କୋରାପୁଟ: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳପ୍ରପାତ ଅନ୍ୟତମ। ଏଠାରେ ଥିବା ଜଳ ପ୍ରପାତରେ ୧୫୦ ଫୁଟ ଉଚ୍ଚତାରୁ ଜଳ ପଡୁଥିବା ଦେଖିବାକୁ ମିଳିଥାଏ। ଏହି ସ୍ଥାନଟି ଏବେ ବିପଦ ସଙ୍କୁଳ ହୋଇପଡିଛି। ନାଁକୁ ମାତ୍ର ସୁରକ୍ଷା ବାଢ଼ ରହିଛି। ସେଠାରେ ଥିବା ପଥରଟି ଖସଡା ଏବଂ ଉଚ୍ଚା ଉଚ୍ଚା ପାହଚ ଥିବାରୁ ବହୁ ଲୋକେ ଖସି ପଡୁଛନ୍ତି। ଜଳପ୍ରପାତ ଏବଂ ପ୍ରାକୃତିକ ବିଭବ ସହ ଫଟୋ ଓ ସେଲଫି ନେବା ନିଶାରେ ଛୋଟ ବଡ ଦୁର୍ଘଟଣା ହେଉଛି। ଜଳଭଣ୍ଡାରକୁ ଖସି ମୃତ ଓ ଗୁରୁତର ଆହତ ହେବା ଜାରି ରହିଛି। ଯଦିଓ ଲମତାପୁଟ ବ୍ଲକ ପ୍ରଶାସନ ଓ କୋରାପୁଟ ଆଇଟିଡିଏ ପ୍ରକଳ୍ପ ପକ୍ଷରୁ ମିଶନଶକ୍ତି କାଫେ, ପାହାଚ ଓ ସୁରକ୍ଷାବାଢ଼ କରାଯାଇଛି। ତାହା ପର୍ଯ୍ୟଟକଙ୍କ ସୁରକ୍ଷା ଓ ସର୍ବନିମ୍ନ ଆବଶ୍ୟକତାକୁ ପୁରଣ କରିପାରୁନି।

Advertisment

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଜଳପ୍ରପାତର ସମାଗ୍ରୀକ ବିକାଶ ପାଇଁ ଦେଢ଼ ବର୍ଷ ତଳେ କୋରାପୁଟ ଜିଲ୍ଲାପ୍ରଶାସନକୁ କୋଟିଏ ୧୦ଲକ୍ଷ ୪୬ହଜାର ଏହି ଅନୁଦାନ ଦେଇଥିଲେ। ଏହି ଅନୁଦାନ ଅର୍ଥରୁ ଟଙ୍କାଟିଏ ବି ଏଯାଏଁ ଖର୍ଚ୍ଚ ନ ହୋଇ ପଡ଼ି ରହିଛି।

ଲମତାପୁଟ ବ୍ଲକଠାରୁ ଅନକାଡିଲି ଯିବା ପୂର୍ବରୁ ଡୁଡୁମା-ମାଛକୁଣ୍ଡ ଜଳପ୍ରପାତ ରହିଛି। ବର୍ଷ ତମାମ ଏହି ଜଳପ୍ରପାତକୁ ଦେଖିବା ତଥା ପ୍ରାକୃତିକ ବିଭବକୁ ଉପଭୋଗ କରିବା ପାଇଁ ଏଠାକୁ ରାଜ୍ୟର ବହୁ ଜିଲ୍ଲା ସମେତ, ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ ସହ ବହୁ ଦେଶି ବିଦେଶୀ ପର୍ଯ୍ୟଟକଙ୍କ ଯିବା ଆସିବା ଲାଗି ରହୁଛି। କୋରାପୁଟ, ସେମିଳିଗୁଡ଼ା ଓ ଜୟପୁରଠାରୁ ଯଦିଓ ଯିବା ଆସିବା ପାଇଁ  ଯାନବାହାନର ସୁବିଧା ସହ ବସ ବି ଯାଉଛି।

ପର୍ଯ୍ୟଟନ ବିଭାଗ, ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା, ପର୍ଯ୍ୟଟକମାନେ ରହିବା ଓଖାଇବା ପାଇଁ ହୋଟେଲ, ଲଜର ବ୍ୟବସ୍ଥା କି ସର୍ବନିମ୍ନ ସୁବିଧା କିଛି କରି ନାହାନ୍ତି। ଜଳପ୍ରପାତ ନିକଟ‌ରୁ ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋହର। ଏଠାରେ ଥିବା ବଡ ପଥର ଉପରେ ଠିଆ ହୋଇ ସେଲଫି ନେବା, ଫଟୋ ଉଠାଇବ‌ା ଆଦି କରିବା ପାଇଁ ପର୍ଯ୍ୟଟକ ମାନେ ଭୀଡ ଜମାନ୍ତି। ସେହି ସ୍ଥାନରେ ସୁରକ୍ଷା ବାଡ କିଛି ନଥିବାରୁ ସେଲଫି, ଫୋଟ ନେବା ସମୟରେ ତଳକୁ ଖସି ମୃତ ଓ ଗୁରୁତର ଆହତ ହେଉଥିବା ଭଳି ଘଟଣା ଜାରି ରହିଛି।

publive-image

ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାବାଡ଼ ଓ ମିଶନଶକ୍ତି କାଫେ ଆଦି ବ୍ଲକ ଓ ଆଇଟିଡିଏ ପକ୍ଷରୁ ନିର୍ମାଣ କରାଯାଇଛି। କିନ୍ତୁ ସୁରକ୍ଷା ବାଡ଼ କେବଳ ନାମକୁ ମାତ୍ର କରାଯାଇଛି। ମିଶନଶକ୍ତି କାଫେରେ କେବଳ ଥଣ୍ଡା ପାନୀୟ ଓ ଚା, ବିସ୍କୁଟ ହିଁ ବିକ୍ରି ହେଉଛି। ଏଠାରେ ଶୌଚାଳୟ, ହୋଟେଲ, ଲଜ୍ ଆଦି କିଛି ନାହିଁ। ଦୁରଦୂରାନ୍ତରୁ ଆସୁଥିବା ମହିଳା ପର୍ଯ୍ୟଟକମାନେ ଶୌଚାଳୟ ନଥିବାରୁ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିକନିକ୍ ଋତୁ ଧୀରେଧୀରେ ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ପର୍ଯ୍ୟଟକ ସଂଖ୍ୟା ବଢ଼ୁଛି। ସାମାଜିକ ଗଣମାଧ୍ୟମ, ରିଲସ୍ ନିଶା‌ରେ ପର୍ଯ୍ୟଟକ ମାନେ ନିଜର ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏହି ସ୍ଥିତିରେ ଅଘଟଣକୁ ଏଡାଇ ହେବ ନି। ପ୍ରଶାସନ ପକ୍ଷରୁ ସୁରକ୍ଷା ଏବଂ ପର୍ଯ୍ୟଟକମାନେ କିଭଳି ଆରାମରେ ଉପଭୋଗ କରିପାରିବେ ସେ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।