ଘଟଗାଁ: ଘଟଗାଁ ମା’ ତାରିଣୀଙ୍କ ୮୬ତମ ଚଇତି ପର୍ବ ଆସନ୍ତା ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ଦୁଇବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଚଇତି ଯାତ୍ରା ବନ୍ଦ ରହିଥିଲା। ସ୍ବଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ କେବଳ ନୀତିକାନ୍ତି ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ଚଳିତବର୍ଷ କରୋନା କଟକଣା ହଟିବା ପରେ ମା’ଙ୍କ ଚଇତି ଯାତ୍ରା ଧୁମଧାମରେ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ସପ୍ତାହେ ବ୍ୟାପୀ ବାଦୀପାଲା, ପ୍ରବଚନ, ନାଚଗୀତ, ଭଜନକୀର୍ତ୍ତନ, ଦଣ୍ଡନାଚ, ଘୋଡ଼ାନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଏଥର ଚଇତି ଯାତ୍ରାରେ ସାମିଲ କରିବା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ମା’ ତାରିଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ମନ୍ଦିର ପରିସରରୁ ଆଜି ଚଇତି ରଥ ବାହାରିଛି।
ଏହି ରଥ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଜିଲ୍ଲା ପରିକ୍ରମା କରି ପ୍ରଚାରପତ୍ର ବାଣ୍ଟିବ। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କର୍ମଚାରୀ ହରେକୃଷ୍ଣ ବେହେରା, ଅରୁଣ କୁମାର ନାୟକ, ନକୁଳ ବେଜ, ପ୍ରାଣବନ୍ଧୁ ସରଡ଼ିଆ, ଚନ୍ଦ୍ରା ମୁଖୀ, ସୁଶାନ୍ତ ଦେହୁରୀ, ପୀତାମ୍ବର ଗିରି, ସନିଆ ମୁଖୀ, ଦେବଦତ୍ତ ବଳ, ପୁଲିସ କର୍ମଚାରୀ ଶ୍ରବଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/3-6.jpg)