ଭୁବନେଶ୍ବର: ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମାଆ ରାମଚଣ୍ଡୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ରାମଚଣ୍ଡୀ ଅନ୍ୟତମ। ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତାପାର୍ଶ୍ଵରେ ସମୁଦ୍ର ଓ ନଦୀର ସଙ୍ଗମସ୍ଥଳ, ପ୍ରାକୃତିକ ଶୋଭାରାଜି ମଧ୍ୟରେ ବହୁ ପ୍ରାଚୀନ ମା ରାମଚଣ୍ଡୀ ମନ୍ଦିର ଅବସ୍ଥିତ। ଅନ୍ୟ ଦେବୀପୀଠ ଭଳି ଏଠାରେ ମଧ୍ୟ ଚାଲିଛି ଦେବୀଙ୍କ ଷୋଳପୂଜା। ସଖାଳୁ ପୂଜକ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ଵାରା ପ୍ରଥମେ ମା' ରାମଚଣ୍ଡୀଙ୍କ ଜଳାଅଧିବାସ ହେବା ପରେ ମାଆଙ୍କ ନିଦ୍ରାଭଙ୍ଗ ନୀତି କରାଯାଇ ମା ଉଠିଲା ପରେ ସହଶ୍ର କୁମ୍ଭାଅଭିଷେକ,ଭୁଙ୍ଗାରି ସ୍ନାନ,ଅସ୍ତକୁମ୍ଭା ସ୍ନାନ, ସହ ମା ଙ୍କ ସ୍ୱତନ୍ତ୍ର "ସିଦ୍ଧିରାତ୍ରୀ ବେଶ"ପରେ ବାଳ ଭୋଗ, ଆଳତି ପରେ ଖେଚୁଡ଼ି ଧୂପ,ଚଣ୍ଡି ପାଠ କରାଯାଇଥିଲା।

Advertisment

ମଧ୍ୟାହ୍ନରେ ମାଛପୋଡାବଳି, ମାଛ ବେଶର ଓ ଅନ୍ନ ଭୋଗ କରାଯିବା ସହ ଷୋଡଶ ଉପଚାର ପୂଜା କରାଯାଏ। ରାଜ୍ୟର ବିଭିନ୍ନ ସ୍ଥାନରୁ  ଆସିଥିବା ଶତାଧିକ ଶ୍ରଦ୍ଧାଳୁ ଗତକାଲି ମାଆଙ୍କ ମନ୍ଦିରରେ ବସି ପ୍ରସାଦ ସେବନ କରିଥିଲେ। ମାଆଙ୍କ ଅବସ୍ଥିତି ଓ ମହାତ୍ମ ସମ୍ପର୍କରେ ସାରଳା ମହାଭାରତ, ମାଦଳା ପାଞ୍ଜି ଓ ପ୍ରାଚ୍ୟ ମାହାତ୍ମ୍ୟରେ ଉଲ୍ଲେଖ ରହିଛି।  ଷୋଳପୂଜା ଅବସରରେ ଷୋଳଦିନରେ ମାଆଙ୍କ ପ୍ରସିଦ୍ଧ ବେଶ ହେଉଛି ଶୀତଳା, ନବପତ୍ରିକା, ମହିଷାମର୍ଦିନୀ, ସିଂହାବାହିନୀ, ଓ ଜଗଦ୍ଧାତ୍ରୀ ବେଶ। ମୂଳଷ୍ଟମୀଠାରୁ ଦଶହରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତି ଅନୁଯାୟୀ ଏଠାରେ ସ୍ୱତନ୍ତ୍ର ଭୋଗ କରାଯାଏ। ପ୍ରତିଦିନ ଦୁଇବେଳା ଚଣ୍ଡୀପାଠ କରାଯାଏ।

ସକାଳ ୫ଟାରେ ମଙ୍ଗଳ ଆଳତି,୭ଟାରେ ସାହାଣାମେଳା, ୧୦ଟାରେ ଚଣ୍ଡୀପାଠ,ଦିନ ଗୋଟାଏରେ ଅନ୍ନଭୋଗ, ମାଛପୋଡ଼ା, ମାଛବେସର, ଡାଲମା, ପିଠା ଭୋଗ ହୋଇଥାଏ।  ୨ଟାରେ ପହଡ଼ ପରେ ବଡ ସିଂହାର ଭୋଗ,୩ଟାରେ ଦର୍ଶନ, ୬ଟାରେ ସନ୍ଧ୍ୟା ଆଳତି,୭ଟାରେ ବଲ୍ଳଭ ଭୋଗ,ସାଢେ ୭ଟାରେ ଚଣ୍ଡୀପାଠ, ରାତି ୧୦ଟାରେ ଅନ୍ନ ଡାଲମା, କାକରା, ଦହିପଣା ଏବଂ ମହାପ୍ରସାଦ ସମର୍ପଣ ପରେ ରାତି ୧୨ଟାରେ ପହଡ଼ ହୁଏ ।