ଧବଳମୁଖୀ ବେଶରେ ମାଆ ସମଲେଶ୍ୱରୀ, ଭକ୍ତ ଲଭିଲେ ଗ˚ଗା ଦର୍ଶନର ପୁଣ୍ୟ

ସମ୍ବଲପୁର : ବର୍ଷ ସାରାର ସିନ୍ଦୁରବର୍ଣ୍ଣା ଉଜ୍ଜ୍ବଳ ତେଜକୁ ତ୍ୟାଗ କରି ଦୀପ୍ତିମନ୍ତ ଶ୍ବେତ ବର୍ଣ୍ଣ ଧାରଣ କରିଛନ୍ତି ଜଗତ୍‌ଜନନୀ। ମହାଳୟା ଅବସରରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ସମ୍ବଲପୁରର ଅଧିଷ୍ଠ‌ାତ୍ରୀ ଦେବୀ ମାଆ ସମଲେଶ୍ୱରୀ। ବୁଧବାର ଶୁଭ୍ର ପ୍ରଲେପରେ ମାଆଙ୍କ ମୁଖମଣ୍ଡଳ ସମ୍ପୂର୍ଣ୍ଣ ଧବଳବର୍ଣ୍ଣା ହୋଇଥିଲାବେଳେ ଶ୍ବେତପଦ୍ମ, ଶ୍ବେତ କଇଁ, ମଲ୍ଲୀ, ଟଗର, ରଜନୀଗନ୍ଧା ଭଳି ଧଳା ଫୁଲ ଲାଗି ହୋଇଥିଲା। ଅତି ପ୍ରଶାନ୍ତ, ସ୍ନିଗ୍‌ଧ, ଶୀତଳ ସେହି ଧବଳ ରୂପ ଦର୍ଶନ କରି ଧନ୍ୟ ହୋଇଛନ୍ତି ଅଗଣିତ ଭକ୍ତ। ମାଆଙ୍କ ଏହି ବେଶକୁ ଗ˚ଗା ଓ ସରସ୍ୱତୀ ବେଶ ବୋଲି ମଧ୍ୟ  କୁହାଯାଏ। ବର୍ଷରେ ଥରେ ଆସୁଥିବା ମାଆଙ୍କର ଏହି ବିରଳ ରୂପ ଦର୍ଶନର ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ଦୂର ଦୂରାନ୍ତରୁ ଭକ୍ତଙ୍କ ସୂଅ ଛୁଟିଥିଲା। ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ବେ ବୁଧବାର ଭୋର‌୍ରୁ ସଂଧ୍ୟା ୭ଟା ୩୦ ସୁଦ୍ଧା ପ୍ରାୟ ୫୦ ହଜାର ଭକ୍ତ ମାଆଙ୍କ ଏହି ଶାନ୍ତ, କରୁଣାମୟୀ ବେଶ ଦର୍ଶନ କରି ଗ˚ଗା ଦର୍ଶନର ପୁଣ୍ୟ ଲାଭ କରିଥିଲେ।

ମଙ୍ଗଳବାର ମଧ୍ୟରାତ୍ରିରୁ ମାଆଙ୍କୁ ଧବଳ ବେଶରେ ସଜ୍ଜିତ କରାଯାଇଥିଲା। ଶ˚ଖ, ଗୋପୀ ତିଳକ, ଅଗୁର, ଚନ୍ଦନ ସମେତ ବିଭିନ୍ନ ଶ୍ବେତ ଦ୍ରବ୍ୟରେ ପ୍ରସ୍ତୁତ ମିଶ୍ରଣର ପ୍ରଲେପ ଲଗାଇ ଲୋହିତବର୍ଣା ମାଆଙ୍କୁ ଶୁଭ୍ର ର˚ଗ ଦିଆ ଯାଇଥିଲା। ପୂଜକମାନେ ମାଆଙ୍କୁ ବେଶ କରିବା ସହ ଏଥି ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବ˚ ବିଧି ପାଳନ କରିଥିଲେ। ପ୍ରାତଃ ଆଳତି ପରେ ସକାଳ ୬ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ଯାଇଥିଲା। ମାଆଙ୍କ ଏହି ଦିବ୍ୟରୂପର ପ୍ରଥମ ଦର୍ଶନ ପାଇବା ପାଇଁ ବୁଧବାର ବଡ଼ି ଭୋର‌୍‌ରୁ ଭକ୍ତଙ୍କ ଧାଡ଼ି ଲାଗିଥିଲା। ସକାଳ ହେଲା ବେଳକୁ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରବଳ ଭିଡ଼ ହୋଇଥିଲା। ତେବେ କୋଭିଡ୍ କଟକଣା କାରଣରୁ ଏଥର ପଛ ପାର୍ଶ୍ବ ଦ୍ବାର ଦେଇ ଗୋଟିଏ ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରା ଯାଇଥିଲା। ସକାଳ ୬ଟାରେ ଦର୍ଶନ ଆରମ୍ଭ ହେବା ବେଳୁ ସଂଧ୍ୟା ୭ଟା ୩୦ରେ ବନ୍ଦ ହେବା ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଥିଲା। ମଧ୍ୟାହ୍ନ ଭୋଗ ଓ ଆଳତି ପାଇଁ ଦିନ ୧୧ଟା ୩୦ରୁ ୧ଟା ଯାଏ ଦର୍ଶନ ବନ୍ଦ ରହିଥିଲେ ବି ଭକ୍ତମାନେ ଧୈର୍ଯ୍ୟର ସହ ଧାଡ଼ିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।

ମାଆ ଶୁକ୍ରବାର ଦିନ ୨ଟା ପର୍ଯ୍ୟନ୍ତ ଏହି ଧବଳ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥି ପାଇଁ ମନ୍ଦିର ଏବ˚ ଏହାର ଆଖପାଖ ଅଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ର˚ଗୀନ ଆଲୋକରେ ମନ୍ଦିରକୁ ସଜାଯାଇଛି। ଜନ ସମାଗମକୁ ଆଖିରେ ରଖି କଡ଼ା ପୁଲିସ୍‌ ବ୍ୟବସ୍ଥା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଧବଳମୁଖୀ ମାଆ ସମଲେଶ୍ବରୀଙ୍କ ଅନନ୍ୟ ବେଶ। ଏହା ମହାକାଳୀ, ମହାଲକ୍ଷ୍ମୀ ଏବ˚ ମହାସରସ୍ବତୀଙ୍କ ମିଶ୍ରିତ ରୂପ ବୋଲି କୁହାଯାଏ। ଗୁରୁବାରଠାରୁ ସମଲେଶ୍ୱରୀ ପୀଠରେ ନବରାତ୍ର ପୂଜା ଆରମ୍ଭ ହେବ। ମହାଳୟା ଅବସରରେ ସମଲେଶ୍ୱରୀଙ୍କ ସମେତ ମାଆ ପାଟଣେଶ୍ୱରୀ, ବାଟମଙ୍ଗଳା, ଭୁବନେଶ୍ୱରୀ ଏବ˚ ଅନ୍ୟ ଦେବୀମାନେ ମଧ୍ୟ ଧବଳମୁଖୀ ବେଶ ଧାରଣ କରିଛନ୍ତି। ଏହି ମନ୍ଦିର ଗୁଡ଼ିକରେ ମଧ୍ୟ ଭକ୍ତଙ୍କ ବେଶ ଭିଡ଼ ଜମିଛି।

ସମ୍ବନ୍ଧିତ ଖବର