ପଣା ସଂକ୍ରାନ୍ତିରେ ଶାରଳା ମନ୍ଦିର ଖାଁ ଖାଁ : ସେବାୟତ ନିଯୋଗଙ୍କୁ ମିଶାଇ ୨୯ ରହିଲେ, ପଡ଼ିଲାନି ପହୁଡ଼

ଜଗତସିଂହପୁର/ତିର୍ତୋଲ : ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଥିବାରୁ ଆଜି ପଣାସଂକ୍ରାନ୍ତି ଓ ଝାମୁଯାତ୍ରାକୁ ବନ୍ଦ ରଖାଯାଇଛି। ବାଲିକୁଦା ଭଗବତୀ ମନ୍ଦିରରେ ମଧ୍ୟ ୧୪୪ ଧାରା ଯୋଗୁଁ ପଣାସଂକ୍ରାନ୍ତି ପର୍ବ ବନ୍ଦ ରହିଛି। ଦୀର୍ଘ ୭୫ ବର୍ଷ ପରେ ଏହି ଝାମୁଯାତ୍ରା ବନ୍ଦ ରହିଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି। ମନ୍ଦିର ଭିତରକୁ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଥିବାବେଳେ ସମସ୍ତ ପ୍ରବେଶପଥକୁ ବନ୍ଦ ରଖାଯାଇଥିଲା। ୨ ସେକ୍‌ସନ୍‌ ପୁଲିସ୍‌ ଫୋର୍ସ ଜଗି ରହି ଭକ୍ତ ଓ ବିନା ଅନୁମତିପତ୍ରରେ ଥିବା ସେବାୟତ, ପୂଜକଙ୍କୁ ମନ୍ଦିରକୁ ଛାଡ଼ି ନଥିଲେ। ସେହିପରି ଝାମୁଯାତ୍ରାର ପ୍ରସିଦ୍ଧ ଘଟନୃତ୍ୟ ମଧ୍ୟ ବନ୍ଦ ହୋଇଥିଲା। ପରମ୍ପରା ଅନୁସାରେ, ହେଉଥିବା ମା’ଙ୍କ ବିଜେ ପ୍ରତିମାଙ୍କ ଶୋଭାଯାତ୍ରା ଓ ଚରିକିପଡ଼ିଆରେ ଝାମୁଯାତ୍ରା ମଧ୍ୟ ବନ୍ଦ ହୋଇଛି।

ଅନ୍ୟପକ୍ଷରେ, ମନ୍ଦିର ଭିତରେ ପ୍ରବେଶ ଉପରେ ମଧ୍ୟ ଉପ-ଜିଲ୍ଲାପାଳ ମହେନ୍ଦ୍ର ମଲ୍ଲିକ ଲକ୍ଷ୍ମଣରେଖା ଟାଣିଥିଲେ। ପରମ୍ପରା ଅନୁସାରେ ମା’ଙ୍କ ରୀତିନୀତି ପୂଜାର୍ଚ୍ଚନାରେ କୌଣସି ବ୍ୟତିକ୍ରମ ହେବ ନାହିଁ। ପଣା ସଂକ୍ରାନ୍ତିରେ ଦିନବେ‌ଳା ମା’ଙ୍କର ପହୁଡ଼ ପଡ଼ିବ ନାହିଁ। ଏଥିପାଇଁ ଆବଶ୍ୟକ ଅନୁସାରେ ସେବକ ଓ ପୂଜକ ସର୍ବାଧିକ ୧୪ ଜଣ, ନିଯୋଗୀ ଓ ଅଫିସ୍‌ ଷ୍ଟାଫ୍ ମିଶି ୧୫ ଏପରି ମୋଟ ୨୯ ଜଣ ମନ୍ଦିର ଭିତରେ ରହି ପାରିବେ ବୋଲି ଉପ-ଜିଲ୍ଲାପାଳ ନି‌‌ର୍ଦ୍ଦେଶନାମା ଜାରି କରିଥିଲେ। ସେବା ନିୟୋଗରେ ସଂପୃକ୍ତ ନଥିବା କୌଣସି ପଣ୍ଡାସେବକଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ମିଳିଥିଲା। ସମସ୍ତ ନିୟମକୁ କଡ଼ାକଡ଼ି ପାଳନ ପାଇଁ ସକାଳେ ତହସିଲଦାର, ଥାନା ଆଇଆଇସି, ମନ୍ଦିରର ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା ଓ ବରଦାପ୍ରସନ୍ନ ମହାନ୍ତି ଉପସ୍ଥିତ ଥିଲେ। ଆଜି ଭୋର ୫ଟା୧୫ରେ ମଙ୍ଗଳ ଆରତୀ, ୭ଟାରେ ମାର୍ଜନା, ଟା୪୫ରେ ସୂର୍ଯ୍ୟପୂଜା, ୮ଟାରେ ବାଲ୍ୟଭୋଗ ଓ ଛତୁଆ ପୂଜା, ପଞ୍ଜିକା ପାଠ, ଚଣ୍ଡୀପାଠ, ଦିନ୧୨ଟାରେ ପ୍ରଥମ ଓ ଦ୍ବିତୀୟ ପହୁଡ଼ ଧୂପ ଏକା ସମୟରେ ହୋଇ ଥିଲା। କିନ୍ତୁ ବିଧି ଅନୁସାରେ ଆଜି ପହୁଡ଼ ଖୋଲା ରହିବ ଓ ସଂଧ୍ୟା ଆଳତୀ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ ବୋଲି ମନ୍ଦିର କର୍ତୃପକ୍ଷ ସୂଚନା ଦେଇଛନ୍ତି।

୧୪୪ ଧାରା ସତ୍ତ୍ବେ ବୁଲିଲା ମା’ଙ୍କ ଘଟ ପ୍ରଶାସନର ସମସ୍ତ କଟକଣା ସତ୍ତ୍ବେ ଗତକାଲି କନକପୁର ଓ ଏହାର ଆଖପାଖ ଗାଁର ମାଙ୍କ ଘଟ ପରିକ୍ରମା ଓ ପୂଜାର୍ଚ୍ଚନା ହୋଇଥିବା ଦେଖିବାକୁ ମିଳିଥିଲା। କନକପୁର, ଶାସନ, ମୋହନପୁର, ଅରଡଙ୍ଗ ଓ ଅନ୍ୟ କେତେକ ସ୍ଥାନରେ ଘଟ ପରିକ୍ରମା କରିବା ସହ ଘରକୁ ଘର ପହଁଚିଥିବା ମା’ଙ୍କୁ ଭକ୍ତମାନେ ପୂଜା କରିଥିଲେ। ତେବେ, ଘଟ ପରିକ୍ରମା ବ‌େଳେ କାଁ ଭାଁ ଘଣ୍ଟ ବାଜିଥିଲା।

ଝାମୁଯାତ୍ରା ବନ୍ଦ ରହିବା ସମ୍ପର୍କରେ ବଡ଼ପଣ୍ଡା ରଂଜନ କୁମାର ପଣ୍ଡା କୁହନ୍ତି, ‘ ୧୯୪୬/୪୭ ମସିହା ବେଳେ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ବହୁ ସଂଖ୍ୟାରେ ସଂଗ୍ରାମୀ ମନ୍ଦିର ଭିତରେ ହରିଜନ ପ୍ରବେଶ ଆନ୍ଦୋଳନ ଆରମ୍ଭ କରିଥିଲେ। ଶାରଳା ମନ୍ଦିରରେ ମଧ୍ୟ ଏପରି ହୋଇଥିଲା। ଏହାର ପ୍ରତିବାଦ କରି ପୂଜକମାନେ ମନ୍ଦିର ଛାଡ଼ି ଚାଲିଯାଇ ଲଣ୍ଡା ଦେଉଳ (ଗଣେଶ ମନ୍ଦିର) ପାଖରେ ପ୍ରତୀକାତ୍ମକ ପୂଜା ଓ ପ୍ରତିବାଦ କରିଥିଲେ।ପ୍ରାୟ ୬ ମାସ କାଳ ଏମିତି ପରିସ୍ଥିତି ଲାଗୁ ରହିବାରୁ ଝାମୁଯାତ୍ରା ସମେତ ଅଧିକାଂଶ ପୂଜାପାର୍ବଣ ବନ୍ଦ ରହିଥିଲା।’

ସମ୍ବନ୍ଧିତ ଖବର