ଲମତାପୁଟ: ମାଛକୁଣ୍ତ ବିଦ୍ୟୁତ ପ୍ରକଳ୍ପକୁ ପର୍ଯ୍ୟଟକଙ୍କୁ ମନା, କର୍ମଚାରୀଙ୍କ ଭୋଜି

ଲମତାପୁଟ: ମାଛକୁଣ୍ତ ବିଦ୍ୟୁତ ପ୍ରକଳ୍ପ ଭିତରକୁ ପର୍ଯ୍ୟଟକମାନଙ୍କୁ ଛାଡ଼ିବାକୁ କଟକଣା ରହିଛି । ହେଲେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ସେହି ବିଦ୍ୟୁତ ପ୍ରକଳ୍ପର ବିପଦପୂର୍ଣ୍ଣ ସ୍ଥାନରେ ଭୋଜିଭାତ କରି ମଉଜ ମଜଲିସ କରୁଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶା–ଆନ୍ଧ୍ର ସୀମାନ୍ତରେ ରହିଛି ମାଛକୁଣ୍ତ ବିଦ୍ୟୁତ ପ୍ରକଳ୍ପ । ଏହି ପ୍ରକଳ୍ପ ଆନ୍ଧ୍ର ବିଦ୍ୟୁତ ବିଭାଗ ଦ୍ବାରା ପରିଚାଳିତ ହୋଇ ଆସୁଛି । ଗତ ଡିସେମ୍ବର ମାସରେ ମାଛକୁଣ୍ତ ବିଦ୍ୟୁତ ପ୍ରକଳ୍ପରେ ୧୩୨ କେଭି ବିଦ୍ୟୁତ ତାରରେ ଲାଗି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ତା’ ପରଠୁ ବିଦ୍ୟୁତ ବିଭାଗ ଅଧିକାରୀମାନେ ବିଦ୍ୟୁତ ପ୍ରକଳ୍ପ ଭିତରକୁ ପର୍ଯ୍ୟଟକଙ୍କୁ ଛାଡୁନାହାନ୍ତି ।

ଏପଟେ ବିଦ୍ୟୁତ ପ୍ରକଳ୍ପ ଅଧିକାରୀମାନେ ପର୍ଯ୍ୟଟକଙ୍କୁ ଭିତରକୁ ଛାଡୁନଥିବା ବେଳେ ମାଛକୁଣ୍ତ ଥାନା ଅଧିକାରୀ କିନ୍ତୁ ବିଦ୍ୟୁତ ପ୍ରକଳ୍ପ ବୁଲିବାକୁ ପର୍ଯ୍ୟଟକଙ୍କୁ ପାସ ଦେଇ ଚାଲିଛନ୍ତି । ପୁଲିସ ଓ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସମନ୍ବୟ ଅଭାବରୁ ପର୍ଯ୍ୟଟକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷରେ ବିଭାଗୀୟ ଅଧିକାରୀ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ପର୍ଯ୍ୟଟକଙ୍କୁ ଭୋଜି ପାଇଁ ବାରଣ କରୁଥିବା ବେଳେ ସେମାନେ କିପରି ଭୋଜିଭାତ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପର୍ଯ୍ୟଟକ । ସେପଟେ ଏ ନେଇ ମାଛକୁଣ୍ତ ବିଦ୍ୟୁତ ପ୍ରକଳ୍ପ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରିବାରୁ ବାହାରେ ରୋଷେଇ ହୋଇଥିଲା ଭିତରେ ନେଇକି ଖାଉଛୁ ଆଗକୁ ଏପରି ହେବ ନାହିଁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର