ନିରାକାରପୁର : ଚଳିତ ବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାବେଳେ ଭୁଷଣ୍ତପୁରସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇଉଠିଛି। ଦୈନିକ ମା’ଙ୍କ ପୀଠରେ ପ୍ରବଳ ଭିଡ଼ ହେଉଥିବାବେଳେ ବଣଭୋଜିର ଆସର ଜମୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଉକ୍ତ ପୀଠରେ ଭିଡ଼ କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ପର୍ଯ୍ୟଟକ ମାନେ ମା’ଙ୍କୁ ଦର୍ଶନ କରିବା ପାଇଁ ଆସିବା ସହିତ ପୀଠକୁ ଘେରିରହିଥିବା ପ୍ରାକୃତିକ ପରିବେଶରେ ବଣଭୋଜି କରିବାକୁ ଆସୁଛନ୍ତି। ଉକ୍ତ ପୀଠକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଛି। କିନ୍ତୁ ସରକାରଙ୍କ ତରଫରୁ ପୀଠର ଭିତ୍ତିଭୂମିର ବିକାଶ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ପର୍ଯ୍ୟଟକମାନେ ହଇରାଣ ହରକତ ହେଉଛନ୍ତି।

Advertisment

publive-image

ଏପରିକି ୧୬ନମ୍ବର ଜାତୀୟ ରାଜପଥରୁ ସଂଯୋଗ କରୁଥିବା ୨ କିଲୋମିଟର ରାସ୍ତାରେ ଆଲୋକୀକରଣ ପାଇଁ ଦୀର୍ଘଦିନରୁ ଦାବି ହେଉଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯାଉନାହିଁ ।ଫଳରେ ଯାତ୍ରୀମାନେ ସଞ୍ଜ ନଇଁବା ପୂର୍ବରୁ ପୀଠ ଛାଡିବାକୁ ବାଧ୍ୟ ହେଉଛନ୍ତି। ଏତଦ୍‌ବ୍ୟତୀତ ଆବଶ୍ୟକ ଅନୁସାରେ ଶୌଚାଳୟ ନଥିବାରୁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ହଜାର ହଜାର ପର୍ଯ୍ୟଟକଙ୍କ ସ୍ବାର୍ଥ ଓ ମା’ଙ୍କ ପୀଠର ଉନ୍ନତି ଲାଗି ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହେଉଛି।