ଲମତାପୁଟ: କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସଂପୂର୍ଣ୍ଣ ଭର୍ତ୍ତି ହୋଇସାରିଲାଣି ମାଛକୁଣ୍ଡ ଡି.ଡ୍ୟାମ୍‌। ଜଳବିଦ୍ୟୁତ୍‌ ପ୍ରକଳ୍ପର ଏହି ଡ୍ୟାମ୍‌ ବର୍ତ୍ତମାନ ଟଳମଳ ହେଉଥିଲା ବେଳେ ଜଳସ୍ତର ବିପଦ ସଂକେତ ଉପରେ ରହିଛି। ଯାହା ଡ୍ୟାମ୍‌ ପାଇଁ ବିପଦ ସାଜିବାରୁ ଜଳବିଦ୍ୟୁତ୍‌ କର୍ତ୍ତୃପକ୍ଷ ଦୁଇଟି ଗେଟ୍‌ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ପ୍ରତି ସେକେଣ୍ଡରେ ୩୨୦୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି। ମାଛକୁଣ୍ଡ ଜଳଭଣ୍ଡାର ସଂଲଗ୍ନ ଅଞ୍ଚଳରେ ୩ଦିନ ହେଲା ବର୍ଷା ଲାଗି ରହିଛି। ତେଣୁ ଅନବରତ ବନ୍ୟାଜଳ ପ୍ରବେଶ କରି ନଦୀନାଳ ଫୁଲିବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଜଳଭଣ୍ଡାର ଜଳ ପରିଚାଳନା ଉପରେ ପଡ଼ିଛି।

Advertisment

ମାଛକୁଣ୍ଡ ଡି.ଡ୍ୟାମ୍‌ରେ ବିପଦ ସଂକେତ ୨୫୯୦ ଫୁଟ୍‌ ରହିଥିଲା ବେଳେ ମଙ୍ଗଳବାର ସକାଳ ୧୧ଟା ସୁଦ୍ଧା ଜଳସ୍ତର ୨୫୯୧ ଫୁଟ୍‌ ରହିଥିଲା। ଜଳସ୍ତର ବିପଦ ସଂକେତ ଅତିକ୍ରମ କରିବା ପରେ କର୍ତ୍ତୃପକ୍ଷ ତରବରିଆ ଭାବେ ଗେଟ୍‌ ନମ୍ବର ୬ ଓ ୭ ଖୋଲି ଜଳ ନିଷ୍କାସନ ଆରମ୍ଭ କରିଥିଲେ। ସଂଧ୍ୟା ସୁଦ୍ଧା ୨୦୦୦ରୁ ଅଧିକ କ୍ୟୁସେକ୍‌ ଜଳ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରେ ପଶୁଥିଲା ବେଳେ ୩୨୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିଲା। ସେହିପରି ଜଲାପୁଟ ମୁଖ୍ୟ ଜଳଭଣ୍ଡାର ଜଳଧାରଣ କ୍ଷମତା ୨୭୫୦ଫୁଟ୍‌ ରହିଥିବା ବେଳେ ମଙ୍ଗଳବାର ସକାଳେ ଜଳସ୍ତର ୨୭୨୧ ଫୁଟ୍‌ ରହିଥିଲା। ଗତ ୨୦ ତାରିଖରୁ ମାଛକୁଣ୍ଡ ଡି.ଡ୍ୟାମ୍‌ରେ କ୍ରମାଗତ ବନ୍ୟାଜଳ ପଶିବା କାରଣରୁ ଫୁଲିବାରେ ଲାଗିଛି।