କିଟ୍‌ ଲ’ ସ୍କୁଲ୍‌ରେ ମଧୁସୂଦନ ଚେୟାର, ଗବେଷଣା କେନ୍ଦ୍ର

‘ଆଇନ୍‌ ଛାତ୍ରଛାତ୍ରୀମାନେ ମଧୁବାବୁଙ୍କ ପଦାଙ୍କ ଅନୁସରଣ କରନ୍ତୁ’

ଭୁବନେଶ୍ୱର : ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଚେୟାର ଓ ଗବେଷଣା କେନ୍ଦ୍ର ଉଦ୍‌ଘାଟନ ଦ୍ୱାରା ମଧୁବାବୁଙ୍କ ଜୀବନୀରେ ଯୋଡ଼ି ହୋଇଯାଇଛି ଆଉ ଏକ ଅଧ୍ୟାୟ। ଏଭଳି ଏକ ଚେୟାର ପ୍ରତିଷ୍ଠା ମଧୁବାବୁଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ବୋଲି ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। କିଟ୍‌ ଆଇନ୍‌ ବିଦ୍ୟାଳୟରେ ଆଜି ମଧୁସୂଦନଙ୍କ ଜୟନ୍ତୀ ପାଳନ ଅବସରରେ ମଧୁସୂଦନ ଚେୟାର ଓ ଗବେଷଣା କେନ୍ଦ୍ର ଉଦ୍‌ଘାଟନ ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏପରି ଏକ ଗବେଷଣା କେନ୍ଦ୍ରର ସଫଳତା କାମନା କରିଛନ୍ତି। ଏହି ଚେୟାର ଦ୍ୱାରା କିଟ୍‌ ଲ’ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ। ଅନ୍ୟ ଛାତ୍ରଛାତ୍ରୀ ଓ ଗବେଷକମାନେ ମଧୁବାବୁଙ୍କ ଉପରେ ଅଧିକ ଗବେଷଣା ପାଇଁ ସୁଯୋଗ ପାଇପାରିବେ। ଯେଉଁ ଛାତ୍ରଛାତ୍ରୀ ଆଇନ୍‌ଜୀବୀ ହେବାକୁ ଇଚ୍ଛା କରୁଛନ୍ତି ସେମାନେ ମଧୁବାବୁଙ୍କ ପଦାଙ୍କ ଅନୁସରଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।

ଏହି ଗବେଷଣା କେନ୍ଦ୍ର ଜରିଆରେ ମଧୁବାବୁଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ଅଧିକ ଅଧ୍ୟୟନ ଓ ଗବେଷଣା କରାଯିବ। ମଧୁବାବୁ ଓଡ଼ିଶାର ପ୍ରଥମ ଆଇନ୍‌ ଛାତ୍ର ଓ ପ୍ରଥମ ବାରିଷ୍ଟର ହୋଇଥିବା ବେଳେ ଓଡ଼ିଶାର ଶିକ୍ଷା ଓ ନାରୀ ଶିକ୍ଷାର ବିକାଶ ପାଇଁ ଅନେକ କିଛି କରିଯାଇଛନ୍ତି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ଓଡ଼ିଆଙ୍କ ଉତ୍‌ଥାନ ଦିଗରେ ମଧୁବାବୁ ଯେଉଁସବୁ କାର୍ଯ୍ୟ କରିଯାଇଛନ୍ତି ତାହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ମତ ଦେଇଥିଲେ। ସ୍ୱାଗତ ଭାଷଣ ଦେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ମଧୁବାବୁ ଯୁବ ସମାଜ ପାଇଁ ଜଣେ ଆଦର୍ଶ ହୋଇଥିବାରୁ କିଟ୍‌ ଲ’ ସ୍କୁଲ୍‌ ଅଧୀନରେ ଏଭଳି ଏକ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାର ଯଥାର୍ଥତା ରହିଥିବା ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। କିଟ୍‌ ଆଇନ୍‌ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ନିର୍ମଳକାନ୍ତି ଚକ୍ରବର୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଡ. ବିମଳେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଉତ୍କଳ ଗୌରବ ମଧୁସୂଦନ ଦାସ’ ପୁସ୍ତକର ହିନ୍ଦୀ ଅନୁବାଦ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସବିତା ଦାସ ଏହାର ହିନ୍ଦୀ ଅନୁବାଦ କରିଥିବା ବେଳେ ବିଶ୍ୱମୁକ୍ତି ପ୍ରକାଶନ ପକ୍ଷରୁ ପୁସ୍ତକଟି ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର