ମନରେଗାର ଢାଲ ସାଜିଛି ଚତୁର୍ଦ୍ଦଶ ଅର୍ଥ କମିସନ ଅନୁଦାନ

ମଣିଷ ବଦଳରେ ମେସିନ୍: ଯୋଜନା ଦିଗହରା

ଯାଜପୁର/ବ୍ରହ୍ମବରଦା : ସରକାରୀ ଅନୁଦାନ ହଡ଼ପ ପାଇଁ ଆପଣାଯାଇଛି ନୂଆ ତରିକା। ଗୋଟିଏ ଯୋଜନା ସହ ଆଉ ଏକ ଯୋଜନାକୁ ପଞ୍ଚ୍‌ (ମିଶ୍ରଣ) କରାଯାଉଛି। କଙ୍କଡ଼ାକୁ ଗୋଳିଆ ପାଣି ସୁହାଇଲା ଭଳି ଅସାଧୁମେଣ୍ଟକୁ ମିଳୁଛି ଭରପୂର ଫାଇଦା। ଯାଜପୁର ଜିଲ୍ଲାରେ ଏଭଳି ଏକ ଷଡ଼୍‌ଯନ୍ତ୍ର ପଦାକୁ ଆସିଛି। ମନରେଗା ଭଳି ଶ୍ରମଭିତ୍ତିକ ଯୋଜନାକୁ ଦିଗହରା କରିବାକୁ ଚାଲିଛି ଯୋଜନାବଦ୍ଧ ଖେଳ। ମନରେଗା ସହିତ ଚତୁର୍ଦ୍ଦଶ ଅର୍ଥ କମିସନ ଅନୁଦାନକୁ ପଞ୍ଚ୍‌(ମିଶାଇ) କରି ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି। ମଣିଷକୁ ମଜୁରି ବଦଳରେ ମେସିନ୍‌କୁ ଦିଆଯାଉଛି।

କାଁ ଭାଁ କେଉଁଠି ଅଭିଯୋଗ ହେଲେ ଚତୁର୍ଦ୍ଦଶ କମିସନ ଅର୍ଥରେ କାମ ଚାଲିଛି ବୋଲି କହି ଗଳା ବାଟରେ ଖସୁଛନ୍ତି। ପ୍ରତିବାଦର ସ୍ବର ନଉଠିଲେ ମନରେଗା‌ରେ ବିଲ୍‌ ହୋଇଯାଉଛି। ଏପରି କି କାର୍ଯ୍ୟକ୍ଷେତ୍ରରେ ସୂଚନା ଫଳକ ମଧ୍ୟ ଲଗାଯାଉନାହିଁ। ଅନ୍ୟପକ୍ଷରେ, ବିକାଶର ପ୍ରୟୋଗଶାଳା କୁହାଯାଉଥିବା ଯାଜପୁର ଜିଲ୍ଲାରେ ଅସାଧୁମେଣ୍ଟ ନୂତନ ଫର୍ମୁଲା ଉଦ୍‌ଭାବନ କରି ଲୋକଙ୍କ ଜୀବିକାକୁ ନେଇ ଖେଳୁଛନ୍ତି। ମନରେଗା ସହିତ କେନ୍ଦ୍ର ସରକାରଙ୍କର ଚତୁର୍ଦ୍ଦଶ କମିସନ ଅନୁଦାନ ଓ ଅନ୍ୟାନ୍ୟ ଯୋଜନା ଅର୍ଥ ମିଶାଇ ଶହଶହ ପ୍ରକଳ୍ପ ନାମରେ ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି। ମନରେଗାରେ ମଣିଷ ବଦଳରେ ମେସିନ ଲଗାଇବା ଘଟଣାରେ ଏହି ଚତୁର୍ଦ୍ଦଶ କମିସନ ଅର୍ଥ ଢାଲ ସାଜିଛି।

ଯାଜପୁର ବ୍ଲକ୍ ଏରବାଙ୍କ ପଞ୍ଚାୟତ ପରେ ଝାଲପଡ଼ା ପଞ୍ଚାୟତ ଅନ୍ତର୍ଗତ କାକୁଡ଼ିକୁଦ-ନୀଳକଣ୍ଠପୁର ସତ୍ୟସାଇ କ୍ରିକେଟ୍‌ ପଡ଼ିଆ ଉନ୍ନତୀକରଣ ଏହାର ଏକ ଜ୍ବଳନ୍ତ ଉଦାହରଣ। ମଣିଷ ବଦଳରେ ଏକାଧିକ ମେସିନ ଦିନରାତି ଏହି କାମ କରୁଛି। ପ୍ରବାସୀ ଫେରନ୍ତାମାନେ କାମ ନପାଇ ଘରେ ବସିଥିବା ବେଳେ ମେସିନ୍‌ରେ କାମ କରାଯାଉଛି। ମେସିନ୍‌ରେ କାମ କରିବା ଲାଗି ଯୋଜନାବଦ୍ଧ ଭାବେ ମନରେଗା ସହ ଚତୁର୍ଦ୍ଦଶ ଅର୍ଥ କମିସନ୍‌ ପ୍ରକଳ୍ପକୁ ଯୋଡ଼ି ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦିନରାତି ଜେସିବି ମେସିନ୍‌ ଓ ଟ୍ରାକ୍ଟରରେ ମାଟିଉଠା ଚାଲିଛି। ଧରାପଡ଼ିବା ଭୟରେ ସୂଚନା ଫଳକ ନାହିଁ। ଏହାକୁ ନେଇ ଗ୍ରାମର ଶତାଧିକ ଶ୍ରମିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟ ପାଇଁ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେଥିରୁ ମନରେଗାରୁ ୧୦ ଲକ୍ଷ ଓ ଚତୁର୍ଦ୍ଦଶ ଅର୍ଥ କମିସନରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏ ସମ୍ପର୍କରେ ଝାଲପଡ଼ା ସରପଞ୍ଚ ନିର୍ମଳ ସାମଲଙ୍କୁ ପଚାରିବାରୁ ଏହା ମନରେଗା କାମ ନୁହେଁ ପଞ୍ଚାୟତ ଭାଗରୁ କେନ୍ଦ୍ରୀୟ ଚତୁର୍ଦ୍ଦଶ ଅର୍ଥ କମିସନ ଅର୍ଥ ଖର୍ଚ୍ଚ ହେଉଛି ବୋଲି ସଫେଇ ଦେଇଛନ୍ତି। ଏହି କାମରେ ମଣିଷ ବଦଳରେ ମେସିନ୍‌ କାମ କଲେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି। ଏହିପରି ଜିଲ୍ଲାସାରା ମେସିନରେ କାମ ଚାଲିଛି।

ମହାମାରୀ କରୋନାରେ ବିଶେଷ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ‌ ଯାଜପୁର ଦ୍ବିତୀୟ ସ୍ଥାନରେ ରହିଛି। ଶିଳ୍ପ,ବାଣିଜ୍ୟ ଓ କୃଷିରେ ସମୃଦ୍ଧ କୁହାଯାଉଥିବା ଯାଜପୁର ଜିଲ୍ଲାର ପ୍ରକୃତ ଗୁମର କରୋନା ଖୋଲିଛି। ଏହି ପ୍ରଗତିଶୀଳ ଜିଲ୍ଲାର ହଜାର ହଜାର ଲୋକ କରୋନା ପାଇଁ ବାହାରୁ ଫେରିବା ପରେ ଏହା ସ୍ପଷ୍ଟ ହୋଇଛି। ଏହି ପ୍ରବାସୀ ଫେରନ୍ତଙ୍କୁ କାମଧନ୍ଦା ଯୋଗାଇବାକୁ ପ୍ରୟାସ କରାଯିବା ବଦଳରେ ଠିକାଦାର ପୋଷିବାକୁ ଯୋଜନା ହେଉଛି। ପୂର୍ବଭଳି ଅସାଧୁମେଣ୍ଟର ଠିକାଦାର ହାତେଇଛନ୍ତି ରାସ୍ତାଘାଟ,ଖେଳପଡ଼ିଆ, ପୋଖରୀ ଖନନ କାମ। ଗତ ୨୯ତାରିଖରେ ସୁକିନ୍ଦା ବ୍ଲକ୍ ଆମ୍ପୋଳବା ପଞ୍ଚାୟତର ବେକାରୀ ଯୁବକମାନେ କାମ ପାଇଁ ଦାବି କରି ଶୋଭାଯାତ୍ରାରେ ଆସି ବିଡ଼ିଓଙ୍କୁ ଦାବିପତ୍ର ଦେଇଥିଲେ। ତାଙ୍କ ପଞ୍ଚାୟତରେ ମେସିନରେ କାମ ଚାଲିଛି ଅଥଚ ସେମାନଙ୍କୁ କାମ ଦିଆଯାଉନାହିଁ ବୋଲି ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ, ଆଜି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଭିଡିଓ କନଫରେନସରେ ସରପଞ୍ଚମାନଙ୍କ ସହିତ ଆଲୋଚନା କରି ମନରେଗା ଓ ଚତୁର୍ଦ୍ଦଶ ଅର୍ଥ କମିସନ ଅନୁଦାନକୁ ସୂଚାରୁ ରୂପେ ବିନିଯୋଗ କରିବା ସହିତ ଲୋକମାନଙ୍କୁ ନିଯୁକ୍ତ କରିବାକୁ ତାଗିଦ କରିଛନ୍ତି। ତେବେ ଦୁଇଟି ଯୋଜନାକୁ ପଞ୍ଚ(ମିଶାଇ) କରିବା ପାଇଁ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ କେତେ‌ଦୂର ଜିଲ୍ଲାବାସୀଙ୍କ ସ୍ବାର୍ଥରେ ଲାଗୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର