ମହୀଧରପୁର: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ମହୀଧରପୁର ନିକଟରେ ବହିଯାଇଥିବା ମାତେଳିଆ ନାଳ ଏକଦା ଆଖପାଖର ପ୍ରାୟ ୨୦ଟି ଗାଁ ପାଇଁ ଥିଲା ଜୀବନରେଖା। ସ୍ନାନଶୌଚ, ଜଳସେଚନ, ପାନୀୟଜଳ ପ୍ରଭୃତି ପାଇଁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରୁଥିଲେ। ଏବେ ଏହି ନାଳ ଅସ୍ତିତ୍ବ ହରାଇବାକୁ ବସିଲାଣି। ଏହାର ଗର୍ଭ ପୋତି ହୋଇଗଲାଣି। ଅନାବନା ଘାସଲତା ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହି ଜଳଉତ୍ସର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ହେଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
୨୦ଟି ଗାଁ ପାଇଁ ଜୀବନରେଖା ପାଲଟିଥିଲା
ଶଯ୍ୟାରେ ଅନାବନା ଗଛ, ସୃଷ୍ଟି କରୁଛି ଜଙ୍ଗଲର ଭ୍ରମ
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ପାଖ ଜଙ୍ଗଲରୁ ମାତେଳିଆ ନାଳର ଉତ୍ପତ୍ତି। ହିନ୍ଦୋଳ ବ୍ଲକ୍ ଧୋବଣୀନନ୍ଦର, କର୍ଣ୍ଣପୁର, ବରଡ଼ାପାଳ, ବଅଁରପାଳ ବ୍ଲକ୍ ସେରେଣାବେଡ଼ା, ମହୀଧରପୁର, ତଳମୂଳ, ଶିମିଳିଛୁଇଁ ଆଦି ଅଞ୍ଚଳରେ ପ୍ରବାହିତ ହୋଇ ତଳମୂଳଠାରୁ କିଛିଦୂର ରଙ୍କାସିଙ୍ଗାଠାରେ ବଉଳି ନାଳ ସହିତ ଏହା ମିଶିଛି। ଅନୁଗୁଳ-ମହୀଧରପୁର ରାସ୍ତାରେ ମହୀଧରପୁର ଛକ ପାଖରେ ଏହି ନାଳ ରାସ୍ତା ଅତିକ୍ରମ କରିଛି। ପାଖାପାଖି ୨୦ କିଲୋମିଟର ଲମ୍ବିଥିବା ଏହି ନାଳ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ୨୦ଟି ଗାଁର ୧୫ ହଜାରରୁ ଅଧିକ ଲୋକଙ୍କ ପାଇଁ ବରଦାନ ସଦୃଶ ଥିଲା। ମହୀଧରପୁରର ବରିଷ୍ଠ ନାଗରିକ ଗୋପୀନାଥ ପ୍ରଧାନ(୭୦) ଓ ଚୌଧୁରୀ ସାହୁ(୭୨) କହିବା ମୁତାବକ, ପ୍ରାୟ ୨୫ ବର୍ଷ ତଳେ ମାତେଳିଆ ନାଳରେ ବର୍ଷସାରା ପାଣି ରହୁଥିଲା। ଏଥିରେ ଅଞ୍ଚଳବାସୀ ଗାଧୁଆପାଧୁଆ କରୁଥିଲେ। ବିଭିନ୍ନ ପୂଜା, ବିବାହ, ବ୍ରତଘର ପାଇଁ ଏଥିରୁ ପାଣି ନେଉଥିଲେ।
ଏଠାରେ ଶୁଦ୍ଧିକ୍ରିୟା କରୁଥିଲେ। ଏହାର ପାଣି ଉଠାଇ ପାଖ ଜମିରେ ପନିପରିବା, ଡାଲିଜାତୀୟ ଫସଲ ଚାଷ କରୁଥିଲେ। ପରବର୍ତ୍ତୀ ସମୟରେ ମହୀଧରପୁର, ତଳମୂଳ ପ୍ରଭୃତି ବିଭିନ୍ନ ସ୍ଥାନରେ ଏହି ନାଳକୂଳରେ ୧୦ଟିରୁ ଅଧିକ ଉଠାଜଳସେଚନ ପଏଣ୍ଟ ସ୍ଥାପିତ ହୋଇଥିଲା। ନାଳର ଶଯ୍ୟାରେ ବାଲି ଥିଲା। ସେଥିରେ ଚୁଆ ଖୋଳି ଲୋକେ ପାନୀୟଜଳ ସଂଗ୍ରହ କରୁଥିଲେ। ଅଞ୍ଚଳର ଲୋକେ ନାଳରୁ ବାଲି ଉଠାଇ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କଲେ। ଏହାପରେ ଧୀରେ ଧୀରେ ନାଳ ଶୁଖି ଆସିଛି। ଅନେକ ବର୍ଷ ହେଲା କେବଳ ବର୍ଷାଋତୁରେ ସେଥିରେ ପାଣିମୁନ୍ଦେ ରହୁଛି। ନାଳକୂଳ ଜମିରେ ଚାଷ ହୋଇପାରୁନାହିଁ। ନାଳଟି ପୋତି ହୋଇଯାଇଛି। ଉଭୟ ପାର୍ଶ୍ବରେ ଲୋକମାନେ ଜାଗା ଦଖଲ କରିନେଇଥିବାରୁ ସେଠାକୁ ଯିବା ପାଇଁ ମଧ୍ୟ ବାଟ ନାହିଁ। ମାତେଳିଆ ନାଳର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।