ପୁରୀ : ସିଂହଦ୍ବାର ସମ୍ମୁଖରେ ସମୂହ ଦୀପଦାନ

ପୁରୀ : ପୁରୀ ସହରର ବିଭିନ୍ନ ବୁଦ୍ଧିଜୀବୀ ସ୍ବେଚ୍ଛାସେବୀ ଓ ଶ୍ରୀମନ୍ଦିର ସେବକମାନେ ଏକାଠି ହୋଇ ଆଜି ସିଂହଦ୍ବାର ସମ୍ମୁଖରେ ସମୂହ ଦୀପଦାନ କରିଛନ୍ତି। ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାର ରୀତିନୀତି ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ଏହି ଦୀପଦାନ କରି ପ୍ରାର୍ଥନା କରିଛନ୍ତି।

ପ୍ରଥମେ ଶ୍ରୀଜୀଉଙ୍କ ଅଖଣ୍ଡ ମେକାପ ସେବକ ଦାମୋଦର ମହାନ୍ତି ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ନିକଟରେ ଦୀପ ନୈବେଦ୍ୟ ଅର୍ପଣ ପରେ ପୁରୀ ସହରର ସାଧାରଣ ଜନତାଙ୍କ ପକ୍ଷରୁ ପତିତପାବନଙ୍କ ସମ୍ମୁଖରେ ମହାପ୍ରଭୁଙ୍କ ପୂଜାପଣ୍ଡା ସାମନ୍ତ ରାମନାରାୟଣ ପୂଜାପଣ୍ଡାଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ପନ୍ନ ହେବାପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା। ପୂଜ୍ୟ ଗୁରୁଜୀ, ଆଦ୍ୟ ସେବକ ଗଜପତି ମହାରାଜା, ରାଜ୍ୟସରକାର, କେନ୍ଦ୍ର ସରକାର ତଥା ସମସ୍ତ ମହାନୁଭବଙ୍କ ଶ୍ରୀକଣ୍ଠରେ ମା ସରସ୍ବତୀ ବିରାଜମାନ କରନ୍ତୁ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶୁଣାଣି ସକରାତ୍ମକ ହେଉ, କଟକଣାଯୁକ୍ତ ରଥଯାତ୍ରାରେ ମହାପ୍ରଭୁଙ୍କ ନନ୍ଦିଘୋଷ ବଡ଼ଦାଣ୍ଡରେ ଗଡ଼ୁ ବୋଲି ପ୍ରାର୍ଥନା କରିଥିଲେ। ଏହି ଅବସରରେ ଏଠାରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ଶରତ ଜୟସିଂହ, ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାର ଗୋବିନ୍ଦ ପ୍ରସାଦ ମହାନ୍ତି, ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପୁରୀ ସେବା ସମିତିର ସହ ସମ୍ପାଦକ ସୌମେନ୍ଦ୍ର ଦାସ, ସ୍ବଦେଶୀ ଜାଗରଣ ମଞ୍ଚର ସଚ୍ଚିନନ୍ଦନ ଦାଶ, ଦିବ୍ୟ ଜୀବନ ସଂଘର ଗୁରୁ ପ୍ରସାଦ ସରସ୍ବତୀ, ରମେଶ ପଞ୍ଚ, ଦେବାଶିଷ ମିଶ୍ର, ଶ୍ରୀଜଗନ୍ନାଥ ପ୍ରଚାର ସମିତିର ବାମଦେବ ନାୟକ, ସଂସ୍କାର ଭାରତୀର ବିକାଶ ଦତ୍ତ, ପ୍ରଭୁଦତ୍ତ ମିଶ୍ର, ସଞ୍ଜୟ ମହାନ୍ତି, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ କେଦାରନାଥ ପତି, ଲାଲା ଅନନ୍ତ ସିଂହ ପ୍ରମୁଖ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ବିନୀତ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର