ଘଟଗାଁ, : ଶନିବାରଠାରୁ ମା’ ତାରିଣୀଙ୍କ ଚଇତିପର୍ବ ଆରମ୍ଭ ହେଉଛି। ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ହାଟ ବନ୍ଦ କରାଯିବା ସହିତ ‌ହୋଟେଲ, ଢ଼ାବା ଆଦିରେ ଆମିଷକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଆଜି  ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Advertisment

ବୈଠକରେ ବିଡ଼ିଓ ନାରାୟଣ ସାହୁ, ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଟ୍ଟନାୟକ, ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଆଇଆଇସି ପ୍ରତିଭା ସାହୁ, ଅଗ୍ନିଶମ ଅଧିକାରୀ ଗଜେନ୍ଦ୍ର ସିଂ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂ, କ୍ଷୀରୋଦ ଦାସ,  ଦୟାନିଧି ମହାନ୍ତ ଓ ନିର୍ମଳ ଚନ୍ଦ୍ର ମହାନ୍ତିଙ୍କ  ସମେତ ସତ୍ୟସାଇ ସେବା ସମିତି, ଗାୟତ୍ରୀ ପରିବାର ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତଥିଲେ।

ଚଳିତବର୍ଷ ଚଇତି ପର୍ବକୁ  ରୀତିନୀତି ଅନୁଯାୟୀ ପାଳନ କରାଯିବ। ଶୃଙ୍ଖଳିତ ଭାବେ ସମ୍ପାଦନ କରିବାକୁ  ଧ୍ୟ ଆଲୋଚନା କରାଯାଇଛି। ଏହି ସମୟରେ ଭିଡ଼ ହେବାର ସମ୍ଭାବନା ଥିବାରୁ ଯାନବାହନ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ତିନିଟି ଚେକ ପଏଣ୍ଟ ସ୍ଥିର ହୋଇଛି।

ଆନନ୍ଦପୁର ପଟୁ ଆସୁଥିବା ଚାରିଚକିଆ ଯାନକୁ ମନ୍ଦିର ପଛ ଶାଳବଣ ଅସ୍ଥାୟୀ ପାର୍କିଂ ସ୍ଥଳରେ ରଖାହେବା ସହ ଅଟେଇ ସଂରକ୍ଷିତ ଜଙ୍ଗଲର ଉପରଡ଼ିହା ପାର୍ଶ୍ଵସ୍ଥ ରାସ୍ତାରେ ପାର୍କିଂ କରିବାକୁ ସ୍ଥିର ହୋଇଛି।  ହରିଚନ୍ଦନପୁର ପଟୁ ଆସୁଥିବା ଚାରିଚକିଆ ଯାନ ଗୁଡିକୁ ସରସ୍ୱତୀ ଶିଶୁ ମନ୍ଦିର ନିକଟସ୍ଥ ପଡ଼ିଆ ଓ ଶନିମନ୍ଦିର ପାର୍ଶ୍ୱସ୍ଥ ଅଞ୍ଚଳରେ ରଖାହେବ।  କେନ୍ଦୁଝର ପଟୁ ଆସୁଥିବା ଯାନ ଗୁଡିକୁ ଘଟଗାଁ ସାପ୍ତାହିକ ହାଟରେ ଓ ଆବଶ୍ୟକ ସ୍ଥଳେ ଘଟଗାଁ ମିନି ଷ୍ଟାଡିୟମକୁ ମଧ୍ୟ  ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।

ବିଡ଼ିଓ ଶ୍ରୀ ନାରାୟଣ ସାହୁ ଘଟଗାଁ ମନ୍ଦିର ପରିସର ଓ ପାର୍କିଂ ସ୍ଥଳକୁ ବିଶୋଧନ କରିବାକୁ ଅଗ୍ନିଶମ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।  ମୁକୁନ୍ଦପୁରପାଟଣା, ଉପରଡ଼ିହା ଓ ଗଦାଧରପୁର ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖି ଚଇତି ପର୍ବ ଚାଲୁଥିବା ସମୟରେ ସାପ୍ତାହିକ ହାଟ ବନ୍ଦ ହେବା, ହୋଟେଲ ଓ ଢ଼ାବାରେ ଆମିଷ ନିଷେଧ ହେବା ଆଦି ବିଷୟରେ ଦୃଢ଼ ପଦକ୍ଷେପ ନେବାକୁ କହିଛନ୍ତି।  ଅପରାହ୍ଣ ୫ଟାରେ ଜିଲ୍ଲାପାଳଙ୍କ ନିର୍ଦେଶରେ କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ଘଟଙ୍ଗା ଆସି ମନ୍ଦିର ପରିସରରେ ସମସ୍ତ ସତର୍କତା ମୂଳକ ପଦକ୍ଷେପକୁ ଅନୁଧ୍ୟାନ କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ।  ଆଜିର ବୈଠକରେ ସ୍ଥାନୀୟ ତହସିଲଦାର ଜନକ  ନାୟକ, ଏସଡିପିଓ ଅସିତ ମହାନ୍ତି, ବିଡିଓ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।