୨୮୬ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଁ ସମଲେଶ୍ବରୀ

ସମ୍ବଲପୁର : ପ୍ରାୟ ୧୦ ମାସର ଅପେକ୍ଷା ପରେ ଶେଷରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ଦୀର୍ଘ ୨୮୬ ଦିନର ଅପେକ୍ଷା ପରେ ରବିବାର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମାଁ ସମଲେଶ୍ବରୀ। କରୋନା ସଂକ୍ରମଣ କାରଣରୁ ଗତ ମାର୍ଚ୍ଚ ୨୩ ତାରିଖରୁ ମାଁ ସମଲେଇଙ୍କ ମନ୍ଦିର ବନ୍ଦ ରହିଥିଲା। ରବିବାର ରାଜ୍ୟର ଅନ୍ୟ ମନ୍ଦିର ସହ ମାଁଙ୍କ ଦ୍ବାର ବି ନିଜ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ମନ୍ଦିର ବାହାରେ ଲମ୍ବା ଭକ୍ତଙ୍କ ଧାଡ଼ିରୁ ଦୀର୍ଘ ଦିନ ଧରି ମାଁଙ୍କୁ ନ ଦେଖି ରହିବାର କଷ୍ଟ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ମାଁଙ୍କ ପ୍ରାତଃ ନୀତିକାନ୍ତି ପରେ ଠିକ୍‌ ସକାଳ ୬ଟାରେ ଭକ୍ତ ମାନଙ୍କୁ ଭିତରକୁ ଛଡ଼ା ଯାଇଥିଲା। ଶୀତୁଆ ସକାଳ ସତ୍ତ୍ବେ ବହୁ ଭକ୍ତ ଭୋର୍‌ରୁ ଅପେକ୍ଷା କରି ରହିଥିଲେ। ସକାଳ ସମୟରେ ମୁଖ୍ୟତଃ ସ୍ଥାନୀୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଦିନ ୧୧ଟା ୩୦ରେ ମନ୍ଦିର ବନ୍ଦ ହୋଇଥିଲା। ତାପରେ ଅପରାହ୍‌ଣ ୩ଟାରେ ପୁଣି ଖୋଲିଥିଲା। ସକାଳ ତୁଳନାରେ ଅପରାହ୍‌ଣରେ ଭକ୍ତଙ୍କ ଭିଡ଼ ବଢ଼ିଥିଲା। ଲୋକେ ଶାନ୍ତି ଶୃଙ୍ଖଳାର ମାଁ’ଙ୍କ ଦର୍ଶନ କରିଥିଲେ।

ପ୍ରଥମ ଦିନରେ ୧୦ ହଜାରରୁ ଅଧିକ ଭକ୍ତ ମାଁ’ଙ୍କ ଦର୍ଶନ କରିଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି। ପ୍ରଥମେ ଭକ୍ତମାନଙ୍କର ପରିଚୟ ପତ୍ର ଯାଞ୍ଚ, ତା’ପରେ ସେମାନଙ୍କର ଥର୍ମାଲ ସ୍କାନିଂ ଓ ହାତ ବିଶୋଧନ କରି ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆ ଯାଉଥିଲା। ଭକ୍ତମାନେ ବ୍ୟାରିକେଡ୍‌ ଭିତରେ ଧାଡ଼ିରେ ରହି ମନ୍ଦିର ପରିସର ବାହାରେ ଥିବା ଦ୍ବିତୀୟ ଗେଟ୍ ଦେଇ ପ୍ରବେଶ କରିଥିଲେ। ସାଧାରଣତଃ ନବରାତ୍ରସମୟରେ ଖୋଲା ଯାଉଥିବା ଉକ୍ତ ଗେଟ୍‌ ଦେଇ ବିନା ବେଢ଼ା ପରିକ୍ରମାରେ ଭକ୍ତମାନେ ସିଧା ମାଁ’ଙ୍କ ଗର୍ଭଗୃହ ନିକଟରେ ପହଞ୍ଚୁ ଥିଲେ। ଏହାପରେ ଗମ୍ଭୀରା ବାହାରୁ ଦର୍ଶନ କରି ପ୍ରସ୍ଥାନ ଦ୍ବାର ଦେଇ ବାହାରିଥିଲେ। ଭିନ୍ନକ୍ଷମ ଭକ୍ତମାନଙ୍କ ପାଇଁ ମଧ୍ୟ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ହ୍ବିଲ୍‌ ଚେୟାର ଓ ଅସ୍ଥାୟୀ ରାମ୍ପ’ର ବ୍ୟବସ୍ଥା କରା ଯାଇଥିଲା। ବର୍ତ୍ତମାନ କେବଳ ସମ୍ବଲପୁର ଜିଲ୍ଲାର ବାସିନ୍ଦା ଓ ଏଠାରେ କାର୍ଯ୍ୟରତ ଭକ୍ତଙ୍କୁ ମନ୍ଦିର ଖୋଲା ଯାଇଥିଲାବେଳେ ୮ ତାରିଖରୁ ସମସ୍ତଙ୍କୁ ଅନୁମତି ମିଳିବ। ତେବେ ଭକ୍ତଙ୍କ ଭିଡ କମ୍ ଥିବା ସମୟରେ ଜିଲ୍ଲା ବାହାରୁ ଆସିଥିବା ଭକ୍ତଙ୍କୁ ମଧ୍ୟ ଦର୍ଶନ ସୁଯୋଗ ଦିଆଯିବ ବୋଲି ଶ୍ରୀ ବାବୁ କହିଛନ୍ତି।

ସମ୍ବନ୍ଧିତ ଖବର