‘ଆମେ ବି କମ ନୁହଁ’, ଇଟା ଗଢି ସ୍ୱାବଲମ୍ବୀ ହେଉଛନ୍ତି ଓଡ଼ିଶାର ଏହିସବୁ ମାଟି ମା

ବଲାଙ୍ଗୀର: ସକାଳ ହେବା କ୍ଷଣି ମାଟି ସହ ଆରମ୍ଭ ହୋଇଯାଏ ସମ୍ପର୍କ | ମାଟିକୁ ମନ ଦିଅନ୍ତି, ମାଟି ସହ ମାଟି ହୁଅନ୍ତି ଆଉ ଗଢିଦିଅନ୍ତି ଅନ୍ୟମାନଙ୍କର ସ୍ୱପ୍ନର ଘର ପାଇଁ ସୁନ୍ଦର ଇଟା | କୁହାଯାଏ ନାରୀଙ୍କ ହାତରେ ଥାଏ ଏକ ଅଦୃଶ୍ୟ ଶକ୍ତି | ମା, ଭଉଣୀ, ସ୍ତ୍ରୀ ଭଳି ଭିନ୍ନ ଭୂମିକାରେ ସମାଜ ପ୍ରତି ଅବଦାନ ଦେଉଥିବା ଏଭଳି କିଛି ମାଙ୍କ ନିଆରା ସଂକଳ୍ପ ବାବଦରେ ଖବରଟିଏ ଜାଣନ୍ତୁ | ହାତର ଶକ୍ତି କିଭଳି ସେମାନଙ୍କ ଜୀବନ କାହାଣୀ ବଦଳାଇପାରିଛି ତାହା ବି ପଢନ୍ତୁ |

ବଲାଙ୍ଗୀରର ଲୋଈସିଂହାର ବନ୍ଦଲିପଡା | ଏହି ଗାଁରେ ଦିନେ ସ୍ଵଛଳ ଜୀବନ ବଞ୍ଚିବା ପାଇଁ ବେଶ ସଂଘର୍ଷ କରିବାକୁ ପଡୁଥିଲା | କିନ୍ତୁ ଘରର ସ୍ୱାମୀମାନଙ୍କୁ ସାଥ ଦେବାକୁ, ସେମାନଙ୍କ କାନ୍ଧରେ କାନ୍ଧ ମିଳାଇ ପରିବାରର ଉନ୍ନତି କରିବାକୁ ଅଣ୍ଟା ଭିଡ଼ିଥିଲେ ଏହି ଗାଁର ମହିଳାମାନେ | ଗଠନ କରିଥିଲେ ମା ସରସ୍ବତୀ ସ୍ୱୟଂ ସହାୟିକା ଗୋଷ୍ଠୀ | ଏପ୍ରିଲ ୧୭, ୨୦୧୯ରେ ଏହି ଗୃପକୁ ଗଠନ କରିଥିଲେ ଏହି ଗାଁର କିଛି ସ୍ୱାବଲମ୍ବୀ ମହିଳା | ଆଶା ଥିଲା ନିଜର ଉନ୍ନତି ସହ ପରିବାର ସଦସ୍ୟଙ୍କ ଓଠରେ କିଭଳି ହସ ଖେଳାଇହେବ | ତେବେ ଏହି ଗାଁର ମା ମାନଙ୍କ ମନକୁ ଆସିଥିଲା ଗୋଷ୍ଠୀ ସୃଷ୍ଟି କରି ଇଟା ଗଢିବେ | ଏଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ |

ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ଏମାନଙ୍କୁ ୧୫ ହଜାର ଟଙ୍କାର ପୁଞ୍ଜି ଯୋଗାଇଦିଆଯାଇଥିଲା | ଯାହାର ସହାୟତାରେ ଆରମ୍ଭ ହୋଇଥିଲା ଇଟା ଗଢିବା | ମା ସରସ୍ବତୀ ସ୍ୱୟଂ ସହାୟିକା ଗୋଷ୍ଠୀର ୮ ଜଣ ସଦସ୍ୟ ନିଜେ ବିଲରୁ ଯାଇ ମାଟି ଖୋଳି ଛାଞ୍ଚରେ ଇଟା ଗଢ଼ିଥିଲେ | ଏହାପରେ ଏହି କାଦୁଅ ଇଟାକୁ ପୋଡି ପୋଡା ଇଟାର ରୂପ ଦେଇଥିଲେ | କୁହାଯାଏ ଇଛାଶକ୍ତି ଥିଲେ ସବୁ ସମ୍ଭବ |

ଏହି ଇଟା ବିକି ପ୍ରଥମ ପର୍ଯ୍ୟାୟରେ ମହିଳାମାନେ ୪୦ ହଜାର ଟଙ୍କାର ଲାଭ ବି ପାଇଛନ୍ତି | ନାରୀଟିଏ କିଛି କରିପାରିବ ନାହିଁ ବୋଲି ଯେଉଁମାନେ ଭାବନ୍ତି, ସେମାନେ ଠିକ ବୁଝିପାରିବେ ଯେ ଓଡ଼ିଆ ମା ବି କମ ନୁହଁନ୍ତି |

ସମ୍ବନ୍ଧିତ ଖବର