ବିନା ଶ୍ରଦ୍ଧାଳୁରେ ପୂଜା ପାଇଲେ ମାଁ’ ରମ୍ଭାଦେବୀ

ଦେବଗଡ଼ : କରୋନା ପାଇଁ ଶହ ଶହ ବର୍ଷର ପାରମ୍ପରିକ ରୀତି ବନ୍ଦ ରହିଛି। ଅରଣ୍ୟ ପରିବେଷ୍ଟିତ ପର୍ବତ ଗୁମ୍ଫାରେ ପୂଜା ପାଉଥିବା ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ବୁଧବାର ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। କଟକଣା ଯୋଗୁଁ ଆଜି ମା’ଙ୍କ ପୀଠ ଖାଁ ଖାଁ ଦେଖିବାକୁ ମିଳିଥିଲା। ପୂର୍ବରୁ ମା’ଙ୍କ ଯାତ୍ରା ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମ‌ାଁଙ୍କ ପୂଜା କେବଳ ରୀତିନୀତିରେ ସୀମିତ ହୋଇଥିଲା।

ରମ୍ଭାଦେବୀ ପୀଠର ବିଶେଷତ୍ୱ ହେଲା, ଏଠାରେ ମାଁ’ଙ୍କ ମୂର୍ତ୍ତିକୁ ଭକ୍ତମାନେ ଦେଖିପାରନ୍ତି ନାହିଁ। କିମ୍ୱଦନ୍ତି ଅନୁସାରେ, ପୂର୍ବରୁ ମାଁ’ଙ୍କ ବିଗ୍ରହକୁ ସମସ୍ତେ ପୂଜା କରୁଥିଲେ, କିନ୍ତୁ କୌଣସି ଅସୁବିଧା କ୍ରମେ ମାଁ’ଙ୍କ ବିଗ୍ରହ ସମ୍ମୁଖରେ ଏକ ବଡ଼ ପଥର କବାଟ ଭଳି ବନ୍ଦ ହୋଇଯିବାରୁ ମାଁ’ଙ୍କୁ ଆଉ କେହି ଭକ୍ତ ଦର୍ଶନ କରିପାରିଲେ ନାହିଁ। ସେହି ଦିନଠାରୁ ମାଁ’ଙ୍କ ପ୍ରତିମାକୁ କେହି ଦେଖିପାରନ୍ତି ନାହିଁ। କେବଳ ସେହି କବାଟ ଭଳି ବନ୍ଦ ପଡ଼ିଥିବା ଆସ୍ଥାନ ନିକଟରେ ସମସ୍ତେ ଶୂନ୍ୟ ଠାକୁରଙ୍କୁ ପୂଜା କରି ଆସୁଛନ୍ତି। ତିଳେଇବଣୀ ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଥିବା ମାଁ’ଙ୍କ ପୀଠସ୍ଥଳୀରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଭକ୍ତମାନେ ମନସ୍କାମନା ପୂରଣ ପାଇଁ ପଶୁ ବଳି ମଧ୍ୟ ଦେଇଥା’ନ୍ତି।

ତେବେ ପ୍ରତିଦିନ ମାଁଙ୍କ ପାଖରେ ପହଞ୍ଚି ପୂଜାର୍ଚ୍ଚନା ସମ୍ଭବ ନଥିବା ଦୃଷ୍ଟିରୁ ସୁଗୁଡା ଗ୍ରାମରେ ମାଁ’ଙ୍କ ଏକ ଆସ୍ଥାନ ସ୍ଥାପନା କରାଯାଇ ସେଠାରେ ପୂଜାର୍ଚ୍ଚନା କରାଯାଏ। କେତେକ ନିର୍ଦ୍ଦିଷ୍ଟ ତିଥିରେ ମା’ଙ୍କ ପୀଠରେ ପହଞ୍ଚି ଦେହୁରୀ ତଥା ପୂଜକ ପୂଜାର୍ଚ୍ଚନା କରିଥାନ୍ତି। ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ମା’ଙ୍କ ପ୍ରସିଦ୍ଧ ରମ୍ଭାଦେବୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ସମ୍ବନ୍ଧିତ ଖବର