ପୁରୀ: ପୂର୍ଣ୍ଣ ଚନ୍ଦ୍ରର ଶୁଭ୍ର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ ଧରାକୁ ଓହ୍ଲାଇବେ ମା’ ଗଜଲକ୍ଷ୍ମୀ। ମା’ଙ୍କୁ ଆବାହନ କରିବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ବିଭିନ୍ନ ସଂଗଠନ ଓ କ୍ଲବ୍ ପକ୍ଷରୁ ସ୍ବତନ୍ତ୍ର ପୂଜା ମଣ୍ଡପରେ ମା’ ବିରାଜମାନ କରିବେ। ୨୦ରୁ ଊର୍ଧ୍ବ ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ କରାଯିବ। ଆସନ୍ତାକାଲି କଳସ ଅଧିବାସ ପରେ ସନ୍ଧ୍ୟାରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ। କିଛି ପୂଜା ମଣ୍ଡପରେ ପାଞ୍ଜି ମୁତାବକ ବିଳମ୍ବିତ ରାତିରେ ପୂଜା କରାଯିବା ନେଇ ସୂଚନା ମିଳିଛି। ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ମଣ୍ଡଳ ଦେବତା ପୂଜନ, ହବନ ଆରତି ଆଦି ଅନୁଷ୍ଠିତ ହେବ। ବିଶେଷକରି ବାଲିସାହି ବଜାର, କାଳିକା ଦେବୀ ସାହି, ଚୁଡ଼ଙ୍ଗ ସାହି ଭାଗବତ ଟୁଙ୍ଗି, କାକୁଡ଼ିଖାଇ ଛକ, ଗୁଣ୍ଡିଚା ମନ୍ଦିର ସମ୍ମୁଖ, ଖଡ଼ିପଦା, ଚାରିନଳାଠୁ ନେଇ ବିଭିନ୍ନ ସ୍ଥାନରେ ମା’ ପୂଜା ମଣ୍ଡପରେ ବିଜେ କରିବେ। ଗଜଲକ୍ଷ୍ମୀ ପୂଜା ଅବସରରେ ମଧ୍ୟ ରାଜ୍ୟ ସରକାର ସମାନ ମାର୍ଗଦର୍ଶିକା ଅନୁକରଣ କରିବାକୁ ନିର୍ଦେଶ ଦେଇଛନ୍ତି। ତେଣୁ କେବଳ ବିଧି ରକ୍ଷା ପାଇଁ ପୂଜା କରାଯିବ। ଅଧିକାଂଶ ପୂଜା ମଣ୍ଡପରେ ବିଳମ୍ବିତ ରାତିରେ ମା’ ଦର୍ଶନ ଦେବେ ବୋଲି ପୂଜା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। କିଛି ପୂଜା ମଣ୍ଡପରେ ମା’ ତାରକସୀ ଅଳଙ୍କାରେ ଆଚ୍ଛାଦିତ ହେବେ। ଗଜଲକ୍ଷ୍ମୀ ପୂଜା ଯୋଗୁଁ ଲୋକେ ପାର୍ବଣ ମୁଖର ଥିବା ବେଳେ ଆଜି ମାର୍କେଟ୍ରେ ବିପୁଳ ଭିଡ଼ ଦେଖିବାକୁ ମିଳିଛି। ଏଣେ ପୂଜା ବଜାରରେ ବିଭିନ୍ନ ପୋଷାକ ଉପରେ ରିହାତି ଯୋଗାଇ ଦିଆଯାଇଛି।
କୁମାର ପୂର୍ଣ୍ଣିମା କେଉଁଦିନ ପାଳନ ହେବ, ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କିଛି କ୍ୟାଲେଣ୍ଡରରେ କୁମାର ପୂର୍ଣ୍ଣିମା ୭ ତାରିଖରେ ଉଲ୍ଲେଖ ରହିଛି। ମାତ୍ର ପଞ୍ଜିକାରେ ୬ ତାରିଖରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଉଲ୍ଲେଖ ରହିଛି। ତେଣୁ ପରିବାରରେ କୁଆଁରୀ ଝିଅମାନେ କେଉଁଦିନ କୁମାର ପୂର୍ଣ୍ଣିମା ପାଳନ କରିବେ ସେ ନେଇ ଭ୍ରମରେ ରହି ଜ୍ୟୋତିର୍ବିଦଙ୍କ ସହଯୋଗ ଲୋଡ଼ୁଛନ୍ତି। ଏ ସଂପର୍କରେ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି ଯେ କିଛି କ୍ୟାଲେଣ୍ଡରରେ ବିଭ୍ରାନ୍ତି ଯୋଗୁଁ ପୂଜା ପାର୍ବଣ ବେଳେ ଏଭଳି ଦ୍ବନ୍ଦ୍ବ ଉପୁଜୁଛି। ତେବେ କୁମାର ପୂର୍ଣ୍ଣିମା ସଂକ୍ରାନ୍ତରେ ପଞ୍ଜିକାରେ କୌଣସି ତ୍ରୁଟି ନାହିଁ। ପଞ୍ଜିକା ମୁତାବକ, ୬ ତାରିଖରେ କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ପାଳନ ହେବ। ମାତ୍ର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ରହିଥିବା ଯୋଗୁଁ ୭ ତାରିଖରେ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତିକାନ୍ତି ପାଳନ ହେବ। ସେହିଦିନ ସୁଦର୍ଶନ ବିଜେ ନୀତି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ୬ ତାରିଖ ଦିନ ଘରମାନଙ୍କରେ କୁମାରପୂର୍ଣ୍ଣମୀ ବ୍ରତ, ପୂଜା, ଆଞ୍ଜଳି ଟେକା, ଗଜଲକ୍ଷ୍ମୀ ପୂଜା ପାଳନ କରାଯିବ। ୭ ତାରିଖରେ ମହାକାର୍ତ୍ତିକ ବ୍ରତ ପାଳନ ହେଉଛି ଓ ପ୍ରତିପଦା ଆରମ୍ଭ ହେଉଥିବାରୁ ୬ ତାରିଖରେ ହିଁ କୁମାର ପୂର୍ଣ୍ଣିମା ପର୍ବ ଘର ମଧ୍ୟରେ ପାଳନ କରାଯିବା ବିଧେୟ ବୋଲି ସେ କହିଛନ୍ତି।