ଗୋପାଳପ୍ରସାଦ ପୀଠରେ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ, ଅଗ୍ନିରୂପୀ ମା’ଙ୍କୁ ଦର୍ଶନ କଲେ ୩ ଲକ୍ଷ ଶ୍ରଦ୍ଧାଳୁ

ତାଳଚେର/ସାଉଥବଲଣ୍ଡା : ଗୋପାଳପ୍ରସାଦ ପୀଠରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ବେ ମା’ଙ୍କ ଏହି ଅନନ୍ୟ ଯାତ୍ରାକୁ ଉପଭୋଗ କରିବାକୁ ଉଭାସ୍ଥଳୀ ଏବଂ ପୀଠସ୍ଥଳୀରେ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ଅଗ୍ନିରୂପୀ ମା’ ହିଙ୍ଗୁଳା ଚଳିତବର୍ଷ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ତିନି ଶହ ମିଟର ଦୂରରେ ପଡିଆରେ ଆବିର୍ଭାବ ହୋଇଛନ୍ତି । ଆଜି ସକାଳୁ ଦେହୁରୀଙ୍କ ଦ୍ୱାରା ଉଭାସ୍ଥଳୀରେ ପାରମ୍ପରିକ ପୂଜାର୍ଚନା ସହ ମା’ଙ୍କ ମାଜଣା କରାଯାଇଥିଲା। ପରେ ଠାକୁରାଣୀଙ୍କ ପୂଜା ଉଭାସ୍ଥଳୀରେ ଆରମ୍ଭ ହୋଇଥିଲା। ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସେଠାରେ ଗୁଡ, ଘିଅ, ଝୋଟ, ମହୁ, ନଡିଆ, ଶାଢ଼ୀ, ଧୂପ ଚନ୍ଦନ, ଛିଟ,ଉଖୁଡା ଆଦି ସମର୍ପଣ କରି ମା’ଙ୍କୁ ପୂଜା କରିଥିଲେ। ଅପରାହ୍ଣରେ ମା ହିଙ୍ଗୁଳା ଓ କୁଟେଇଶୁଣି ଠାକୁରାଣୀଙ୍କ ଆଲମ ପୂଜା କରାଯାଇଥିଲା। ପରେ ବିଭିନ୍ନ ଗ୍ରାମର ପାଇକ ଦଳ ,ଗୋପାଳ ଦଳ, ଘଣ୍ଟୁଆ, ସେବକ ଓ ଭକ୍ତମାନେ ଆଲମକୁ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ ଆଣିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ପତିଆର ଉଭାସ୍ଥଳୀକୁ ଯାଇଥିଲେ। ଦେହୁରୀ ଓ ଅନ୍ୟ ସେବକମାନେ ଉଭାସ୍ଥଳୀରେ ପହଞ୍ଚିବା ପରେ ସେଠାରେ ଆଲମ ପୂଜା ସହ ଅନ୍ୟାନ୍ୟ ପୂଜା ସଂପନ୍ନ ହୋଇଥିଲା। ସଂଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର