ଫାଟକ ନିକଟରୁ ଫେରିଗଲେ ଭକ୍ତ, ଘଟଗାଁରେ ମା’ ତାରିଣୀଙ୍କ ସୁନାବେଶ

ଘଟଗାଁ : ଲକ୍‌ଡାଉନ ମଧ୍ୟରେ ଆଜି ମା’ ତାରିଣୀଙ୍କ ସୁନାବେଶ ସହିତ ପୀଠରେ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଏହି ସମୟରେ ଭକ୍ତଙ୍କ ନିବେଦନ ସତ୍ତ୍ବେ ମନ୍ଦିରରେ ପ‌୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ। ଫାଟକ ବାହାରୁ ନଡ଼ିଆ ଭୋଗ ଦେଇ ଶ୍ରଦ୍ଧାଳୁ ଫେରିଯାଇଥିବା ଦେଖିବାକୁ ମିଳିଛି। ଆଜି ଖାଲି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ନୁହେଁ, ଏହା ମଧ୍ୟ ଥିଲା ଓଡ଼ିଆ ନବବର୍ଷ। ସେହିପରି ଆଜି ଥିଲା ଚଇତି ପର୍ବର ପଞ୍ଚମ ଦିନ। ଓଡ଼ିଆ ନୂଆବର୍ଷରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଚାହିଁ ରହିଥାନ୍ତି ଭକ୍ତ। ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ଏଠାରେ। ଏଥର କିନ୍ତୁ ସେସବୁ କିଛି ନଥିଲା। କରୋନା କଟକଣା ଯୋଗୁଁ ସାଧାରଣ ଦର୍ଶନ ସଂପୂର୍ଣ୍ଣ ବନ୍ଦ ଥିଲା। ତଥାପି କେତେକ ଶ୍ରଦ୍ଧାଳୁ ସକାଳୁସକାଳୁ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚି ଯାଇଥିଲେ। ଦର୍ଶନ କରିବାକୁ ନେହୁରା ହୋଇଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ସବୁ ଫାଟକକୁ ବନ୍ଦ କରି ଦିଆଯାଇଥିଲା। ପୁଲିସ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଭିତରକୁ କାହାରିକୁ ଛଡ଼ାଯାଇ ନଥିଲା।

ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ, ଥାନା ଅଧିକାରୀ ବନ୍ଦନା ପାତ୍ର ଉପସ୍ଥିତ ରହି ଯାଞ୍ଚ କରିଥିଲେ। ଏତେ ସବୁ ପରେ ବି କେତେକ ଭକ୍ତ ଆସି ମାଙ୍କ ସୁନାବେଶ ଦେଖିବାକୁ ଅନୁରୋଧ କରୁଥିବା ଦେଖାଯାଇଥିଲା। କେତେକ ଶ୍ରଦ୍ଧାଳୁ ଫାଟକ ନିକଟରେ ନଡ଼ିଆ, ମନ୍ଦାରଫୁଲ ମାଳ ଆଦି ଦେଇ ଫେରିଯାଇଥିଲେ। ଭିଡ଼ ଏଡ଼ାଇବାକୁ ପୁଲିସ ଗାଡ଼ି ବାରମ୍ବାର ସାଇରନ ବଜାଇ ପଇଁତରା ମାରିବା ସହ ସେମାନଙ୍କୁ ଘଉଡ଼ାଇଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ଭୋର ସକାଳୁ ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ ଓ ସହଯୋଗୀ ମାଙ୍କ ଷୋଡ଼ଶ ଉପଚାର, ମଙ୍ଗଳ ଆଳତି, ବଡ଼ସିଂହାର ପୂଜା ସହ ସୁନାବେଶ କରିଥିଲେ। ସେହିପରି ପୀଠରେ ଚଣ୍ଡୀପାଠ, ଭାଗବତ ପାଠ, ସତ୍ୟନାରାୟଣ ପୂଜା କରାଯାଇଥିଲା। କରେନା ଭୂତାଣୁ ସଂକ୍ରମଣରୁ ମାନବସମାଜକୁ ଉଦ୍ଧାର ନିମ‌ନ୍ତେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗତ ୧୮ ତାରିଖରୁ ଅଖଣ୍ଡ ଦୀପ ଲାଗିଛି। ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ ରୁଦ୍ରନାରାୟଣ ମହାନ୍ତ, ନିର୍ମଳ କୁମାର ମହାନ୍ତି, ବଳଭଦ୍ର ନନ୍ଦ, ଆନନ୍ଦଚନ୍ଦ୍ର ସିଂହ, ଦୟାନିଧି ମହାନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସାମାଜିକ ଦୂରତା ରକ୍ଷା କରିଥିଲେ। ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ପୀଠ ପରିସରକୁ ବିଶୋଧନ କରାଯାଇଥିଲା।

ସମ୍ବନ୍ଧିତ ଖବର