ସୁନ୍ଦରଗଡ଼: ମଦ କିପରି ନିମିଷକେ ମଧ୍ୟରେ ଜୀବନ ନେଇଯାଏ, ତା’ର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁରେ। ସୋମବାର ସକାଳେ ମଦ ନିଶାରେ ଚୁର୍ ଦୁଇଭାଇ ଅନ୍ୟ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ମନୋଜ ସା’ (୨୫) ଓରଫ ପାଣ୍ଡୁ। ଅଭିଯୁକ୍ତ ଦୁଇଭାଇ ହେଲେ ଗାଁର ବିଜୟ ମହାନନ୍ଦିଆ (୫୦) ଏବଂ ଡୁଲାମଣି ମହାନନ୍ଦିଆ (୪୫)। ହତ୍ୟାକାଣ୍ଡ ସୂଚନା ପାଇବା କ୍ଷଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଜୟକୁ ଗିରଫ କରିଥିବାବେଳେ ଫେରାର ଡୁଲାମଣିକୁ କିଛି ଘଣ୍ଟା ପରେ ଅନ୍ୟ ଏକ ଗାଁ ଟାଙ୍ଗରମୁଣ୍ଡାର ଜଣକ ଘରୁ ଧରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡର ପ୍ରତିବାଦରେ ଲୋକେ କିଛି ସମୟ ରାସ୍ତାରୋକ କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ରାସ୍ତାରୋକ ହଟିଛି।
ଅଭିଯୁକ୍ତ ୨ ଭାଇ ଗିରଫ
ଅଭିଯୋଗ ହୋଇଛି ବିଜୟଙ୍କ ଘରେ ମଦ, ଗଞ୍ଜେଇ କାରବାର ଚାଲେ। ଗାଁରେ ସାମାନ୍ୟ କଥାରେ ସେମାନେ ମାଡ଼ପିଟ କରି ଆତଙ୍କ ଚଳାଇଥିଲେ। ଏଥିରେ ଅତିଷ୍ଠ ହୋଇ ସେମାନଙ୍କ ପତ୍ନୀ ବହୁଦିନ ହେଲା ବାପଘରେ ରହୁଛନ୍ତି। ଘରେ ଦୁଇଭାଇ ବିଜୟ ଓ ଡୁଲାମଣି ସବୁବେଳେ ମଦ, ଗଞ୍ଜେଇ ନିଶାରେ ମାତାଲ ରହୁଥିଲେ। ହତ୍ୟାର ଶିକାର ମନୋଜ ସକାଳେ କିଛି କାମରେ ବିଜୟ ଘରକୁ ଯାଇଥିବା ବେଳେ ନିଶାସକ୍ତ ଦୁଇଭାଇ କୌଣସି କଥାକୁ ନେଇ ଝଗଡ଼ା କରିଥିଲେ। ପରେ ଦୁଇଭାଇ ମନୋଜଙ୍କୁ ମୁଥ ମାରି ନାକ ଫଟାଇ ଦେଇଥିଲେ। ମନୋଜ ରକ୍ତାକ୍ତ ଅବସ୍ଥାରେ ଗାଁ’ଦାଣ୍ଡକୁ ଚାଲିଆସିବା ପରେ ଦୁଇଭାଇ ଏକ ଭୁଜାଲି ଧରି ଗୋଡ଼ାଇ ଗୋଡ଼ାଇ ତାଙ୍କୁ ହାଣି ପକାଇଥିଲେ। ଏହି ସମୟରେ ଦୁଇଭାଇଙ୍କ କବଳରୁ ଛଡ଼ାଇବା ପାଇଁ କିଛି ଲୋକ ଚେଷ୍ଟା କରିଥଲେ ବି ମନୋଜଙ୍କୁ ରକ୍ଷା କରିପାରି ନଥିଲେ।
ହତ୍ୟାକାଣ୍ଡ ପରେ ଦୁଇଭାଇ ଫେରାର ହେଉଥିବା ବେଳେ ପୁଲିସ ବିଜୟ ମହାନନ୍ଦିଆକୁ ମାଡ଼ି ବସିଥିଲା। ପରେ ଡୁଲାମଣିକୁ ଗିରଫ କରିଥିଲା। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପୁଲିସ ମନୋଜଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।