ସରକାରୀ ଆଢ଼ୁଆଳରେ ଜନ୍ମମାଟି ସତ୍ୟଭାମାପୁର : ମଧୁବାବୁଙ୍କ ଗାଁରେ ମିଳୁନି ‘ମଧୁବାବୁ ପେନ୍‌ସନ୍‌’

ସାଲେପୁର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ରାଜ୍ୟ ସରକାର ୨୦୦୮ରୁ ପ୍ରଚଳନ କରିଛନ୍ତି ପେନ୍‌ସନ୍‌ ଯୋଜନା। ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଦିଆଯାଉଥିବା ଏହି ପେନ୍‌ସନ୍‌ ଯୋଜନାରୁ ବଞ୍ଚତ ହୋଇଛନ୍ତି ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଗ୍ରାମବାସୀ। ଖାଲି ପେନ୍‌ସନ୍‌ ନୁହେଁ, ସରକାରଙ୍କର ବିଭିନ୍ନ ଯୋଜନାରୁ ବି ବଞ୍ଚତ ହୋଇଆସୁଛନ୍ତି।

କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ଅନ୍ତର୍ଗତ ଏହି ଗ୍ରାମ ସତ୍ୟଭାମାପୁରରେ ମଧୁବାବୁଙ୍କ ସ୍ମୃତି କାଳେକାଳେ ଉଜ୍ଜୀବିତ ହୋଇରହିଛି। ତେବେ, ଗାଁର ପାରିପାର୍ଶ୍ୱିକ ସ୍ଥିତିରେ କୌଣସି ଏଯାଏଁ କୌଣସି ପରିବର୍ତ୍ତନ ହୋଇନାହିଁ। ତା’ ଭିତରେ ସରକାରୀ ଅଣହେଳାର ଶିକାର ହୋଇ ଆସୁଛନ୍ତି ଗରିବ ଲୋକମାନେ। ବିଭିନ୍ନ ଯୋଜନା କଥା ବାଦ୍‌ ଦିଆଯାଉ, ମଧୁବାବୁଙ୍କ ନାମରେ ନାମିତ ପେନ୍‌ସନ୍‌ ଯୋଜନାରୁ ବି ବଞ୍ଚତ ହୋଇଆସୁଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗ୍ରାମର ବିଧବା ମହିଳା ଶଶି ଦାସ। ଶଶିଙ୍କୁ ଏବେ ୭୧ବର୍ଷ। ଅଦ୍ୟାବଧି ତାଙ୍କୁ ମଧୁବାବୁ ପେନ୍‌ସନ୍‌ କିମ୍ବା ଅନ୍ୟ କୌଣସି ଭତ୍ତା ଯୋଜନାରେ ସାମିଲ୍‌ କରାଯାଇ ନାହିଁ। ଶଶି ଦାସଙ୍କ ସୂଚନା ମୁତାବକ ୧୯୯୯ ମହାବାତ୍ୟା ପୂର୍ବରୁ ତାଙ୍କର ସ୍ୱାମୀ ବୃନ୍ଦାବନ ଦାସ ମୃତ୍ୟୁବରଣ କରିଛନ୍ତି। ସେ ବହୁବାର ବିଧବା ଭତ୍ତା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଥିଲେ ମଧ୍ୟ ଏହି ଗରିବ ବିଧବା ମହିଳାଙ୍କର ଦୁଃଖ କେହି ଶୁଣିନାହାନ୍ତି। ସେହିପରି ବିଧବା ମହିଳା ସୁଲୋଚନା ଭୋଇଙ୍କୁ ୬୬ବର୍ଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ଭତ୍ତା ମିଳିନାହିଁ।

ସୁଲୋଚନାଙ୍କ କହିବା ଅନୁସାରେ ୨୦୦୧ ମସିହାରୁ ତାଙ୍କର ସ୍ୱାମୀ ବାବାଜୀ ଚରଣ ଭୋଇ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କୁ ଭତ୍ତା ଯୋଜନାରେ ସାମିଲ୍‌ କରାଯାଇନାହିଁ। ସେହିପରି ଉକ୍ତ ଗ୍ରାମର ବୁଲି ସାମଲକୁ ୭୩ବର୍ଷ ହୋଇଥିଲେ ବି ଏବେ ସୁଦ୍ଧା ତାଙ୍କୁ ଭତ୍ତା ଯୋଜନାରେ ସାମିଲ୍‌ କରାଯାଇନାହିଁ। ଏପରିକି ଏହି ଗରିବ ବୁଲି ଏବେ ଏକ ନୁଅାଁଣିଆ ଚାଳଘରେ ନିଜର ସ୍ୱାମୀ ସହ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ତାଙ୍କ ପରିବାରର କେହି ନାହାନ୍ତି। ସେହିପରି ବିଧବା ମହିଳା ବାସନ୍ତୀ ସାମଲଙ୍କୁ ୬୫ବର୍ଷ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାଙ୍କୁ ବିଧବା ଅଥବା ବାର୍ଦ୍ଧକ୍ୟ ଭତ୍ତାରେ ସାମିଲ କରାଯାଇନାହିଁ। ଉକ୍ତ ଗ୍ରାମର ପ୍ରମୋଦ ଦାସ (୬୬), ବାସୁଦେବ ନାଥ (୬୬), ରାମଚନ୍ଦ୍ର ଭୋଇ (୬୩), ଅରିକ୍ଷିତ ନାଥ (୬୪), ମୁରଲୀଧର ବେହେରା (୬୫), କଲ୍ୟାଣୀ ସାମଲ (୬୩), କାଞ୍ଚନ ସାମଲ (୬୬), ନବକିଶୋର ନାୟକ (୬୭), ଦୁର୍ଯ୍ୟୋଧନ ଓଝା (୭୦), ସୁକଦେବ ସାହୁ (୬୭), ନେତ୍ରାନନ୍ଦ ନାଥ (୬୧), ଭିକାରୀ ସାମଲ ଙ୍କୁ ୬୮ବର୍ଷ ହୋଇଥିଲେ ମଧ୍ୟ କାହାରିକୁ ଅଦ୍ୟାବଧି ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ୍‌ କରାଯାଇନାହିଁ। ସେହିପରି ବିଧବା ମହିଳା ମିନି ସାମଲଙ୍କୁ ଅଦ୍ୟାବଧି ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ମିନିଙ୍କ ସୂଚନା ଅନୁଯାୟୀ ତାଙ୍କର ସ୍ୱାମୀ ଅନୁ ସାମଲ ପ୍ରାୟ ଦେଢ଼ବର୍ଷ ତଳେ ମୃତ୍ୟୁବରଣ କରିଛନ୍ତି। ସେ ବହୁବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ପର୍ଯ୍ୟନ୍ତ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଇବା ପାଇଁ ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି।

ଏହିଭଳି ଭାବରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର ଗ୍ରାମରେ ବହୁ ବୃଦ୍ଧ,ବୃଦ୍ଧା ଓ ବିଧବା ଭତ୍ତାଯୋଜନାରୁ ବଞ୍ଚତ ରହି ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସତ୍ୟଭାମାପୁର ଗ୍ରାମର ରାସ୍ତାର ଅବସ୍ଥା ବି ଶୋଚନୀୟ ହୋଇପଡ଼ିଥିବା ବେଳେ ଏହି ସବୁ ରାସ୍ତାଗୁଡ଼ିକୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ୍‌ କରାଯାଇ କଂକ୍ରିଟ କରଣ କରାଯାଉନଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାର ଅବସ୍ଥା ଯୋଗୁ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର