ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ନୀତିକାନ୍ତି ଖର୍ଚ୍ଚ ତୁଲାଇବା ପାଇଁ ୨୦ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ (ସ୍ଥାୟୀ ଜମା)କୁ ଭାଙ୍ଗି ଦେଲେଣି କର୍ତ୍ତୃପକ୍ଷ। ୫ ଶହରୁ ଅଧିକ ଏକର ଜମି ଥାଇ ବି ମା ଶାରଳାଙ୍କ ମନ୍ଦିର ଖର୍ଚ୍ଚ ତୁଲାଇବା ପାଇଁ ଏଭଳି ପଦକ୍ଷେପ ଏବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି।
ପ୍ରତିଦିନ ମନ୍ଦିର ପରିଚାଳନା, କର୍ମଚାରୀଙ୍କ ପାରିଶ୍ରମିକ, ମା’ଙ୍କ ପୂଜାର୍ଚ୍ଚନା ବାବଦରେ ଅତିକମ୍ରେ ୧୦ ହଜାର ଟଙ୍କା ଆବଶ୍ୟକ ପଡ଼ିଥାଏ। ମାତ୍ର, ଖର୍ଚ୍ଚ ବାବଦ ଏତିକି ଟଙ୍କା ଯୋଗାଡ଼ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ନିକଟରେ ସମ୍ବଳ ନାହିଁ। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ କହିବାନୁସାରେ, କଟକଣା ଯୋଗୁଁ ଦୀର୍ଘବର୍ଷ ଧରି ମନ୍ଦିର ବନ୍ଦ ରହିଥିଲା। ଏବେ ବି ପୂର୍ବରୁ ଦୋକାନ ନିଲାମ ନେଇଥିବା ବ୍ୟବସାୟୀମାନଙ୍କ ଉପରେ ମନ୍ଦିର ପ୍ର୍ରଶାସନର ଲକ୍ଷାଧିକ ଟଙ୍କା ବାକି ଗଡ଼ୁଛି। ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ସାନି ଟେଣ୍ତର କରାଯାଉ ନାହିଁ। ଫଳରେ ସେ ବାବଦକୁ ଟଙ୍କାଟିଏ ବି ମନ୍ଦିର ଆକାଉଣ୍ଟ୍କୁ ଆସୁ ନାହିଁ। କେବଳ ସେତିକି ନୁହେଁ ମନ୍ଦିରରେ ହେଉଥିବା ପୂଜା, ଭୋଗ, ମାନସିକ ପୂରଣ ବାବଦକୁ ଶ୍ରଦ୍ଧାଳୁ ଦେଉଥିବା ଅର୍ଥ ମନ୍ଦିର ଆକାଉଣ୍ଟକୁ ବ୍ୟବସ୍ଥିତ ଢଙ୍ଗରେ ଯାଉନାହିଁ। ଅନ୍ୟ ମନ୍ଦିରରେ ଯେମିତି ବ୍ୟବସ୍ଥା ରହିଛି, ଶାରଳା ମନ୍ଦିରରେ ଆଦୌ ସେମିତି ନାହିଁ। ମାନସିକ ପୂରଣ ହେଲେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ କେଉଁଠି ଟଙ୍କା ଦେବେ, କାହାକୁ ସାକ୍ଷାତ କରିବେ, ରସିଦ କେଉଁଠୁ କାଟିବେ, ଏ କଥା ବୁଝାଇବା ପାଇଁ କେହି ନାହିଁ କିମ୍ବା କୌଣସି ସୂଚନା ଫଳକ ମଧ୍ୟ ନାହିଁ। ଏଣୁ ମନ୍ଦିରକୁ ଏସବୁ ବାବଦରେ ଟଙ୍କାଟିଏ ବି ଆସୁ ନଥିବା ସୂଚନା ମିଳିଛି।
ଏ କ୍ଷେତ୍ରରେ ଦେବୋତ୍ତର ବିଭାଗ ମଧ୍ୟ ହାତ ବାନ୍ଧି ବସିଛି। ମନ୍ଦିରର ଆୟ ଦିନକୁ ଦିନ କମିବାରେ ଲାଗିଛି। ପରିଚାଳନାଗତ ବିଭ୍ରାଟ ଏଭଳି ସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହେଉଛି।
ଅନ୍ୟ ଏକ ଘଟଣାରେ ୪ ଜଣ କର୍ମଚାରୀ ୬୨ ବର୍ଷ ବୟସରେ ଋଣ ଆଳରେ ମନ୍ଦିରରୁ ଟଙ୍କା ନେଲେ। ଏବେ ସେହି ଋଣ ପରିଶୋଧ ପାଇଁ ସେମାନଙ୍କୁ ନୋଟିସ୍ ଯିବା ପରେ ସେମାନେ ଋଣ ପରିଶୋଧ ପରିବର୍ତେ ଚାକିରି ବାବଦ ଗ୍ରାଚ୍ୟୁଟି ଦାବି କରିଛନ୍ତି। ମନ୍ଦିର ପ୍ରଶାସନ ମଧ୍ୟ ଅସହାୟ ଅବସ୍ଥାରେ ଶ୍ରମ କମିସନ୍ଙ୍କ ନିକଟରେ ଉତ୍ତର ରଖିବାକୁ ପ୍ରସ୍ତୁତ ହେଉଛନ୍ତି।
ଅନ୍ୟପକ୍ଷରେ, ମା’ ଶାରଳା ମନ୍ଦିରର ସ୍ଥାୟୀ ଜମା ମାତ୍ର ୪ କୋଟି ଟଙ୍କାରେ ସୀମିତ। ଯଦି ସ୍ଥିତି ଏଭଳି ଲାଗି ରୁହେ ତେବେ ମନ୍ଦିର ଭଣ୍ଡାର ବର୍ଷକ ମଧ୍ୟରେ ଖାଲି ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏ ନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଂଜନ ପରିଜା କୁହନ୍ତି ଯେ, ଏ ପର୍ଯ୍ୟନ୍ତ କୌଣସି ଋଣ କରାଯାଇନାହିଁ। ଯେଉଁ ଫିକସଡ୍ ଡିପୋଜିଟର ସମୟ ସୀମା ଶେଷ ହୋଇଛି, ସେଥିରୁ ଟଙ୍କା ଉଠାଯାଇ ଖର୍ଚ୍ଚ କରାଯାଉଛି। ନୂଆ ଟେଣ୍ତର ହେବା ପରେ ସେଥିରୁ ଆସୁଥିବା ଅର୍ଥକୁ ପୁଣି ଜମା ରଖାଯିବ।