ଉଗ୍ର ହେଉଛି ମା’ ଟିପର ମାଲିକ ସଂଘ ବିବାଦ : ପୁଣି ଜଣଙ୍କୁ ହାଣିଲେ, ହୋଟେଲରେ ଭଙ୍ଗାରୁଜା

ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ

ହରିଚନ୍ଦନପୁର/କାଳିଆପାଣି/ଦାନଗଦୀ : ଦିନକୁ ଦିନ ଉଗ୍ରରୂପ ନେଉଛି ମା’ ଟିପର ମାଲିକ ସଂଘ ବିବାଦ। ଗତ ୧୦ ତାରିଖରେ ସଂଘର ଉପସଭାପତି ନରୋତ୍ତମ ଜେନା(୫୨)ଙ୍କୁ ଘସିପୁରା ଥାନା ଖାଲପାଳରେ କିଛି ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିବା ବେଳେ ରବିବାର ଦିନ ଯାଜପୁର ଜିଲ୍ଲା ଟମକା ଥାନା ବୋର୍ଡର ଛକ ନିକଟରେ କିଛି ଦୁର୍ବୃତ୍ତ ଜନିନ୍ଦାପାଳ ଗ୍ରାମର ବାବୁ ମାଝୀ(୩୫)ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଆହତ ବାବୁଙ୍କୁ ଟାଟା ମେଡିକା ହସପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀପାଳ ମା’ ଟିପର ମାଲିକ ସଂଘ ବିବାଦକୁ କେନ୍ଦ୍ର କରି ଆଜି ଅପରାହ୍ଣ ସାଢ଼େ ୫ ଟାରେ ଯାଜପୁର ଜିଲ୍ଲା ଟମକା ଥାନାର ବୋର୍ଡର ଛକରେ କିଛି ଦୁର୍ବୃତ୍ତ ଜନିନ୍ଦାପାଳ ଗ୍ରାମର ଟିପର ମାଲିକ ବାବୁ ମାଝି ଓରଫ ବାପୁଜୀ(୩୫) ଙ୍କୁ ଏକାଧିକ ଯୁବକ ଘେରିଯାଇ ଭୁଜାଲିରେ ହାଣିଥିଲେ। ଘଟଣାକୁ କେନ୍ଦ୍ର କରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବୋର୍ଡର ଛକରେ କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ। ଟମକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଗୁରୁତର ବାବୁ ମାଝିଙ୍କୁ ଚିକିତ୍ସା ପାଇଁ କଳିଙ୍ଗନଗରସ୍ଥିତ ଟାଟା ମେଡ଼ିକା ହସପିଟାଲକୁ ପଠାଯାଇଛି।

ଅନ୍ୟପଟେ କେତେକ ଯୁବକ ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳରେ ଥିବା ମା’ ତାରିଣୀ ହୋଟେଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ବୋର୍ଡର ଛକରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରିପୋର୍ଟ ଲେଖାହେବା ଯାଏ ହୋଟେଲର ମାଲିକ ଥାନାରେ ଅଭିଯୋଗ କରି ନଥିବା ଦୈତାରୀ ଥାନା ଅଧିକାରୀ ତୁଳସୀ ମଞ୍ଜରୀ ଭୂୟାଁ ପ୍ରକାଶ କରିଛନ୍ତି। ଟମକା ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି କଡ଼ା ନଜର ରଖିଥିବା ଥାନା ଅଧିକାରୀ ସଂଘମିତ୍ରା ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର