ମଦ୍ରାସା ପରୀକ୍ଷା‌ ଫଳ ପାସ୍‌ହାର ୮୦.୭୮%

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ମଦ୍ରାସା ପରିଷଦ ଦ୍ୱାରା ପରିଚାଳିତ ମୌଲବି(ଦଶମ), ମାହିର(ଯୁକ୍ତ୨), ଆଲିମ୍‌(ଯୁକ୍ତ୩) ଓ ଫାଜିଲ୍‌(ଏମ୍‌ଏ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୨୦୧୯ରେ ପାସ୍‌ହାର ୭୯.୩୪% ରହିଥିବା ବେଳେ ଏଥର ୮୦.୭୮%କୁ ବୃଦ୍ଧି ପାଇଛି। ଚଳିତବର୍ଷ ୧୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୫୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୌଲବିରେ ୫୨୪ ଜଣ ପରୀକ୍ଷା ଦେଇଥିବା ବେଳେ ୪୧୯ ଜଣ ପାସ୍‌ କରିଛନ୍ତି। ୩୦ ଜଣ ପ୍ରଥମ, ୧୫୯ ଜଣ ଦ୍ୱିତୀୟ, ୧୭୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୮୦% ରହିଛି। ମାହିରରେ ପରୀକ୍ଷା ଦେଇଥିବା ୩୭୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୮ ଜଣ ପ୍ରଥମ, ୭୪ ଜଣ ଦ୍ୱିତୀୟ, ୧୬୯ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ପାସ୍‌ହାର ୭୦% ରହିଛି। ଶେଖ୍‌ ମୁଦାସିର୍‌ ଅହମ୍ମଦ ୫୩୭ ନମ୍ବର ରଖି ଟପର୍‌ ହୋଇଛନ୍ତି।

ଆଲିମ୍‌ ପ୍ରି-ଡିଗ୍ରିରେ ୧୮୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୫୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୮% ହୋଇଛି। ଆଲିମ୍‌ ପ୍ରି-ଡିଗ୍ରି ବ୍ୟାକ୍‌ରେ ଜଣେ ପରୀକ୍ଷା ଦେଇଥିବା ବେଳେ ସେ ପାସ୍‌ କରିଛନ୍ତି। ଆଲିମ୍‌ ଫାଇନାଲ୍‌ ଡିଗ୍ରିରେ ପରୀକ୍ଷା ଦେଇଥିବା ୧୩୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୮ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୯ ଜଣ ପ୍ରଥମ, ୭୨ ଜଣ ଦ୍ୱିତୀୟ, ୧୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୨% ହୋଇଛି। ନୁର ମହମ୍ମଦ ଖାନ୍‌ ୧୨୬୭ ନମ୍ବର ରଖି ‌ଶୀର୍ଷରେ ରହିଛନ୍ତି। ଫାଜିଲ୍‌-ଇ-ହାଦିଥ୍‌ରେ ପରୀକ୍ଷା ଦେଇଥିବା ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୧୫ ଜଣ ପ୍ରଥମ, ୧୨ ଜଣ ଦ୍ୱିତୀୟ ଓ ୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶାହା ନୱାଜ ୬୦୯ ମାର୍କ ରଖି ଟପର୍‌ ହୋଇଛନ୍ତି। ଫାଜିଲ୍‌-ଇ-ଉର୍ଦ୍ଦୁରେ ପରୀକ୍ଷା ଦେଇଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯ ଜଣ ଉତ୍ତୀର୍ଣ୍ଣ ‌ହୋଇଛନ୍ତି। ୧୩ ଜଣ ପ୍ରଥମ, ୩୨ ଜଣ ଦ୍ୱିତୀୟ ଓ ୧୪ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ମହମ୍ମଦ ଜିଆଉର ରେହମାନ ୫୫୯ ନମ୍ବର ରଖି ଟପର୍‌ ହୋଇଛନ୍ତି।

ଭୁବନେଶ୍ୱର ୟୁନିଟ୍‌-୯ସ୍ଥିତ ଉର୍ଦ୍ଦୁ ଭବନରେ ମଧ୍ୟାହ୍ନରେ ଆ‌‌‌ୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ପରିଷଦ ସଭାପତି ତଥା ମାଧ୍ୟମିକ ଶିକ୍ଷା ନିର୍ଦେଶକ ପ୍ରଦୀପ କୁମାର ଦାସ, ପ୍ରାଥମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ଯୁଗ୍ମ ନିର୍ଦେଶିକା ତଥା ମଦ୍ରାସା ପରିଷଦର ଉପସଭାପତି ସ୍ନେହାମୟୀ ସେନାପତି, ସମ୍ପାଦକ ଅଦ୍ଦୁର ଜବାର ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର