ମା’ ଲକ୍ଷ୍ମୀଙ୍କ ମଥାରେ ଲାଗିଲା ମୁକୁଟ

ପୁରୀ : ମା’ ଲକ୍ଷ୍ମୀଙ୍କ ସୁନା ମୁକୁଟକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଶ୍ରୀମନ୍ଦିର ପ୍ରଶାସନ ନିୟନ୍ତ୍ରଣକୁ ଆସିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଏହି ବ୍ୟବସ୍ଥାର ଅବ୍ୟବହିତ ପୂର୍ବରୁ ଆଜି ମା’ ଲକ୍ଷ୍ମୀଙ୍କ ମସ୍ତକରେ ମୁକୁଟ ଲାଗି ହୋଇଛି। ଆସନ୍ତାକାଲି ମାର୍ଗଶିର ଶେଷ ଗୁରୁବାର ଥିବାରୁ ମା’ଙ୍କ ମସ୍ତକରେ ଏହା ଶୋଭା ପାଇବା ପାଇଁ ଏହି ଉଦ୍ୟମ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି କମାଣ୍ଡର ଏହି ମୁକୁଟକୁ ଲକ୍ଷ୍ମୀମନ୍ଦିରରୁ ଆଣିବା ପରେ ଶ୍ରୀମନ୍ଦିର ପ୍ରଶାସନ ମରାମତି କରି ମା’ ଲକ୍ଷ୍ମୀଙ୍କ ମସ୍ତକରେ ଏହାକୁ ଲାଗି କରାଇଛି। ପରବର୍ତ୍ତୀ ସମୟରେ ଏହାକୁ ସମ୍ପୂର୍ଣ୍ଣ ସୁନାରେ ନିର୍ମାଣ କରାଯିବା ପାଇଁ ଯୋଜନା ହୋଇଛି। ତା ସହିତ ଏହିି ମନ୍ଦିର ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ପ୍ରଶାସନ ଅକ୍ତିଆର୍‌କୁ ଯିବାକୁ ଯୋଜନା ହୋଇଛି। ମା’ ଲକ୍ଷ୍ମୀଙ୍କ ସେବାପୂଜା ଓ ବେଶ ନୀତି ପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ ଜିନିଷପତ୍ର ପ୍ରଶାସନ ପ୍ରଦାନ କରିବାକୁ ଯାଉଛି। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାବଳି ମଧ୍ୟ ପ୍ରସ୍ତୁତ ହୋଇଛି। ଆସନ୍ତାକାଲି ମା’ ଲକ୍ଷ୍ମୀ ଏହି ମୁକୁଟରେ ଶୋଭା ପାଇବେ।

ସୁନା ମୁକୁଟ ଚୋରି ନେଇ ଥାନାରେ ଏତଲା

ପୁରୀ : ମା’ ଲକ୍ଷ୍ମୀଙ୍କ ସୁନା ମୁକୁଟ ଚୋରି ହେବା ପରେ ରୁପା ମୁକୁଟ ଉପରେ ସୁନାପାଣି ଦେଇ ବ୍ୟବହାର ହେଉଛି। ଏଭଳି ଅଭିଯୋଗ କରି ପ୍ରସନ୍ନ ଦାଶ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଏତଲାରେ ଦର୍ଶାଇଛନ୍ତି। ତେବେ ବିଳମ୍ବିତ ରାତିସୁଦ୍ଧା ଏହାକୁ ନେଇ ମାମଲା ରୁଜୁ ହୋଇ ନାହିଁ। କେଉଁ ପରିସ୍ଥିତିରେ ଏହି ମୁକୁଟ ଖୋଲା ଗଲା, କିଏ ନେଇଥିଲା, ପୂର୍ବରୁ ମଧ୍ୟ ଏଭଳି ଚୋରି ହୋଇଥିବା ପ୍ରମାଣ ରହିଥିବାରୁ ସେ ଏହି ଆଶଙ୍କା କରି ଆଜି ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର