କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ, ଚିଟ୍‌ଫଣ୍ଡ ତଦନ୍ତର ଭବିଷ୍ୟତକୁ ନେଇ ଆଶଙ୍କା

କଟକ: ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଗତ ମାସରେ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। କିନ୍ତୁ କାର୍ଯ୍ୟକାଳ ବୃଦ୍ଧି ପ୍ରସଂଗରେ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଏ ନେଇ କମିସନଙ୍କ କାର୍ଯ୍ୟାଳୟ ବି ଅନ୍ଧାରରେ ରହିଛି। ଫଳରେ, ଚିଟ୍‌ଫଣ୍ଡ ତଦନ୍ତର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ଚିଟ୍‌ଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଂଗ ଯୋଡି ୨୦୧୫, ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନି ଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। ଏବେ ୨୦୧୫, ‌ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ କରି ସରକାର ୨୦୧୯, ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ କମିସନ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। ୨୦୧୯, ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବା ବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଆଜି ଏହି ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଛି।

ସମ୍ବନ୍ଧିତ ଖବର