ଘୁ.ଉଦୟଗିରି: ବୟସ ୬୬ ତଥାପି ହାର ମାନି ନାହାନ୍ତି। ନିଜ ପାଇଁ ନିଜେ ସ୍ବାବଲମ୍ବନର ବାଟ ବାଛିଛନ୍ତି। ପର କାନ୍ଧରେ ବୋଝ ହେଲେ ଜୀବନର ମାନେ କିଛି ନାହିଁ ବୋଲି ଭାବୁଛନ୍ତି ସେ। ତେଣୁ ଏବେ ବି ଚଳଚଞ୍ଚଳ ଅଛନ୍ତି। ନିଜ ଜମିରେ ନିଜେ କଷ୍ଟ ପଡି ଜୈବିକ ଉପାୟରେ ଅମଳ ଫସଲକୁ ବିକ୍ରିକ କରି ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବୟସ ସମ୍ପୂର୍ଣ୍ଣ ତାଙ୍କ ନିକଟରେ ହାର ମାନିଛି। ସେ ହେଲେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ.ଉଦୟଗିରି ବ୍ଲକର କତିଙ୍ଗିଆ ପଞ୍ଚାୟତ ର ଡାମିଗୁଡା ଗ୍ରାମର ମାଧବ ପ୍ରଧାନ।

Advertisment

ମାଧାବ ଜାତିରେ ଆଦିବାସୀ। କର୍ମ ତାଙ୍କର ଚାଷବାସ କରି ପେଟ ପୋଷିବା। ମୁଣ୍ଡର ଚୁଟି ପାଚିଲାଣି ଦେହର ଚର୍ମ ମୋଡି ହୋଇଗଲାଣି ତଥାପି ଦିନକୁ ୧୦ଘଣ୍ଟା ନିଜ ଚାଷ ଜମିରେ ବିଭିନ୍ନ କିସମର ପନିପରିବା ଚାଷ କରୁଛନ୍ତି। ପୁଣି ଜୈବିକ ପଦ୍ଧତିରେ। ଚାଷ ପରେ ନିଜ ଜମିରେ ଉତ୍ପାଦିତ ପନିପରିବାକୁ ସ୍ଥାନୀୟ ଘୁ.ଉଦୟଗିରି ବଜାରକୁ ଆଣି ବିକ୍ରି କରନ୍ତି। ନିଜ ଜମିରେ ବିନ୍ସ,ଫୁଲକୋବି, ଟମାଟୋ, ମଟର,ବନ୍ଧାକୋବି, ଖୋଶଳା ଶାଗ,ଧନିଆ ପତ୍ର ଚାଷ କରି ସକାଳୁ ବଜାରକୁ ବାହାରନ୍ତି।

କହିବାକୁ ଗଲେ ମାଧବ ଏକା ଧାରାରେ ଚାଷୀ ଏବଂ ବେପାରୀ। ମାଧବ ନିଜ ପ୍ରତିକ୍ରିୟା ରେ କହିଛନ୍ତି କର୍ମ ହିଁ ଭଗବାନ। ନିଜ କର୍ମ ନ କଲେ ଅପାରଗ ହୋଇ କର୍ମ କୁଢ଼ିଆ ହୋଇ ଅନ୍ୟ ଉପରେ ଭରସା ହେଲେ ଜୀବନର ସ୍ବାଦ ମିଳେନା। ମାଧବଙ୍କ ୫ପୁଅ ଗୋଟିଏ ଝିଅ। ସମସ୍ତ ପୁଅ ଚାଷବାସ କରୁଛନ୍ତି। ପୁଅ ମାନେ ନିଜେ ନିଜର ଚାଷ କାର୍ଯ୍ୟ କରୁଛନ୍ତି। ମାଧବ ସାନ ପୁଅ ପାଖରେ ରହି ନିଜ ଚାଷ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ପରିଣତ ବୟସରେ ତାଙ୍କ ଜୀବନ ଶୈଳୀ, ତାଙ୍କ ପରିଶ୍ରମ, ତାଙ୍କ ଯୁବ ସୁଲଭ ଏହି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ଯୁବ ଗୋଷ୍ଠୀ ପଥ ଭ୍ରଷ୍ଟ ହୋଇ ଚାଷ ପ୍ରତି ବିମୁଖ ହେଉଥିବା ବେଳେ ମାଧବଙ୍କ ଭଳି ଜଣେ ବୟୋବୃଦ୍ଧ ଚାଷକୁ ଆଦରି ଚାଷୀ ସହ ବେପାରୀ ହୋଇପାରିଛନ୍ତି। ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାର ଯୁବ ଗୋଷ୍ଠୀ ବାହାର ରାଜ୍ୟକୁ ଦାଦନ ଖଟବାକୁ ଯାଉଥିବାବେଳେ ମାଧବ ସେମାନଙ୍କ ପାଇଁ ଉଦହାରଣ ସାଜିଛନ୍ତି। ନିଜ ଜମିରେ ଖଟି ନିଜେ ଆୟ କରିବା ସେ ଶିଖିଛନ୍ତି। ତାଙ୍କ ୫ପୁଅଙ୍କୁ ମଧ୍ୟ ଚାଷ କାର୍ଯ୍ୟରେ ନିୟୋଜିତ କରି କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେଇ ଶିକ୍ଷା ଦେଇଛନ୍ତି। ମାଧବଙ୍କ ସମସ୍ତ ୫ପୁଅ ନିଜ ବାପାଙ୍କ ପଦାଙ୍କ ଅନୁସରଣ କରି ନିଜେ ଚାଷୀ ନିଜେ ବେପାରୀ ହୋଇଛନ୍ତି। ବର୍ତ୍ତମାନର ଯୁବ ପିଢ଼ି ମାଧବଙ୍କଠାରୁ ବହୁ କିଛି ଶିଖିବା ଆବଶ୍ୟକ। ଆଜିର ସମାଜରେ ମାଧବ ସମଗ୍ର ସମାଜ ପାଇଁ ଏକ ଉଦାହରଣ।