ପୁରୀ: ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ(ଚତୁର୍ଦ୍ଦଶୀ ତିଥି)ରେ ସ୍ନାନବେଦିକୁ ବିଜେ କରିଥିଲେ। ସ୍ନାନବେଦିରେ ଅତ୍ୟଧିକ ସ୍ନାନପରେ ଜ୍ୱରରେ ପଡ଼ି ଅଣସର ଘରେ ଗୋପନ ଉପଚାରରେ ରହିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ମା’ ଲକ୍ଷ୍ମୀ ସାଆନ୍ତାଣୀ(ରୁକ୍ମିଣୀ)ଙ୍କ ଅଜାଣତରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କୁ ଧରି ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବୁଲିବାକୁ ଚାଲି ଆସିଛନ୍ତି।

Advertisment

ସେପଟେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ବି ଫିଟିନି। ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀ ଏନେଇ ମା’ ବିମଳାଙ୍କ ପରାମର୍ଶକ୍ରମେ ଆଜି ପବିତ୍ର ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନନିନୀ ମା’ ଲକ୍ଷ୍ମୀ ଅପମାନ ଓ ରାଗରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ଅନ୍ୟପଟେ ଆଜି ବି ଭକ୍ତମାନେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରିବା ସହ ଆଡ଼ପ ଅବଢ଼ାର ସୌଭାଗ୍ୟ ଅର୍ଜିଛନ୍ତି।

ହେରାପଞ୍ଚମୀ ପର୍ବ ପାଳନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ବଡ଼ଦେଉଳରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଠାକୁରାଣୀଙ୍କ ଗସ୍ତ ପୂର୍ବ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ମହାପ୍ରଭୁଙ୍କ ବନକଲାଗି(ଶ୍ରୀମୁଖ ଶୃଙ୍ଗାର) ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଦକ୍ଷିଣୀ ଘରେ ବିଜେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନେ ମଜଣା କରିଥିଲେ। ଏହାପରେ ମା’ଙ୍କ ବନକଲାଗି ସହ ପାଟ ଶାଢ଼ି, ଅଳଙ୍କାର ଆଭୂଷଣ ଲାଗି ହୋଇ ସେବକଙ୍କ ଦ୍ୱାରା ପନ୍ତି ଭୋଗ ନୀତି ବିଢ଼ିଥିଲା। ଭୋଗ ପରେ ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ବଡଦାଣ୍ଡ ଦେଇ ଘଣ୍ଟ, ଛତା ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଥିଲେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇଥିଲା। ରଥ ତଳେ ମା’ଙ୍କ ନୀତି ସମ୍ପନ୍ନ ହୋଇଥିଲା। ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ି ଶାଢ଼ି ଲାଗି, ଆଳତି ସରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡରେ ସର୍ବାଙ୍ଗ ହୋଇ ବେଶ ନୀତି ଶେଷ ହୋଇଥିଲା।