ରାୟଗଡ଼ା: ଗତ ଦୁଇ ଦିନ ହେଲା ରାଜ୍ୟ ସରକାର ମା’ ମଝିଘରିଆଣୀ ମନ୍ଦିର ପାଇଁ ୬.୩୦ ଏକର ଜମି ପ୍ରଦାନ ନେଇ ଘୋଷଣା କରିବା ପରେ ବିଭିନ୍ନ ମହଲରେ ତଥା ବିଜେଡିର କର୍ମୀମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି ବୋଲି ଶୁକ୍ରବାର ବିଜେପି ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛି। ପ୍ରକୃତରେ ଗତ ରାୟଗଡ଼ା ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସିଥିବା ବେଳେ ରାୟଗଡ଼ା ଜିଲ୍ଲା ବିଜେପି ତରଫରୁ ଏନେଇ ଦାବି କରାଯାଇଥିଲା। ରେଲମନ୍ତ୍ରୀ ଶ୍ରୀ ବୈଷ୍ଣବ ମା’ଙ୍କ ନାମରେ ଏହି ଜାଗା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇସାରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀଙ୍କ ଅବଦାନକୁ କେହି ମନେ ପକାଉ ନାହାନ୍ତି।

Advertisment

ରାଜ୍ୟରେ କେନ୍ଦ୍ର ସରକାରଙ୍କର ବହୁ ଯୋଜନାକୁ ବାଟମାରଣା କରିବା ସହ ଲୋକଙ୍କ ପାଖରେ ସଠିକ ରିପୋର୍ଟ ପହଞ୍ଚିପାରୁନଥିବାରୁ ବିଜେଡି ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରାଯାଇଥିଲା। ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ବିଜେଡିର ଏହି ରାଜନୀତିକୁ ନାପସନ୍ଦ କରିଥିଲେ। ଏଭଳି ଅପପ୍ରଚାର କରି ଲୋକଙ୍କ ନିକଟତର ହେବାକୁ ବିଜେଡି ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଚଇତିରେ ରେଳ ବିଭାଗର ଡିଆରଏମ ମଧ୍ୟ ମା’ଙ୍କ ମନ୍ଦିର ପାଇଁ ଜାଗା ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ। ତେବେ ଏହାକୁ କେନ୍ଦ୍ର ସରକାରଙ୍କର ବଡ ଅବଦାନ ବୋଲି ପ୍ରଚାର ନକରିବା ସହ ବିଜେଡି ନିଜର ବାହାବା ନେଉଛି।

ତେବେ ମନ୍ଦିର ଜାଗାକୁ ନେଇ ଦୁଇ ରାଜନୈତିକ ଦଳରେ ଏବେ ଟଣାଓଟରା ଲାଗିଥିବା ବେଳେ ଜିଲ୍ଲାବାସୀ କିନ୍ତୁ ମନ୍ଦିରକୁ ଜାଗା ମିଳିଥିବାରୁ ଖୁସି ଜାହିର କରିଛନ୍ତି। ଯିଏ ବି ଏଥିପାଇଁ ନିଜର ସହଯୋଗ ପ୍ରଦାନ କରିଥାନ୍ତୁ ନା କାହିଁକି ଶେଷରେ ମା’ଙ୍କର ବିଜୟ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।