ଧବଳମୁଖୀ ବେଶରେ ଦର୍ଶନ ଦେଲେ ସମଲେଶ୍ବରୀ

ସମ୍ବଲପୁର : ମହାଳୟା ଅବସରରେ ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ସମ୍ବଲପୁରର ଅଧିଷ୍ଠ‌ାତ୍ରୀ ଦେବୀ ମାଁ ସମଲେଶ୍ବରୀ। ବର୍ଷସାରାର ସିନ୍ଦୂରବର୍ଣ୍ଣା ଉଜ୍ଜ୍ବଳ ତେଜକୁ ତ୍ୟାଗ କରି ଦୀପ୍ତିମନ୍ତ ଶ୍ବେତବର୍ଣ୍ଣ ଧାରଣ କରିଛନ୍ତି ସମଲେଶ୍ବରୀ। ସମଲେଶ୍ବରୀଙ୍କ ଏହି ବେଶ ଦର୍ଶନ ପାଇଁ ରବିବାର ଦିନ ସମଲେଶ୍ବରୀ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କୁ ଧବଳ ବେଶରେ ସଜ୍ଜିତ କରିବା ପାଇଁ ରବିବାର ଭୋର ସାଢ଼େ ୪ଟାରେ ପୂଜକମାନେ ମନ୍ଦିରରେ ପ୍ରବେଶ କରିଥିଲେ। ଗୋପୀ ତିଳକ, ଅଗୁର, ଚନ୍ଦନ ସମେତ ବିଭିନ୍ନ ଶ୍ବେତ ଦ୍ରବ୍ୟରେ ପ୍ରସ୍ତୁତ ମିଶ୍ରଣର ପ୍ରଲେପ ଲଗାଇ ଲୋହିତବର୍ଣା ସମଲେଶ୍ବରୀଙ୍କୁ ଶୁଭ୍ର ରଙ୍ଗ ଦିଆଯାଇଥିଲା। ଶୁଭ୍ର ପ୍ରଲେପରେ ସମଲେଶ୍ବରୀଙ୍କ ମୁଖମଣ୍ଡଳ ସମ୍ପୂର୍ଣ୍ଣ ଧବଳବର୍ଣ୍ଣା ହୋଇଥିଲା ବେଳେ ଶ୍ବେତପଦ୍ମ, ଶ୍ବେତ କଇଁ, ମଲ୍ଲୀ, ଟଗର, ରଜନୀଗନ୍ଧା ଭଳି ଧଳା ଫୁଲ ଲାଗି ହୋଇଥିଲା। ପୂଜକମାନେ ବେଶ କରିବା ସହ ଏଥିପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବ˚ ବିଧି ପାଳନ କରିଥିଲେ। ପ୍ରାତଃ ଆଳତି ପରେ ସକାଳ ୫ଟା ୫୦ ମିନିଟରେ ଭକ୍ତମାନଙ୍କ ନିମନ୍ତେ ମନ୍ଦିର ଦ୍ବାର ଖୋଲା ଯାଇଥିଲା। ଗଙ୍ଗାଦର୍ଶନ ବେଶ କହାଯାଉଥିବା ସମଲେଶ୍ବରୀଙ୍କ ଅତି ପ୍ରଶାନ୍ତ, ସ୍ନିଗ୍‌ଧ, ଶୀତଳ ଏହି ଦିବ୍ୟରୂପର ପ୍ରଥମ ଦର୍ଶନ ପାଇବା ପାଇଁ ବଡ଼ି ଭୋର‌୍‌ରୁ ଭକ୍ତଙ୍କ ଧାଡ଼ି ଲମ୍ବିଥିଲା। ସକାଳ ହେଲା ବେଳକୁ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରବଳ ଭିଡ଼ ହୋଇଥିଲା। ମଧ୍ୟାହ୍ନ ଭୋଗ ଓ ଆଳତି ପାଇଁ ଦିନ ୧୨ଟାରୁ ସାଢ଼େ ୧୨ ଯାଏ ଏବଂ ସନ୍ଧ୍ୟା ଆଳତି ନିମନ୍ତେ ୭ଟା ୫୫ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲେ ବି ଭକ୍ତମାନେ ଧୈର୍ଯ୍ୟର ସହ ଧାଡ଼ିରେ ଅପେକ୍ଷା କରିଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ଯେଉଁମାନେ ମନ୍ଦିର ପରିସରରେ ରହିଥିଲେ, ସେମାନଙ୍କୁ ଆଜି ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଥିଲା।

ମହାଳୟା ପାଇଁ ମନ୍ଦିର ଏବ˚ ଏହାର ଆଖପାଖ ଅଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ ସହିତ ଭକ୍ତମାନଙ୍କୁ ଖରା ଦାଉରୁ ରକ୍ଷା ଓ ତୃଷା ମେଣ୍ଟାଇବା ପାଇଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ମନ୍ଦିରକୁ ରଙ୍ଗିନ ଆଲୋକରେ ସଜାଯାଇଛି। ଆସନ୍ତା ମଂଗଳବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ ମାଁ ସମଲେଶ୍ବରୀ ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି। ମହାଳୟା ଅବସରରେ ସମଲେଶ୍ବରୀଙ୍କ ସମେତ ମାଁ ପାଟଣେଶ୍ବରୀ, ବାଟମଙ୍ଗଳା, ଭୁବନେଶ୍ବରୀ ଏବ˚ ଅନ୍ୟ ଦେବୀମାନେ ମଧୢ ଧବଳମୁଖୀ ବେଶ ଧାରଣ କରିଛନ୍ତି। ଏହି ମନ୍ଦିର ଗୁଡ଼ିକରେ ମଧୢ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର