ପୁରୀ : ପୁରୀରେ ଚିନ୍ତା ବଢ଼ାଇଲାଣି ମଧୁର ଜଳ ସଙ୍କଟ। ଭୂତଳ ଜଳ ସଂକ୍ରମିତ, ଲବଣାକ୍ତ। ବଳିଆପଣ୍ଡା ଅଞ୍ଚଳରେ ୪୦ ପ୍ରତିଶତ ଜଳ ଲବଣାକ୍ତ ହୋଇସାରିଲାଣି। ଏ ଜଳ ପାଟିରେ ବି ଦେଇ ହେଉନାହିଁ। ମଧୁର ଜଳରେ ସମୁଦ୍ର ଜଳ ସଂକ୍ରମଣ ‌ଯୋଗୁଁ ଏଭଳି ଭୟଙ୍କର ସ୍ଥିତି ଉପୁଜିଛି। ସହରରେ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ଓ ମଧୁର ଜଳ ସଂରକ୍ଷିତ ଅଞ୍ଚଳ‌ରେ ବେଆଇନ ନିର୍ମାଣ ଯୋଗୁଁ ଏଭଳି ସଙ୍କଟ ଦେଖାଦେଇଛି। ଆଗାମୀ କିଛି ବର୍ଷ ମଧ୍ୟରେ ପୁରୀରେ ମଧୁର ଜଳ ଟୋପାଏ ପାଇବା ସ୍ବପ୍ନ ହୋଇଯିବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ମାତ୍ର ପୁରୀ ପ୍ରଶାସନ, ଜନସ୍ବାସ୍ଥ୍ୟ ବିଭାଗ ଏଭଳି ଏକ ପ୍ରସଙ୍ଗକୁ ଅତି ହାଲୁକା ଭ‌ାବେ ନେଉଛି। ମନଇଚ୍ଛା ଭୂତଳ ଜଳ ଉତ୍ତୋଳନ କରୁଥିବା ‌ବାଣିଜ୍ୟିକ ପ୍ରତିଷ୍ଠାନ ଓ ହୋଟେଲ ଶିଳ୍ପ ଉପରେ ଲଗାମ ଲଗାଯାଉନାହିଁ। ଏହା ଉପରେ ରୋକ୍‌ ନଲାଗିଲେ ଖ‌ରାଦିନ ଶୁଖିଲ‌ା ପଡୁଥିବ‌ା ଶ୍ରୀମନ୍ଦିର ଗଂଗା ଯମୁନ‌ା କୂଅ ମଧ୍ୟ ଲବଣାକ୍ତ ‌ହୋଇଯିବ। ପୁରୀବାସୀ ଓ ମହାପ୍ରଭୁ ଲବଣାକ୍ତ ଜଳରେ ରନ୍ଧା ଭୋଗ ଖାଇବେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି।

Advertisment

publive-image www.touchrwanda.com

ପ୍ରକାଶ ଯେ, ପୁରୀ ସମୁଦ୍ରକୂଳ ଅଞ୍ଚଳରେ ମଧୁର ଜଳର ସଙ୍କଟ ପଡିପାରେ। ଏଭଳି ଆଶଙ୍କାକୁ ନଜରରେ ରଖି ଦୁଇ ଶହ ବର୍ଷ ତଳେ ବ୍ରିଟିସ ଶାସନ କାଳରେ ପୁରୀର ତ‌ାଳବଣିଆ ଓ ବଳିଆପଣ୍ଡା ଅଞ୍ଚଳରେ ପ୍ରାୟ ୭୦୫ ଏକର ଜମିକୁ ମଧୁର ଜଳ ଅଞ୍ଚଳ ବା ସୁଇଟ ୱାଟର ଜୋନ୍‌ ଭାବେ ସଂରକ୍ଷିତ ରଖା ଯାଇଥିଲା। ଏହି ଜୋନ୍‌ରେ ଆସୁଥିବା ଜମି କିଣାବିକା ହୋଇପାରିବ ନାହିଁ କିମ୍ବା‌ ଏଠାରେ କୌଣସି ନିର୍ମାଣ ହେବ ନାହିଁ । ଏ ନେଇ କଡ଼ା ନିୟମ ମଧ୍ୟ ପ୍ରଣୟନ କରାଯାଇଥିଲା। ମାତ୍ର ଗତ ୩୦ ବର୍ଷ ଭିତରେ ପୁରୀର ସଂରକ୍ଷିତ ମଧୁର ଜଳ ଅଞ୍ଚଳରୁ ପ୍ରାୟ ଅଧା ଏବେ ଜବରଦଖଲରେ ରହିଛି। ବେଆଇନ କୋଠା ନିର୍ମାଣ ହୋଇଛି। କିଛି ଜମିକୁ ସ୍ଥତିବାନ କରି ଦିଆଯାଇଛି। ତାଳବଣିଆର ୪୪୮ ଏକର ସଂରକ୍ଷିତ ଜମିରୁ ୧୩୨ ଏକର ଉପ‌ଯୋଗ ହୋଇଛି, ନର୍ମାଣ ହୋଇଛି। ବଳିଆପଣ୍ଡ‌ାରେ ମଧ୍ୟ ଅଧାରୁ ଅଧିକ ଜମି ଜବରଦଖଲରେ ରହିଛି। ସେଠାରେ ହୋଟେଲ, କୋଠା ସବୁ ନିର୍ମାଣ ହୋଇଛି। ଏହି କ‌ାରଣରୁ ସଂରକ୍ଷିତ ଅଞ୍ଚଳରେ ଭୂତଳ ଜଳ ରିଚାର୍ଜ ହୋଇପାରୁନାହିଁ। ଗୋଟିଏ ପଟେ ଭୂତଳ ଜଳ ରିଚାର୍ଜ କମିଯବା ଓ ଅନ୍ୟ ପଟେ ମନଇଛା ଭୂତଳ ଜଳ ଉତ୍ତୋଳନ ପୁରୀ ପାଇଁ ବିପଦ ସୃଷ୍ଟି କରିଛି। ଏହି କାରଣରୁ ପୁରୀ ବେଳାଭୂମି କ୍ଷୟ ହେଉଥିବା କୁହାଯାଉଛି। ସମୁଦ୍ର କୂଳ ଲଂଘୁଛି। ଏବେ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଜଳର ଲବଣାକ୍ତ ମାତ୍ରା ବଢିବାରେ ଲାଗିଛି। ବଳିଆପଣ୍ଡା ଅଞ୍ଚଳର ଭୁତଳ ଜଳ ସଂକ୍ରମିତ ବ‌ା ଲବଣାକ୍ତ ହୋଇଗଲାଣି। ମାତ୍ର ପୁରୀ ଜନସ୍ବାସ୍ଥ୍ୟ ବିଭାଗ କେବଳ ନୋଟିସ୍‌ ଦେଇ ଚୁପ୍‌ ହୋଇ ବସି ଯାଇଛି। ଗତ ୨୦୧୭ରେ ଭୂତଳ ଜଳ ଉତ୍ତୋଳନ କରୁଥିବା ୩୭୦ ହୋଟେଲ୍‌ ଓ ଲଜ୍‌କୁ ଜନସ୍ବାସ୍ଥ୍ୟ ବିଭାଗ ନୋଟିସ କରିଥିଲେ ମଧ୍ୟ ଏହାର କିଛି ଫରକ ପଡ଼ିନାହିଁ। ଏବେ ବି ହୋଟେଲ୍‌ ଶିଳ୍ପ ମନଇଚ୍ଛା ଭୂତଳ ଜଳ ଉତ୍ତୋଳନ କରି ଚାଲିଛନ୍ତି। ଭୂତଳ ଜଳ ବୋର୍ଡ ମଧ୍ୟ ଏହାକୁ ନେଇ ଅନେକ ଥର ଉଦ୍‌ବେଗ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ପୁରୀ ପାଇଁ ଦୈନିକ ୩୬ ଏମ୍‌ଏଲ୍‌ଡି ପାଣିର ଆବଶ୍ୟକ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ମାତ୍ର ମାତ୍ର ୨୮ ଏମ୍‌ଏଲ୍‌ଡି ପାଣି ଯୋଗାଇ ଦେଉଛି। ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ଭୂତଳ ଜଳ ଉତ୍ତୋଳନ କରୁଛି। ଆବଶ୍ୟକତା ମେଣ୍ଟାଇବା ପାଇଁ ପୁରୀକୁ ଯୋଗାଣ ହେଉଥିବା ମୋଟ ୨୮ ଏମ୍‌ଏଲ୍‌ଡି ପାଣିରୁ ୯ ଏମ୍‌ଏଲ୍‌ଡି ଭୂତଳ ଜଳ ଶୋଷିବାକୁ ଜନସ୍ବାସ୍ଥ୍ୟ ବିଭାଗ ବାଧ୍ୟ ହେଉଛି। ସେ ପଟେ ନଦୀ ଉତ୍ସରୁ ମିଳୁଥିବା ଜଳ ମଧ୍ୟ ପର୍ଯ୍ୟାପ୍ତ ହେଉନାହିଁ। ପର୍ଯ୍ୟଟନ ସହର ପୁରୀରେ ‌ଜଳ ଯୋଗାଣ ପାଇଁ ବିକଳ୍ପ ବ୍ୟବସ୍ଥା ନଥିବାରୁ ହୋଟେଲ ମ‌ାଲିକ ଏ ନିର୍ଦ୍ଦେଶକୁ ମାନୁନାହାନ୍ତି। ମନଇଚ୍ଛା ଭୂତଳ ଜଳ ଉତ୍ତୋଳନ କରିବାକୁ ବାଧ୍ୟ ହେଉଛନ୍ତି। ‌