ସମ୍ବଲପୁର:‌ କରୋନା କଟକଣା ସାରା ଦେଶରୁ ହଟି ସାରିଥିବାବେଳେ ମାଁ ସମଲେଶ୍ବରୀଙ୍କ ଦର୍ଶନ କ୍ଷେତ୍ରରେ କଟକଣା ଏବେ ବି ବଳବତ୍ତର ରହିଛି। ସଂଧ୍ୟା ୭ଟା ୩୦ରେ ମାଁଙ୍କ ମନ୍ଦିର ଦର୍ଶନ ପାଇଁ ବନ୍ଦ କରି ଦିଆଯାଉଛି। ଏହାଦ୍ବାରା ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ମାଁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ତେଣୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ମନ୍ଦିର ଖୋଲା ରଖିବା ସଂପର୍କରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ବଲପୁର ବୁଦ୍ଧିଜୀବୀ ଫୋରମ୍ ପକ୍ଷରୁ ଦାବି ହୋଇଛି। ମାଁ ସମଲେଶ୍ବରୀ କେବଳ ସମ୍ବଲପୁର ନୁହନ୍ତି, ଓଡ଼ଇଶା, ଛତିଶଗଡ଼, ଝାଡ଼ଖଣ୍ଡ ସମେତ ଅନେକ ରାଜ୍ୟର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆରାଧ୍ୟ ଦେବୀ।

Advertisment

କରୋନା ସମୟରେ ମାଁଙ୍କ ଦର୍ଶନରେ କଟକଣା ଜାରି ହୋଇଥିଲା। କିନ୍ତୁ କରୋନା ପରେ ବି ଏହି କଟକଣା ସଂପୂର୍ଣ୍ଣ ନ ହଟିବା କାରଣରୁ ବାହାର ଅଞ୍ଚଳରୁ ଆସୁଥିବା ଭକ୍ତଗଣ ନିଜ ଫେରିବା ବାଟରେ ମାଁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଫୋରମ୍‌ ପକ୍ଷରୁ ଜିଲ୍ଲାପାଳଙ୍କୁ ଦିଆ ଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିର ଗୁଡ଼ିକ ନିଜ ସ୍ବାଭାବିକ ସମୟ ଅନୁଯାୟୀ ରାତି ୧୦ରୁ ୧୧ଟା ପର୍ଯ୍ୟନ୍ତ ଖୋଲୁଥିବାବେଳେ ଜଗତ୍‌ଜନନୀ ମାଁ  ସମଲେଇଙ୍କ ମନ୍ଦିର କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ସେମାନେ ପ୍ରଶ୍ନ କରିଥିଲେ। ପ୍ରଫୁଲ୍ଲ ଦାଶଙ୍କ ନେତୃତ୍ବରେ ଫୋରମ୍‌ର ସଦସ୍ୟ ଗଣ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।