କଟକ : ‌ଉତ୍କଳ ଜନନୀର ଗୌରବ, ଉତ୍କଳ ପ୍ରଦେଶର ଉତ୍କର୍ଷ ହେଉଛନ୍ତି ମଧୁସୂଦନ ଦାସ। ଉତ୍କଳର ଅସ୍ମିତା ହେଉଛି ଭାରତର ଅସ୍ମିତା। ଭାରତର ଅସ୍ମିତା ହେଉଛି ଉତ୍କଳର ଅସ୍ମିତା। ଏହି ଦୁଇଟିକୁ ଏକ କରିବା ପାଇଁ ପ୍ରୟାସ କରିଥିବା ନାମ ହେଉଛି ମଧୁସୂଦନ ଦାସ। କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧୁବାବୁଙ୍କ ପ୍ରତି ଏଭଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisment

ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁ ଜୟନ୍ତୀ

publive-image

କଟକ ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ମହମ୍ମଦ କମରୁଲ ହୁସେନ୍‌ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଭାଷା ଓ ଭୂଗୋଳକୁ ନେଇ ମଧୁସୂଦନ ଦାସ ଗଢ଼ିଥିବା ନୂତନ ଓଡ଼ିଶାର ଭାବରାଜ୍ୟକୁ ବିସ୍ତାରିତ କରି ବୃହତ୍ତର ଓଡ଼ିଶା ଭାବରାଜ୍ୟ ଗଠନ କରିବାକୁ ହେବ। ତେବେ ଗୋଟିଏ ଜାତି ଗଠନ ପାଇଁ ଯୋଉ ଉପାଦାନ ଗୁଡ଼ିକ ଲୋଡ଼ା ସେଥିରୁ କେତେ ଉପାଦାନକୁ ଆମେ ଅକ୍ଷୁଣ୍ଣ ରଖିପାରିଛୁ ବୋଲି ସେ ପ୍ରଶ୍ନ କରିଥିଲେ। ଆମ ଭାଷାରେ କଥା ହେଉଥିବା ବହୁ ଅଞ୍ଚଳ ଓଡ଼ିଶା ବାହାରେ ରହିଯାଇଥିବା ଦୃଷ୍ଟିରୁ ସେଗୁଡ଼ିକୁ ଫେରାଇଆଣିବା ହୁଏତ ସହଜ ନୁହେଁ। ସେହିପରି ଆଜିକାଲି ସଫଳ ସମର୍ଥ ଓଡ଼ିଆ ଯୁବବର୍ଗ ମଧ୍ୟ ବହୁସଂଖ୍ୟାରେ ରାଜ୍ୟ ବାହାରେ ରହୁଛନ୍ତି। ଏବେ ପ୍ରତ୍ୟେକ ଓଡ଼ିଆ ଆଧୁନିକ ଜ୍ଞାନ କୌଶଳକୁ ଆଧାର କରି ବିଶ୍ବବ୍ୟାପୀ ଜଗନ୍ନାଥଙ୍କୁ ନେଇ ସୃଷ୍ଟି ହୋଇଥିବା ଓଡ଼ିଆ ଭାବକୁ ନେଇ ଏକ ବୃହତ୍ତର ଓଡ଼ିଶା ଗଠନ କରିବା ଦିଗରେ ଉଦ୍ୟମ କରିବା ଜରୁରୀ। ଭାରତର ଇତିହାସ ସବୁ ସମୟରେ ମଧୁ ବାବୁଙ୍କୁ ସ୍ବୀକୃତି ପ୍ରଦାନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ପ୍ରଫେସର ଡକ୍ଟର ଅଦ୍ବୈତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡକ୍ଟର ନଟବର ଶତପଥୀ, ସମ୍ମିଳନୀର ଯୁଗ୍ମ ସଂପାଦଦକ ଆଇନଜୀବୀ ତାପସ ଦ୍ବିବେଦୀ, ମଞ୍ଜୁଲତା ଜେନା, ମୀରା ବେଉରା, ଉଷା ମହାନ୍ତି, ବସନ୍ତ କୁମାର ନନ୍ଦ, ରକ୍ଷକ ନାୟକ, ବିହଙ୍ଗରାଜ ବିଶ୍ବାଳ, ସଂଜୟ ପରିଜା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ସଭାରେ ସଂଗଠନ ସଂପାଦକ ସଂଜୟ କୁମାର ପରିଜା ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ହୁସେନ୍‌ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମିଳନୀର ସାଧାରଣ ସଂପାଦକ କିଶୋର ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।