ତାଳଚେର/ସାଉଥବଲଣ୍ଡା : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନି ସ୍ୱରୂପିଣୀ ମା’ ହିଙ୍ଗୁଳାଙ୍କ ନବଦିନବ୍ୟାପୀ ଯାତ୍ରା ଆଜିଠାରୁ ଗୋପାଳ ପ୍ରସାଦରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଜି ୩ ଲକ୍ଷ ଭକ୍ତ ମା’ଙ୍କର ଦର୍ଶନ କରିଛନ୍ତି। ଗତକାଲି ଅର୍ଧରାତ୍ରରୁ ମା’ଙ୍କ ଉଭାସ୍ଥଳୀରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇ ଯାଇଥିଲା। ପାହାନ୍ତାରୁ ଉଭାସ୍ଥଳୀରେ ୧୬ ହାତ ଉଚ୍ଚର ୪ଟି ବାଉଁଶରେ ରାଜଦତ୍ତ ଚାନ୍ଦୁଆ ଲାଗି କରାଯାଇଥିଲା। ଦେବୀ ସ୍ତମ୍ଭେଶ୍ୱରୀ, ତାଳେଶ୍ୱରୀ, ମାହେଶ୍ୱରୀ ଓ ବିନ୍ଧେଶ୍ୱରୀଙ୍କ ପ୍ରତୀକ ଏହି ଚାରିସ୍ତମ୍ଭରେ ଚାନ୍ଦୁଆ ଭିଡ଼ିବା ମାତ୍ରେ ଅଗ୍ନିରୂପୀ ମା’ ହିଙ୍ଗୁଳାଙ୍କ ଜୟଧ୍ୱନି ଓ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଭକ୍ତମାନେ ଗୁଡ଼, ଘିଅ, ମହୁ, ଗୁଡ଼ ଖଜା, ମୁଆଁ, ପାଟଶାଢ଼ି, ଝୋଟ, ଗୁଗୁଳ ଧୂପ, ଝୁଣା, କଦଳୀ, ନଡ଼ିଆ ଆଦି ଅର୍ପଣ କରି ମା’ଙ୍କର ପୂଜାର୍ଚ୍ଚନା କରିଥିଲେ। ଅପରାହ୍‌ଣରେ ଠାକୁରାଣୀଙ୍କ ଆଲମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦିଅଁଘରୁ ଠାକୁରାଣୀଙ୍କ ଚଳନ୍ତି ପ୍ରତିମା ଆଲମକୁ ବଡ଼ ମଣ୍ଡପକୁ ନିଆଯାଇଥିଲା। ବଡ଼ ମଣ୍ଡପରେ ବିଧିପୂର୍ବକ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ବହୁ ଭକ୍ତ ମନ୍ଦିରରେ ମଧ୍ୟ ପୂଜା କରିଥିଲେ। ତାଳଚେର ଉପଜିଲ୍ଲାପାଳ ତଥା ମା’ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ମିହିର ପ୍ରସାଦ ମହାନ୍ତି, ବିଧାୟକ ବ୍ରଜକିଶୋର ପ୍ରଧାନ, ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା, ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତା ଉଭାସ୍ଥଳୀରେ ରହି ଯାତ୍ରା ପରିଚାଳନା କରିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ଚାରିପାଖରେ ବ୍ୟାରିକେଡ଼୍‍ ନିର୍ମିତ ହୋଇଛି।