କୃଷକ  ପଂଜୀକରଣରୁ ମଦନମୋହନ ଓ ମରକଟଲିଙ୍ଗ ମହାପ୍ରଭୁ ବାଦ୍ ପଡ଼ିଲେ

ଜୟପୁର:  ଜୟପୁର ବ୍ଲକ ଅର୍ନ୍ତଗତ କୁମୁଲିପୁଟ ଠାରେ ଥିବା ମଦନମୋହନ ଓ ମରକଟଲିଙ୍ଗ ମହାପ୍ରଭୁଙ୍କ ନାଁରେ ଥିବା ୨୧ଏକରରେ ଉତ୍ପାଦିତ ଧାନ ବିକ୍ରୀ ପାଇଁ ରବି ମଣ୍ଡି କୃଷକ ପଂଜୀକରଣରୁ ବାଦ୍ ପଡ଼ିଛନ୍ତି। ଏ ନେଇ ଉଭୟ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ଭାଗରେ ଚାଷ କରୁଥିବା ଚାଷୀ ପ୍ରଦୀପ କୁମାର ଗୌଡ଼ ଓ କୁମୁଲିପୁଟ ଅଂଚଳରେ ଆଉ ୧୩ଜଣ ଚାଷୀ ପଂଜୀକରଣରୁ ବାଦ୍ ପଡ଼ିଥିବାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଗତ ୩୦ବର୍ଷ ହେବ ଏମାନେ ଉପରକୋଲାବ ଜଳସେଚନରେ କେନାଲରେ ପାଉଥିବା ପାଣିରେ ଖରିଫ ଓ ରବି ମଣ୍ଡି‌ରେ ଚାଷ କରି ଧାନକୁ ମଣ୍ଡିରେ ବିକ୍ରୀ କରି ଆସୁଥିଲେ।

ଜଳକର ଓ ଜମିର ଖଜଣାକୁ ପୂର୍ବରୁ ରାଜସ୍ବ ନିରୀକ୍ଷକ ନେଉଥିଲେ। ସଂପ୍ରତି ଅନଲାଇନ୍ ହେବା ପରେ ରାଜସ୍ବ ନିରୀକ୍ଷକ ଏବେ  ଆଉ ନେଉନାହାନ୍ତି। ଅନଲାଇନରେ ଚାଷୀ ମାନେ ଉଭୟ ଖଜଣା ଦାଖଲ କରିବାକୁ ଗଲେ ଏହା ହୋଇ ପାରୁନାହିଁ। ଅପରପକ୍ଷରେ ଜମି ଖଜଣା ଓ ଜଳକର ରସିଦ ନଥିଲେ କୃଷକ ପଂଜୀକରଣ ହୋଇ ପାରିବ ନାହିଁ ବୋଲି କୁମୁଲିପୁଟ ଲ୍ୟାମ୍ପ ଶାଖା ନିର୍ଦେଶିକା କହିଥିବା ଚା‌ଷୀ ଅଭିଯୋଗ କରିଛନ୍ତି। ଏହି ସ୍ଥିତିରେ ୨ ମହାପ୍ରଭୁଙ୍କ ଜମି ସହ ୧୩ଜଣ ଚାଷୀଙ୍କର ଶତାଧିକ ଏକର ଜମିର ଧାନ କେଉଁଟି ବିକ୍ରୀ କରିବେ ସେ ନେଇ ଚାଷୀ ମାନେ ଚିନ୍ତାରେ ପଡ଼ିଛନ୍ତି। ଉଭୟ ମହାପ୍ରଭୁଙ୍କ ଧାନ ବିକ୍ରୀ ହେଲେ ‌ଯାଇ ମହାପ୍ରଭୁଙ୍କ ମନ୍ଦିରର ବିଭିନ୍ନ ପୂଜା ଓ ପାର୍ବଣର ଖର୍ଚ୍ଚ କରାଯାଉଛି। ଏହି ସ୍ଥିତିରେ କିଭଳି ମନ୍ଦିର ପରିଚାଳନା ହେବ ବୋଲି ଗ୍ରାମବାସୀ ମାନେ ଚିନ୍ତା ପ୍ରକଟ କରିଥିଲେ।  ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଠି ଦେବାକୁ କୁମୁଲିପୁଟ ଗ୍ରାମବାସୀ ଓଚାଷୀ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର