ସମ୍ବଲପୁର : ଦଶହରା ପୂର୍ଣ୍ଣମୀ ଅବସରରେ ଜଗଜ୍ଜନନୀ ମା ସମଲେଶ୍ବରୀ ଭକ୍ତଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି। ମହାଳୟାରେ ଧବଳମୁଖୀ ବେଶ ଧାରଣ କରିଥିବା ମାତା ସମଲେଇ ପାର୍ବଣ ଋତୁର ଶେଷ ବେଶ ଭାବେ କୁମାର ପୂର୍ଣ୍ଣିମାରେ ରାଜରାଜେଶ୍ବରୀ ରୂପରେ ଭକ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଛନ୍ତି। ଏହାକୁ ମାଆଙ୍କ ମହାରାଣୀ ବା ରାଜରାଣୀ ବେଶ ବି କୁହାଯାଏ। ଆଦି ଶକ୍ତି ମାଆ ସମଲେଶ୍ବରୀଙ୍କ ସର୍ବଶ୍ରେଷ୍ଠ ମନୋହର ଭୁବନ ମୋହିନୀ ରୂପ ହେଉଛି ରାଜରାଜେଶ୍ବରୀ ବେଶ। ଏହି ରୂପ ଅନୁପମ। ତ୍ରିବିଦ୍ୟା, ମହାତ୍ରିପୁରା, ସୁନ୍ଦର, ବାଳା ପଞ୍ଚଦଶୀ, ଦଶ ମହାବିଦ୍ୟା ଆଦି ମଧୢରେ ରାଜରାଜେଶ୍ବରୀ ଚତୁର୍ଥ ସ୍ଥାନରେ ଅଧିଷ୍ଠିତା। ତାଙ୍କର ସ୍ଥୁଳ, ସୂକ୍ଷ୍ମ, ପର, ତୁରୀୟ ଆଦି ଚାରିଟି କାନ୍ତି ରହିଛି। ସଦାଶିବଙ୍କ ନାଭିରୁ ନିର୍ଗତ କମଳ ଉପରେ ମା ବିରାଜିତା। ଆଦି ଶ˚କରାଚାର୍ଯ୍ୟ ଶ୍ରୀବିଦ୍ୟା ରୂପରେ ରାଜରାଜେଶ୍ବରୀଙ୍କୁ ଆରାଧନା କରୁଥିବା ପୁରାଣରେ ବର୍ଣ୍ଣନା କରାଯାଇଛି।

Advertisment

publive-image

ରବିବାର ଅପରାହ୍‌ଣରେ ମନ୍ଦିର ପୂଜକମାନେ ମା ସମଲେଶ୍ବରୀଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରିବା ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଆଳତି କରା ଯାଇଥିଲା। ଅପରାହ୍‌ଣ ୧ଟାରୁ ଭକ୍ତଙ୍କୁ ମାଆଙ୍କ ଏହି ଦିବ୍ୟରୂପ ଦର୍ଶନର ସୌଭାଗ୍ୟ ମିଳିଥିଲା। ଏହା ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଧାଡ଼ି ଲାଗିଥିଲା। ହଜାରହଜାର ଭକ୍ତ ଧାଡ଼ି ବାନ୍ଧି ମାଙ୍କ ଏହି ଅନନ୍ୟ ବେଶ ଦର୍ଶନ କରିଥିଲେ। ରାତିରେ ମାଙ୍କ ମହାଆଳତି ହୋଇଥିଲା। ମନ୍ଦିରର ପୂଜକ ଗଣ ମାଙ୍କ ବେଶ ଓ ଅନ୍ୟାନ୍ୟ ପୂଜା ଉପଚାର କରିଥିଲେ।