ରାୟଗଡ଼ା: ସ୍ଥାନୀୟ ବିବେକାନନ୍ଦ ବିଦ୍ୟା ମନ୍ଦିର ସଭାଗୃହରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ.ଦୁଷ୍ଣନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସୁଶାନ୍ତ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଦ୍ବିତୀ ଚନ୍ଦ୍ର ସାହୁ, ଡ.ବିଜୟ କୁମାର ଚୌଧୁରୀ, ସୁବ୍ରତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀମାନେ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରି କହିଥିଲେ ଯେ ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁ ଥିଲେ ଜଣେ ମାତ୍ର ସିପାହୀ। ତାଂକର ପ୍ରଚେଷ୍ଟାରେ ଆଜି ଓଡିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇପାରିଛି। ସେ ପ୍ରାଣତ୍ୟାଗ କରିବାରୁ ଦୁଇ ବର୍ଷ ପରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ସେ ସ୍ବତନ୍ତ୍ର ଓଡିଶାକୁ ଦେଖିପାରିନଥିଲେ ସତ କିନ୍ତୁ ତାଂକରି ଉଦ୍ୟମ ଯୋଗୁଁ ଆଜି ଓଡିଆଙ୍କ ଭାଷା, ସଂସ୍କୃତି ଏବଂ ପରଂପରା ବଞ୍ଚି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ମଧୁବାବୁଙ୍କର ବହୁ ଅକୁହା କଥା ସବୁ କହିଥିଲେ, ଯାହାକୁ ପିଲାମାନେ ଅତି ଶୃଙ୍ଖଳାର ସହ ଗ୍ରହଣ କରିବା ସହ ନିଜ ଜୀବନରେ ତାଂକ ପଥକୁ ଅନୁକରଣ କରିବାକୁ କୁହାଯାଇଥିଲା। ଅନ୍ୟ ଅତିଥିମାନେ ମଧ୍ୟ ମଧୁବାବୁଙ୍କ ଜୀବନର ପ୍ରତ୍ୟେକ ସଫଳତା ପଛର କାହାଣୀ ବଖାଣିବା ସହ ପିଲାଙ୍କୁ ମଧୁବାବୁଙ୍କ ପରି ଜଣେ ଜଣେ ବାରିଷ୍ଟର ହେବାକୁ ଉପଦେଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ରାୟଗଡ଼ା ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା ପରିଚାଳନା କରିଥିବା ବେଳେ ଧିରେନ୍ଦ୍ର ମିଶ୍ର, ଦିଲୀପ କୁମାର ପ୍ରଧାନ, ତ୍ରିବେଣୀ ମିଶ୍ର, ସଂଯୁକ୍ତା ପାଇ, ମାନସୀ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନୀଳମଣି ପାଟଯୋଶୀ, ପ୍ରଶାନ୍ତ ସାହୁ, ମଞ୍ଜୁଶ୍ରୀ ମୁଖାର୍ଜୀ, ପ୍ରଶାନ୍ତି ସାହୁ, ମନୋଜ ପଢିଆରୀ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।