୍ତ୍ର ନବମୀ ପୂଜା ହୋଇଥାଏ ।

କଳସ ପୂଜା ହୁଏ। ରାତ୍ରି ଧୂପ ପରେ ନବମୀ ହୋମ ହୁଏ । ରାତ୍ରି ଧୂପ ପରେ ମା’ ମଙ୍ଗଳାଙ୍କ ସେବାୟତଙ୍କ ପକ୍ଷରୁ ମା’ଙ୍କ ନିକଟରେ ପ୍ରସିଦ୍ଧ ଦହି ପଖାଳ ଭୋଗ ହୁଏ। ମହାଦଶମୀ ବା ଦଶହରା ଦିନ ମନ୍ଦିରରେ ଦୁର୍ଗା ଓ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ଏକ ଖଟୁଳିରେ ଉତ୍ତରାମୁଖା ହୋଇ ଜଗମୋହନରେ ବସନ୍ତି । ସଂଧ୍ୟା ଆଳତୀ ପରେ ଉଭୟ ପ୍ରତିମାଙ୍କୁ ଏକ ସୁସଜ୍ଜିତ ବିମାନରେ ସୋମେଶ୍ୱର ଶମ୍ଭୁଙ୍କ ନିକଟକୁ ନିଆଯାଇଥାଏ। ସେଠାରେ ୩ ଥର ମନ୍ଦିର ପରିକ୍ରମା ପରେ ଶିବ ଓ ଦୁର୍ଗାଙ୍କ ଭେଟ ହୁଏ । ଯାହା ହରଦୁର୍ଗା ଭେଟ ନାମରେ ପରିଚିତ । ଏହାପରେ ପ୍ରତିମା ସ୍ୱମନ୍ଦିରକୁ ଫେରିବାପରେ ମା’ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିଥାଏ ।

ମା’ଙ୍କ ଏହି ପ୍ରସିଦ୍ଧ ପାର୍ବଣପୂଜାରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ବିଶେଷକରି ବହୁ ପ୍ରତିକ୍ଷୀତ ମା’ଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଦେଖିବା ପାଇଁ ସମଗ୍ର ଓଡିଶାରୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିଥାନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିର ଟ୍ରଷ୍ଟବୋର୍ଡ ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥାଏ ।

ଅକ୍ଷୟ ରାଉତ