ଅନୁଗୁଳ : କରୋନାରୁ ମୁକ୍ତି ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ। ଏଭଳି ସ୍ଥିତିରେ କରୋନା ଭୂତାଣୁ ସଂକ୍ରାମଣରୁ ରକ୍ଷା ପାଇଁ ସାମାଜିକ ଦୂରତ୍ବ ସହିତ ସାନିଟାଇଜେସନ୍ ଉପରେ ଗୁରୁତ୍ବାରୋପ କରାଯାଉଛି। ଏ ଦିଗରେ ଇଂ. ଅଭିଷେକ ସ୍ବାଇଁଙ୍କ କ୍ଷୁଦ୍ର ଯନ୍ତ୍ର(ଡିଭାଇସ୍) ବେଶ୍ ସହାୟକ ହେବ। ଏବେ ହିନ୍ଦୋଳ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଭିଷେକଙ୍କ କହିବା ଅନୁସାରେ, ନିଜଠାରୁ ଏକ ମିଟର ଦୂରତା ମଧ୍ୟକୁ ଯଦି କେହି ଅଚାନକ ଚାଲିଆସନ୍ତି, ତାହେଲେ ଯନ୍ତ୍ରଟି ସଂଗେସଂଗେ ସତର୍କ ସୂଚନା ଦେବ। କେବଳ ସେତିକି ନୁହେଁ, ଯଦି ଅସାବଧନତା ଯୋଗୁଁ ହାତ ନିଜ ମୁହଁ, ନାକ କିମ୍ବା ଆଖି ପାଖକୁ ଚାଲିଯାଏ, ସେହି ସ୍ଥିତିରେ ମଧ୍ୟ ଯନ୍ତ୍ରଟି ସଂଗେସଂେଗ ସତର୍କ ସୂଚନା ଦେବ। ଯନ୍ତ୍ରଟିକୁ ସେ ନିଜ ଟୋପିରେ ଖଞ୍ଜିଛନ୍ତି। ତେବେ ଏହା ସାର୍ଟ ପକେଟ, ବୋତାମରେ ବି ଖଞ୍ଚାଯାଇପାରିବ। ଯନ୍ତ୍ରଟି ତିଆରି ପାଇଁ ମାତ୍ର ୫ଶହ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୨ଟି ସେନ୍ସର, ଗୋଟିଏ ଏଲ୍ଇଡି ଓ ଗୋଟିଏ କଣ୍ଟ୍ରୋଲର ଖଞ୍ଜାଯାଇଛି। ତେବେ ଏଥିରେ ଏକ କ୍ୟାମେରା ଖଞ୍ଜାଗଲେ ନିଜଠାରୁ ଏକ ମିଟର ଦୂରତା ରକ୍ଷା କରିନଥିବା ବ୍ୟକ୍ତିଙ୍କ ଫଟୋ ଆସିପାରିବ। ତେଣୁ ସେ ଏଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ଷୁଦ୍ର ଯନ୍ତ୍ରଟିର ସେ ନାମକରଣ ଏପର୍ଯ୍ୟନ୍ତ କରିନାହାନ୍ତି। ଯନ୍ତ୍ରଟିର ସତର୍କ ସୂଚନା ଯୋଗୁଁ ସାମାଜିକ ଦୂରତା ରକ୍ଷା ସହିତ ହାତକୁ ଆଖି, ନାକ, ମୁହଁକୁ ନନେବା ପାଇଁ ସହାୟକ ହୋଇପାରିବ ବୋଲି ଇଂ.ସ୍ବାଇଁ କହିଛନ୍ତି। ରାଉରକେଲା ଏନ୍ଆଇଟିରୁ ସେ ସିଭିଲ୍ ଇଂଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେହେଁ ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ଉପରେ ତାଙ୍କର ବିେଶଷ ଦକ୍ଷତା ରହିଛି। ଭୁବନେଶ୍ବର ବରମୁଣ୍ଡା ନିବାସୀ ଇଂ. ସ୍ବାଇଁ ତାଙ୍କ ବଡ଼ଭାଇ ଡ. ଆଶୁତୋଷ ସ୍ବାଇଁଙ୍କ ପ୍ରେରଣାରେ ଏହି କ୍ଷୁଦ୍ରଯନ୍ତ୍ରଟି ତିଆରି କରିଥିବା କହିଛନ୍ତି। ଛାତ୍ରାବସ୍ଥାରେ ୨୦୧୧ ମସିହାରେ ସେ ଅନ୍ୟ କେତେକ ଛାତ୍ରଙ୍କ ସହିତ ମିଶି ଉଭୟ ପେଟ୍ରୋଲ ଓ ବ୍ୟାଟେରିରେ ଚାଲିପାରିବା ଭଳି ଏକ ଗାଡ଼ି ତିଆରି କରିଥିଲେ। ଉକ୍ତ ଗାଡ଼ିଟି ଏବେ ବି ଏନ୍ଆଇଟି,ରାଉରକେଲାରେ ରହିଛି। ଇଂ. ସ୍ବାଇଁଙ୍କ ପିତା ହେମନ୍ତ କୁମାର ସ୍ବାଇଁ ଜଣେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଟନ୍ତି।
କରୋନାରୁ ରକ୍ଷା ପାଇଁ ସତର୍କ ସୂଚନା ଦେବ କ୍ଷୁଦ୍ର ଯନ୍ତ୍ର
/sambad/media/post_attachments/wp-content/uploads/2020/05/device1f.jpg)