ରାଉରକେଲା: ଦୁର୍ନୀତି ଅଭିଯୋଗରେ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ଚାକିରିରୁ ବହିଷ୍କୃତ ହେବା ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଫର୍ଦ୍ଦ ଖୋଲିବାରେ ଲାଗିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ତଥା ବିଭିନ୍ନ କମ୍ପାନିର ସିଏସ୍ଆର୍‌ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କାରେ କିଣାଯାଇଥିବା ମେସିନ୍‌ ଷ୍ଟୋରରୁମ୍‌ ଓ ଲ୍ୟାବ୍‌ରେ ପଡ଼ି ଖତ ଖାଉଛି। କିଛି ମେସିନ୍‌ ଲ୍ୟାବ୍‌ରୁ ଉଭାନ ହୋଇଯାଇଥିବା ତଦନ୍ତରୁ ଜଣାପଡ଼ିଛି। ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଓ କିଛି ଡାକ୍ତରଙ୍କ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ବିଭିନ୍ନ ପରୀକ୍ଷା ପାଇଁ ପାଥୋଲ୍ୟାବ୍‌ରେ ଡିଏମ୍‌ଏଫ୍‌  ଓ ଅନ୍ୟାନ୍ୟ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କାର ମେସିନ୍ କିଣି ଲଗାଯାଇଛି।

Advertisment

‘ନିଦାନ’ ଯୋଜନାରେ ଏହାର ପରିଚାଳନା ପାଇଁ ଘରୋଇ ସଂସ୍ଥା ‘କ୍ରିଷ୍ଣା ଡାଇଗ୍ନୋଷ୍ଟିକ୍‌’କୁ ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ବିଭିନ୍ନ ପରୀକ୍ଷା ବାବଦରେ ଆର୍‌ଜିଏଚ୍‌ରୁ ମାସକୁ ପ୍ରାୟ ୧୫ରୁ ୨୦  ଲକ୍ଷ ଟଙ୍କା ନେଉଛି। ହେଲେ ସେହି ଅନୁସାରେ ସେବା ଦେଇପାରୁ ନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ଡିଏମ୍‌ଏଫ୍‌ ଫାଣ୍ଠିରୁ ପରୀକ୍ଷା ପାଇଁ ପାଥୋଲ୍ୟାବ୍‌କୁ ଅନ୍ୟାନ୍ୟ ମେସିନ୍‌ ସହ ଅଟୋ ଆନାଲାଇଜର ମେସିନ୍ ଦିଆଯାଇଥିଲା। ଗତ କିଛିମାସ ଧରି ଉକ୍ତ ଅଟୋ ଆନାଲାଇଜ୍‌ର ମେସିନ୍‌ ଆଉ ପାଥୋଲ୍ୟାବ୍‌ରେ ଦେଖିବାକୁ ମିଳୁନି।

ଚୋରି ହୋଇଛି ନା ଅନ୍ୟ କାହାକୁ ବିକି ଦିଆଯାଇଛି, ତା’ର ତଦନ୍ତ କରାଯାଉଛି। ପାଥୋଲ୍ୟାବ୍‌ ପରି ସମାନ ସ୍ଥିତି ଉପୁଜିଛି ସେଣ୍ଟ୍ରାଲ ଲ୍ୟାବ୍‌ରେ। ଗତ ୨୦୨୧-୨୨ରେ ଏହି ଲ୍ୟାବ୍‌ ଉଦ୍‌ଘାଟନ ହୋଇଥିଲା। ଡିଏମ୍‌ଏଫ୍‌ ଓ ଏନ୍‌ଏସ୍‌ପିସିଏଲ୍‌ ପକ୍ଷରୁ ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ୍‌ ଯନ୍ତ୍ରପାତି ଯେଗାଇ ଦିଆଯାଇଥିଲା। ଏଥିସହ ଲ୍ୟାବ୍‌ରେ ସୋଡିୟମ, ବାୟୋ କେମିକାଲ୍‌ ଆନାଲାଇଜ୍‌ର, ମାଇକ୍ରୋସ୍ପୋପ୍‌, ସିବିସି, ୫ରୁ ଅଧିକ ଫ୍ରିଜ୍‌, କମ୍ପୁଟର ଆଦି କୋଟିକୋଟି ଟଙ୍କାର ଯନ୍ତ୍ରପାତି ରହିଛି।  ‘ଟେକ୍‌ ମେଡ୍‌’ ସଂସ୍ଥାକୁ ଲ୍ୟାବ୍‌ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ତେବେ ନିମ୍ନମାନର ସେବା ଯୋଗୁ ଉକ୍ତ ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯାଇଥିଲା। ମାତ୍ର କେଇ ମାସ ଚାଲିବା ପରେ ସେଣ୍ଟ୍ରାଲ ଲ୍ୟାବ୍‌ରେ ତାଲା ଝୁଲୁଛି। ପ୍ରାୟ ୩ ବର୍ଷ ଧରି କୋଟିକୋଟି ଟଙ୍କାର ମେସିନ୍‌ ଲ୍ୟାବ୍‌ରେ ଖତ ଖାଉଥିଲେ ହେଁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି। ଲ୍ୟାବ୍‌ରେ ରହିଥିବା କିଛି ମେସିନ୍‌ ଅଚଳ ହୋଇ ଯାଇଥିଲାବେଳେ, ଅନ୍ୟ କିଛି ଉଭାନ ହୋଇଯାଇଥିବା ଜଣାପଡ଼ିଛି।

 ତଦାରଖ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ପଚାରିଲେ, ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି। ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଡାକ୍ତର ମନୋଜ ଉପାଧ୍ୟାୟ କହିଛନ୍ତି, ପାଥୋଲ୍ୟାବ୍‌ରୁ ଅଟୋ ଆନାଲଇଜ୍‌ର ମେସିନ୍‌ କୁଆଡେ ଗଲା, ଜଣାପଡ଼ିନି। ଯଦି ଚୋରି ହୋଇଛି, ତେବେ ସେତେବେଳେ କାହିଁକି ବିଭାଗୀୟ ଅଧିକାରୀ ଥାନାରେ ଏତଲା ଦେଲେ ନାହିଁ ତା’ର ତଦନ୍ତ କରାଯାଉଛି। ସେଣ୍ଟ୍ରାଲ୍‌ ଲ୍ୟାବ୍‌ର ମେସିନ୍‌ଗୁଡ଼ିକ ଠିକ୍‌ ଅଛି କି ନାହିଁ, ତଦନ୍ତ ପାଇଁ କମିଟି ଗଠନ କରାଯାଇଛି। ତଦନ୍ତ ପରେ ମେସିନ୍‌ଗୁଡ଼ିକ ସଂପର୍କରେ ବିସ୍ତୃତ ବିବରଣୀ ମିଳିପାରିବ।