ଆଜିଠୁ ମା’ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଓ ଜୀର୍ଣ୍ଣୋଦ୍ଧାର ଉତ୍ସବ

୧୮ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆସନ୍ତା କାଲିଠାରୁ ଆରମ୍ଭ ହେବ। ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ୍ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ବସିଥିଲା। ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବେ। ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ସମୟରେ ଶ୍ରଦ୍ଧାଳୁ ଯେଭଳି ସୁରକ୍ଷିତ ଭାବେ ମା’ଙ୍କୁ ଦର୍ଶନ କରିପାରିବେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ମନ୍ଦିର ପରିସରରେ ପାର୍କିଂ ଓ ପାନୀୟଜଳଠୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ଉତ୍ସବରେ ବିଧାୟକମାନଙ୍କ ସହ ନବନିର୍ବାଚିତ ଜନପ୍ରତିନିଧି ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସାମିଲ ହେବେ। ଆସନ୍ତାକାଲି ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ରହିଛି।  ୧୬ ତାରିଖରେ ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣ ବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର ଓ ପୂଜାହୋମ, ୧୭ରେ ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ତିପାଠ, ମହାରୁଦ୍ରାଭିଷେକ, ପାର୍ଶ୍ବ ଦେବାଦେବୀଙ୍କ ସପ୍ତାଧିବାସ, ୧୮ ରେ ସୂର୍ଯ୍ୟପୂଜା ସହ ମଣ୍ତଳଦେବତା ପୂଜା, ହୋମ, ଦଶମହାବିଦ୍ୟା, ଯଜ୍ଞ, ୧୯ରେ ସୂର୍ଯ୍ୟପୂଜା ଓ ୨୦ରେ ତ୍ରିଶୂଳ ଓ ପାର୍ଶ୍ବଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ ଏବଂ ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୁତି ହେବ। ସେହିପରି ଅନ୍ୟାନ୍ୟ ନୀତି ମଧ୍ୟ ସଂପନ୍ନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଯଜ୍ଞ ମଣ୍ତପ, ପ୍ରାଶାସନିକ ଗୃହ, ମାକେର୍ଟ କମ୍ପ୍ଲେକ୍ସ୍, ଭୋଗ ବ ଣ୍ଟନ ଗୃହ ଓ ଦୀପ ଘର ଆଦି ନିର୍ମାଣ କରାଯାଇଛି। ଏହାସହ ମନ୍ଦିରର ସୌନ୍ଦର୍ଯ୍ୟୀକରଣକୁ ବୃଦ୍ଧି ପାଇଁ ବୃକ୍ଷରୋପଣ କରାଯାଇଥିବ‌ା ଜିଲ୍ଲାପାଳ କହିଛନ୍ତି।

ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିସନର ଡ.ସିଦ୍ଧେଶ୍ବର ବଳିରାମ ବନ୍ଦୋର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦ ତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଅତିରିକ୍ତ ଏସ୍‌.ପି. ପିକେ.ଦଳାଇ, ଡିଏସ୍‌ପି ଅଜୟ କୁମାର ମିଶ୍ର, ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଂଜନ ସାହୁ ଓ ପୁରୁଷୋ ମପୁର ଥାନାଧିକାରୀ ପ୍ରିୟସ୍‌ ରଂଜନ ଛୋଟରାୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର