ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣା ସହରରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ମଙ୍ଗଳବାର ଶାନ୍ତିଶୃଙ୍ଖଳା, ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ହୋଇଛି। ପ୍ରଥା ଓ ପରମ୍ପରା ଆଗରେ ପୁଣି ଥରେ ମୁଣ୍ଡ ନୁଆଁଇଛି ଆଇନ ଓ ପ୍ରଶାସନ। ଜେନାଖାଲ ନିକଟରୁ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ଲାଲ୍ ହୋଇ ଯାଇଥିଲା। ଭବାନୀପାଟଣା ସହରର ଜେନାଖାଲରୁ ମା’ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଛତର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

Advertisment

ସୋମବାର ମହାଷ୍ଟମୀ ରାତିରେ ମାଣିକେଶ୍ୱରୀ ମନ୍ଦିରରେ ମହାବଳି ପରେ ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢ଼ାରଜା ଭୈରବଙ୍କ ସମ୍ମୁଖରେ ପୋଢ଼ ବଳି ଦିଆଯାଇଥିଲା। ବିଳମ୍ବିତ ରାତିରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ନିଆଯାଇଥିଲା। ମଙ୍ଗଳବାର ପ୍ରାତଃକାଳରେ ଜେନାଖାଲରେ ବୋଦା ବଳି ଓ ପୂଜାପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ସକାଳ ୫ଟାରୁ ଆରମ୍ଭ ହୋଇଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ନିଶାଣ, ଘଣ୍ଟ ଆଦି ମଧ୍ୟରେ ଛିଟକନା, ମନ୍ଦାରଫୁଲ, ବେଲପତ୍ର, ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମିଝୁମି ମାଣିକେଶ୍ୱରୀ ମନ୍ଦିରକୁ ଦିନ ୧୧.୪୫ ମିନିଟ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଛତରକୁ ମାନସିକ କରିଥିବା ଶ୍ରଦ୍ଧାଳୁମାନେ ଜାତୀୟ ରାଜପଥ ୨୬ର ଦୁଇ ପାର୍ଶ୍ବରେ କୁକୁଡ଼ା, ପାରା, ବୋଦା, ମେଣ୍ଢା ଆଦି ବଳିଦେବା ଫଳରେ ସମଗ୍ର ରାଜରାସ୍ତା ରକ୍ତରଞ୍ଜିତ ହୋଇ ଯାଇଥିଲା।

ଲକ୍ଷାଧିକ ଭକ୍ତଙ୍କ ସମାଗମ
ରକ୍ତରଞ୍ଜିତ ହେଲା ଜାତୀୟ ରାଜପଥ
ପ୍ରଥା ଓ ପରମ୍ପରା ଆଗରେ ମଥାନତ ପ୍ରଶାସନ

ଲକ୍ଷାଧିକ ଭକ୍ତ ଛତରକୁ ଛିଟକନା, ଶାଢ଼ି, ନଡ଼ିଆ, ମନ୍ଦାରଫୁଲ, ପାରା ଓ ବେଲପତ୍ର ଆଦି ଅର୍ପଣ କରିଥିଲେ। ଛତର ସମ୍ମୁଖରେ ଘୁମୁରାନୃତ୍ୟ, ଘଣ୍ଟବାଦ୍ୟ, ନିଶାନ ବାଦ୍ୟ ଆଦି ୨୨ଟି ସାଂସ୍କୃତିକ ଦଳ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ମା’ଙ୍କ ଛତର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ମହାରାଜା ଅନନ୍ତପ୍ରତାପ ଦେଓଙ୍କ ସମେତ ତାଙ୍କ ପରିବାରର ସଦସ୍ୟମାନେ ବନ୍ଦାପନା କରି ମନ୍ଦିର ଭିତରକୁ ନେଇଥିଲେ। ଚଳିତବର୍ଷ ଜନଗହଳି ସାଙ୍ଗକୁ ପୂର୍ବବର୍ଷଠାରୁ ଅଧିକ ବଳି ପଡ଼ିଥିଲା। ଛତର ଜେନାଖାଲରୁ ଆସିବା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଛତର ଉପରକୁ ଭକ୍ତମାନେ ନଡ଼ିଆ ଖଣ୍ଡ, ଛିଟକନା, ବେଲପତ୍ର ଆଦିର ମାଳ ପକାଉଥିବା ସତ୍ତ୍ୱେ ଛତର ଉପରେ ବସିଥିବା ପାରାଙ୍କ ଉପରେ କୌଣସିପ୍ରକାର ପ୍ରଭାବ ପଡ଼ୁନଥିବା ଘଟଣା ଉପସ୍ଥିତ ଭକ୍ତ ଓ ଦର୍ଶକଙ୍କଙ୍କୁ ବିସ୍ମିତ କରିଥିଲା। 

କଳାହାଣ୍ଡି ସହ ଓଡ଼ିଶାର ବିଭିନ୍ନ ଜିଲ୍ଲା, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଶହଶହ ଭକ୍ତ ଛତର ଦର୍ଶନ କରିବା ପାଇଁ ଆସିଥିଲେ। ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତା, ବୁଦ୍ଧିଜୀବୀ ଓ ଜନସାଧାରଣ ମା’ଙ୍କ ଛତରକୁ ଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍‌ ଫୋର୍ସ ସମେତ ବହୁ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଏସ୍‌ପି ନାଗରାଜ ଦେବରକୋଣ୍ଡା ଉପସ୍ଥିତ ରହି ଆଇନଶୃଙ୍ଖଳା ତଦାରଖ କରିଥିଲେ। ଲୋକସମ୍ପର୍କ ବିଭାଗ ପକ୍ଷରୁ ଘୋଡ଼ାଘାଟ ଛକ ଓ ମନ୍ଦିର ନିକଟରେ ଧାରା ବିବରଣୀ ପ୍ରଦାନ କରାଯାଇଥିଲା।