ବ୍ରହ୍ମପୁର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଆଜି ‘ସମ୍ବାଦ’ ଓ ‘ଆମଓଡ଼ିଶା’ ପକ୍ଷରୁ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଂଜାମ ଓକିଲ ସଂଘ କାର୍ଯ୍ୟାଳୟ ସମ୍ମୁଖ ଏବଂ ଗାନ୍ଧୀନଗର ଛକ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ମହାନଗର ମୁଖ୍ୟ ପ୍ରମୋଦ ପଟ୍ଟନାୟକଙ୍କ ସଂଯୋଜନାରେ ଅଭିନନ୍ଦନ କଲ୍ୟାଣମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ଯୋଗ ଦେଇ ମଧୁବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଆଙ୍କୁ ସ୍ବାଭିମାନୀ ହେବା ପାଇଁ ଆର୍ଥିକସ୍ତରରେ ଉନ୍ନତି ଉପରେ ଗୁରୁତ୍ବାରୋପ କରିଥିଲେ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନହେଲେ, ସ୍ବାଭିମାନୀ ହୋଇପାରିବା ନାହିଁ, ବିଶ୍ବଦରବାରରେ ନିଜର ସ୍ଥିତି ଜାହିର୍ କରିପାରିବା ନାହିଁ ବୋଲି ମତବ୍ୟକ୍ତ କରିଥିଲେ।

Advertisment

ମୁଖ୍ୟବକ୍ତା ଭାବେ ଐତିହାସିକ ତଥା ଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ୟ ଯୋଗଦେଇ ଓଡ଼ିଶାର ଇତିହାସ ଉପରେ ଆଲୋକପାତ କରି ଏକଦା ପ୍ରତ୍ୟେକ କ୍ଷେତ୍ରରେ ସମୃଦ୍ଧ ଏହି ଓଡ଼ିଆ ଜାତି କିପରି ଖଣ୍ଡ ବିଖଣ୍ଡ ହୋଇଯାଇଥିଲା, ନିଜର ଭୂମି, ଭାଷା ଏବଂ ଭଗବାନଙ୍କୁ ହରାଇ ନିଜର ସତ୍ତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିଲା, ତାହା ପ୍ରକାଶ କରିଥିଲେ। ଓଡ଼ିଆ ଜାତିର ଉତ୍‌ଥାନ ପାଇଁ କିଭଳି ମଧୁବାବୁ ସାରା ଜୀବନ ଉତ୍ସର୍ଗ କରିଦେଇଥିଲେ, ଓଡ଼ିଆଙ୍କ ମଧ୍ୟରେ ସ୍ବାଭିମାନ ଓ ଜାତୀୟତାଭାବ ଜାଗ୍ରତ କରାଇଥିଲେ, ତାହା ବର୍ଣ୍ଣନା କରିଥିଲେ। ଓଡ଼ିଆ କାବ୍ୟ କବିତା ଓ ସାହିତ୍ୟ ବେଶ୍ ସମୃଦ୍ଧ ଥିବା ବେଳେ ପ୍ରଥମେ ମଧୁ ବାବୁଙ୍କ ‌ସାହିତ୍ୟରେ ଜାତି ଓ ଜାତୀୟତା ଭାବ ପ୍ରକାଶ ପାଇଥିବା ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ବ୍ରହ୍ମପୁର ଆଂଚଳିକ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦେଇ ମଧୁବାବୁଙ୍କ ଭିତରେ ଥିବା ମାନସିକତାକୁ ନିଜର ଦୃଷ୍ଟିଭଂଗୀରେ ଉପସ୍ଥାପନ କରି ସେ କିଭଳି ଓଡ଼ିଆ ଜାତିର ଉତ୍‌ଥାନ ପାଇଁ ସ୍ବପ୍ନ ଦେଖୁଥିଲେ, ଏବଂ ତା’କୁ ପୂରଣ ପାଇଁ ସମସ୍ତପ୍ରକାର ଉଦ୍ୟମ କରୁଥିଲେ ତାହା ପ୍ରକାଶ କରିଥିଲେ। ଏଥିସହ ମଧୁ ବାବୁଙ୍କ ଉଦ୍ୟମରେ ସୁଧାଂଶୁ ବାଳା ୧୯୨୪ମସିହାରେ ଓଡ଼ିଶାର ପ୍ରଥମ ମହିଳା ଆଇନଜୀବୀ ହୋଇପାରିଥିଲେ। ତାଙ୍କୁ ଭାରତର ପ୍ରଥମ ମହିଳା ଆଇନଜୀବୀ ଭାବେ ସ୍ବୀକୃତି ପ୍ରଦାନ ପାଇଁ ଭାରତ ସରକାରଙ୍କୁ ପତ୍ର ଲେଖି ନିବେଦନ କରିବାକୁ ପ୍ରସ୍ତାବ ରଖିଥିଲେ। ଏଥିସହ ଆମ ସ୍ବାଭିମାନର ପ୍ରତୀକ ମଧୁ ବାବୁ କିଭଳି ଓଡ଼ିଶା ବାହାରେ ପରିଚିତ ହାସଲ କରିବେ ସେଥିପାଇଁ ଉଦ୍ୟମ ‌କରିବାକୁ ଆହ୍ବାନ ଦେଇଥିଲେ।

‘ସମ୍ବାଦ’ର ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ କୁମାର ପ୍ରଧାନ, ବାର୍ତ୍ତା ବିଭାଗ ମୁଖ୍ୟ ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହସମ୍ପାଦକ ମନୋଜ ସାମଲ୍ ସ୍ବାଗତ ଭାଷଣ, ଗଂଜାମ ଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ, ମହାନଗର ପ୍ରତିନିଧି ଜ୍ଞାନେନ୍ଦ୍ର ନାରାୟଣ ରଥ ମଧୁ ବାବୁଙ୍କ ସଂକ୍ଷୀପ୍ତ ଜୀବନୀ ପାଠ, ବସନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଂଗୀତଜ୍ଞ ଅଶ୍ବିନୀ କୁମାର ମହାପାତ୍ର ପ୍ରାରମ୍ଭିକ ଏବଂ ଉଦ୍‌ଯାପନୀ ସଂଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ବେଣୁଧର ସାସମଲ୍ ସହଯୋଗ କରିଥିଲେ। ବ୍ରହ୍ମପୁର ‘ସମ୍ବାଦ’ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଗଣ ଏଥିରେ ଯୋଗ ଦେଇଥିଲେ।