ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ପୀଠର ପ୍ରସ୍ଥାନ ଦ୍ବାର ନିକଟରେ ଥିବା ହୁଣ୍ଡିର ଚାବି ଗାଏବ ହୋଇଯାଇଛି। ଏନେଇ ମନ୍ଦିର କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ହୁଣ୍ଡି ଗଣତି ଦିନ ତାଲା କାଟି ଟଙ୍କା ବାହାର କରିବାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ମା’ ତାରିଣୀ ମନ୍ଦିର ବେଢ଼ା ଭିତରେ ଓ ବାହାରେ ୧୩ଟି ହୁଣ୍ଡି ରହିଛି। ଏସବୁର ଚାବି ତିନିଜଣ- ମନ୍ଦିର ପରିଚାଳନା ବୋର୍ଡ ସଭାପତି, ଦେବୋତ୍ତର ବିଭାଗ ନିରୀକ୍ଷକ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଥାଏ। ବର୍ତ୍ତମାନ ମନ୍ଦିର ପରିଚାଳନା ବୋର୍ଡ ନଥିବାରୁ ଗୋଟିଏ ସେଟ୍‌ ଚାବି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଉ ଏକ ସେଟ୍‌ ଚାବି ଦେବୋତ୍ତର ନିରୀକ୍ଷକଙ୍କ ନିକଟରେ ରହୁଛି। ଗତ ୨୩ ତାରିଖରେ ମା’ ତାରିଣୀଙ୍କ ହୁଣ୍ଡି ଗଣତି ମନ୍ଦିର‌ ବେଢ଼ା ଭିତର ଓ ବାହାରେ ଥିବା ସମସ୍ତ ହୁଣ୍ଡିକୁ ଖୋଲା ଯାଇଥିଲା। ହେଲେ, ପ୍ରସ୍ଥାନ ଦ୍ବାର ନିକଟରେ ଥିବା ହୁଣ୍ଡିର ଚାବି ମିଳି ନଥିଲା। ଶେଷରେ ମନ୍ଦିରର ପହଡ଼ ପଡ଼ିବା ପରେ ତାଲା କଟାଯାଇ ହୁଣ୍ଡିରୁ ଟଙ୍କା ବାହାର କରାଯାଇଥିଲା।

Advertisment

ଚାବି ପେନ୍ଥାରୁ ଗୋଟିଏ ଚାବି କିପରି ଗାଏବ ହେଲା ଓ ମନ୍ଦିର କର୍ତ୍ତୃପକ୍ଷ ଏନେଇ ଥାନାରେ ଅଭିଯୋଗ ନକରି କିପରି ତାଲା କାଟିଦେଲେ ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ସେହିପରି ମନ୍ଦିରର ପ୍ରସ୍ଥାନ ଦ୍ବାରରେ ଥିବା ହୁଣ୍ଡି, ଯେଉଁଥିରୁ ଅଧିକ ଟଙ୍କା ବାହାରି ଥାଏ ତାହାର ଚାବି ଗାଏବ ହୋଇଯିବାକୁ ‌ନେଇ ଭିନ୍ନ ଚର୍ଚ୍ଚା ହେଉଛି। କେହି ହୁଣ୍ଡି ଚାବି ଚୋରି କରି ସେଥିରୁ ଟଙ୍କା ନେଇଯାଇ ନାହିଁ ତ? ମନ୍ଦିର ପରିସରରେ ଏକାଧିକ ସିସି କ୍ୟାମେରା ଲାଗିଛି। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ଘଟଣାର ତଦନ୍ତ କରିବାକୁ ଦାବି ହେଉଛି। ବର୍ତ୍ତମାନ ମନ୍ଦିର ପରିଚାଳନା ବୋର୍ଡ ନଥିବାବେଳେ ଦେବୋତ୍ତର ବିଭାଗ ପ୍ରତ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛି। ଏଭଳି ଗୁରୁତର ତ୍ରୁଟିକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଏନେଇ ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡିଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେହିପରି ତାରିଣୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ରଙ୍କୁ ପଚାରିବାରୁ, ସେ ପ୍ରଥମେ ଅସ୍ବୀକାର କରିଥିଲେ। ଖବର ଅଛି ବୋଲି କହିବାରୁ ସ୍ବୀକାର କରିଥିଲେ। ହୁଣ୍ଡି ଚାବି ହଜି ଯାଇଥିବାରୁ ତାଲା କଟାଗଲା ବୋଲି କହିଥିଲେ। ଏ ସମ୍ପର୍କରେ ଘଟଗାଁ ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ରଙ୍କୁ ପଚାରିବାରୁ, ହୁଣ୍ଡି ଚାବି ହଜିବା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି।