ତାଳଚେର: ଅନୁଗୁଳ ଜିଲ୍ଲାର ଗୋପାଳପ୍ରସାଦ ପୀଠରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ୯ ଦିନଆ ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। କାଳବୈଶାଖୀ ପ୍ରଭାବରେ ଗତକାଲି ରାତିରେ ଝଡ଼ତୋଫାନ ସହିତ ବର୍ଷା ହୋଇଥିବା ବେଳେ ଆଜି ପ୍ରଚଣ୍ଡ ଖରା ସତ୍ତ୍ବେ ମା’ଙ୍କୁ ଦର୍ଶନ କରିବା ପାଇଁ ଉଭାସ୍ଥଳୀ ଓ ପୀଠସ୍ଥଳୀରେ ୩ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। 

Advertisment

ଅଗ୍ନିରୂପୀ ମା’ ହିଙ୍ଗୁଳା ଚଳିତବର୍ଷ ମନ୍ଦିରର ପଶ୍ଚିମ ଦିଗରେ ଆବିର୍ଭାବ ହୋଇଛନ୍ତି। ଆଜି ସକାଳୁ ଦେହୁରୀଙ୍କ ଦ୍ୱାରା ଉଭାସ୍ଥଳୀରେ ପାରମ୍ପରିକ ପୂଜାର୍ଚ୍ଚନା ସହ ମା’ଙ୍କ ମାଜଣା କରାଯାଇଥିଲା। ପରେ ଠାକୁରାଣୀଙ୍କ ଉଭାସ୍ଥଳୀରେ ପୂଜା ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସେଠାରେ ଗୁଡ଼, ଘିଅ, ମହୁ, ନଡ଼ିଆ, ଶାଢ଼ି, ଧୂପ, ଚନ୍ଦନ, ଛିଟ, ଉଖୁଡ଼ା ଆଦି ସମର୍ପଣ କରି ମା’ଙ୍କୁ ଆରାଧନା କରିଥିଲେ। ବିଧି ମୁତାବକ ଅପରାହ୍‌ଣରେ ମା’ ହିଙ୍ଗୁଳା ଓ କୁଟେଇଶୁଣି ଠାକୁରାଣୀଙ୍କ ଆଲମ ପୂଜା କରାଯାଇଥିଲା। ପରେ ବିଭିନ୍ନ ଗ୍ରାମର ପାଇକ ଦଳ, ଗୋପାଳ ଦଳ, ଘଣ୍ଟୁଆ, ସେବକ ଓ ଭକ୍ତମାନେ ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ 
ପୂଜାମଣ୍ଡପକୁ ଆଣିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ପଡ଼ିଆର ଉଭାସ୍ଥଳୀକୁ ଯାଇଥିଲେ। ଦେହୁରୀ ଓ ଅନ୍ୟ ସେବକମାନେ ଉଭାସ୍ଥଳୀରେ ପହଞ୍ଚିବା ପରେ ସେଠାରେ ଆଲମ ପୂଜା ସହ ଅନ୍ୟାନ୍ୟ ପୂଜାବିଧି ସଂପନ୍ନ ହୋଇଥିଲା ଏବଂ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ଯାତ୍ରାସ୍ଥଳୀରେ ବିଭିନ୍ନ ଉଠା ଦୋକାନ, ମନୋହରି ଦୋକାନ, ଜଳଖିଆ ଦୋକାନ ଆଦି ଖୋଲା ଯାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ, ସରବତ, ତରଭୁଜ, ଆଇସ୍କ୍ରିମ୍‌ ଆଦି ବଣ୍ଟନ କରାଯାଇଥିଲା। 

ମା’ଙ୍କ ଯାତ୍ରା ପାଇଁ ଉଭୟ ମନ୍ଦିର ଓ ଉଭାସ୍ଥଳୀରେ ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମା’ଙ୍କ ପୀଠ ସହ ଉଭାସ୍ଥଳରେ ସିସି କ୍ୟାମେରା ଲଗାଯାଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କୁ ସୂଚନା ପ୍ରଦାନ ପାଇଁ ଉଭୟ ଉଭାସ୍ଥଳ ଓ ମନ୍ଦିର ପରିସରରେ ସୂଚନା କେନ୍ଦ୍ର ଖୋଲା ଯାଇଥିଲା। ଏଥି ସହିତ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିରଠାରୁ ଆରମ୍ଭ କରି ଶୀତତାପ ନିୟନ୍ତ୍ରଣ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଥିଲା।