‘ସମ୍ବାଦ’ ଖବରକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ରିଟ୍ବିଟ୍‌: ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସର୍ଜରି ୱାର୍ଡରେ ମଧୁ

କାଳିଆପାଣି : ‘ସମ୍ବାଦ’ରେ ଗତକାଲି ପ୍ରକାଶିତ ‘ରୋଗଶଯ୍ୟାରେ ଅଙ୍ଗନବାଡ଼ି କର୍ମୀଙ୍କ ସ୍ବାମୀ’ ଶୀର୍ଷକ ଖବରକୁ ଜଣେ ସାମାଜିକ କର୍ମୀ ମନୋଜ ଜେନା ଟ୍ବିଟ୍‌ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ରିଟ୍ବିଟ୍‌ କରାଯାଇଛି। ତ୍ବରିତ ସହାୟତା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଥିବା ନେଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ଜେନାଙ୍କଠାରୁ ସୂଚନା ମିଳିଛି।

ସରକାରଙ୍କ ଫୋକସ୍‌ରେ ଥିବା ନଗଡ଼ା ମୌଜାର ପଡ଼ୋଶୀ ଜୁଆଙ୍ଗ ବସ୍ତି ତୁମୁଣି ଗାଁର ଅଙ୍ଗନବାଡ଼ି କର୍ମୀ ଚେମ ପ୍ରଧାନଙ୍କ ସ୍ବାମୀ ମଧୁସୂଦନ ପ୍ରଧାନ(୪୫) ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଏ ପ୍ରସଙ୍ଗକୁ ନେଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିରଞ୍ଚି ନାରାୟଣ ବାରିକଙ୍କ ନିର୍ଦେଶକ୍ରମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ ତ୍ବରିତ ପଦକ୍ଷେପ ନେଇଛନ୍ତି। ଗତକାଲିଠାରୁ ମଧୁଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇ ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ଓ ତଳିପେଟରେ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ନେଇ ଅଲଟ୍ରାସାଉଣ୍ଡ୍‌ ରିପୋର୍ଟରୁ ଜଣାପଡ଼ିଛି। ମଧୁ ଗତ କିଛିମାସ ଧରି ରୋଗଗ୍ରସ୍ତ ହୋଇ ନିଜ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଢାରସ୍ଥିତ ଶ୍ବଶୁରଘରେ ପାରମ୍ପରିକ ଜଡ଼ିବୁଟି ଓ ଝଡ଼ାଫୁଙ୍କା ଚିକିତ୍ସା ଜାରି ରଖିଥିଲେ। ରୋଗ ବଢ଼ିଯିବାରୁ ସପ୍ତାହକ ତଳେ ସେ ତୁମୁଣି ଫେରିଥିଲେ।

ଗତକାଲି ଖବର ପ୍ରକାଶନର କିଛି ଘଣ୍ଟା ମଧ୍ୟରେ ସ୍ବତନ୍ତ୍ର ଡାକ୍ତରୀ ଦଳ ସହାୟତାରେ ତୁମୁଣି ଗାଁର ଅଙ୍ଗନବାଡ଼ି କର୍ମୀ ଚେମ ପ୍ରଧାନଙ୍କ ସ୍ବାମୀ ମଧୁସୂଦନଙ୍କୁ ଉଦ୍ଧାର କରାଯାଇ ଓମ୍‌ବାଡ୍‌ସି ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ଜେନାଙ୍କ ତତ୍ତ୍ବାବଧାନରେ ଏହି ଡାକ୍ତରୀଦଳ ତାଙ୍କୁ ନଗଡ଼ା ଉପକଣ୍ଠ ନାଲିଆଡାବରୁ ଉଦ୍ଧାର କରିଥିଲା। ଏହା ପୂର୍ବରୁ ମଧୁ ୪ କିଲୋମିଟର ଦୂରରୁ ଗ୍ରାମବାସୀଙ୍କ ସହାୟତାରେ ନାଲିଆଡାବ ପହଞ୍ଚିଥିଲେ। ମଧୁଙ୍କୁ ତ୍ବରିତ ସରକାରୀ ସ୍ବାସ୍ଥ୍ୟସେବା ମିଳିଥିବାରୁ ଗ୍ରାମବାସୀ, ସାମାଜିକ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଚେମ ପ୍ରଧାନ ‘ସମ୍ବାଦ’କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର