ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହୋଇଛନ୍ତି ମାଧୁରୀ ମହାରଣା

ବେଗୁନିଆପଡା: ସମଗ୍ର ବିଶ୍ୱରେ ମହିଳା ସଂଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ବି ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ମହିଳାଙ୍କୁ ସଂଗଠିତ କରି ସେମାନଙ୍କ ଆର୍ଥିକ ବିକାଶରେ ନିଜକୁ ଉତ୍ସର୍ଗ କରିଛନ୍ତି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଂକୁଡ଼ା ପଞ୍ଚାୟତର ମାଧୁରୀ ମହାରଣା।
କାଳୀଚରଣ ମହାରଣାଙ୍କ ଝିଅ ମାଧୁରୀ ଶେରଗଡ଼ରେ ଯୁକ୍ତ ଦୁଇ ପାଠ ପଢ଼ିବା ପରେ ୨୦୦୨ ମସିହାରେ ତାଳସର ଗ୍ରାମର ଚିତ୍ରକର ତୋଫାନ୍‌ ମହାରଣାଙ୍କୁ ବିବାହ କରିଥିଲେ। ସାଂକୁଡ଼ା ଠାରେ ପରିବାର ସହ ରହିବା ପରେ ପରିବାର ପ୍ରତିପୋଷଣ ପାଇଁ ଅର୍ଥର ଆବଶ୍ୟକତାକୁ ଦୃଷ୍ଟି‌ରେ ରଖି ନିଜେ କିଛି ରୋଜଗାର କରିବାକୁ ଅଣ୍ଟାଭିଡ଼ିଲେ। ମାଧୁରୀ ନିଜେ ନୁହଁ ବରଂ ତାଙ୍କ ଚିନ୍ତାଧାରା ସହ ଗ୍ରାମର ଅନ୍ୟ ମହିଳାଙ୍କୁ ବି ଏଥି‌ରେ ଯୋଡ଼ିଥିଲେ। ନିଜେ ସିଲେଇ କରି ରୋଜଗାର କରିବା ସହ ଅନ୍ୟ ଝିଅଙ୍କୁ ବି ସିଲେଇ କରିବାର ଶିକ୍ଷା ଦେଇଥିଲେ। ୨୦୧୫ ମସିହାରେ ୧୦ ଜଣ ମହିଳାଙ୍କୁ ନେଇ ମା ଅମ୍ବିକା ସ୍ବୟଂସହାୟକ  ଗୋଷ୍ଠୀ ଗଠନ କରି ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରଶାସନର ସହଯୋଗରେ ଆଗକୁ ବଢ଼ିଲେ। ପରବର୍ତ୍ତୀ ସମୟରେ ମାଧୁରୀଙ୍କ ଉଦ୍ୟମରେ ୨୧ଟି ସ୍ବୟଂ ସହାୟକ ଦଳ ଗଠନ ହୋଇଥିଲା। ଆର୍ଥିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ମାଛଚାଷ ଭଳି କାମକୁ ତାଙ୍କ ମହିଳା ସଂଘ ହାତକୁ ନେଇଥିଲା। ଅନ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ବିକାଶ ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ମାଧୁରୀ। କିଛି ମହିଳା ଅନ୍ୟ ବ୍ଲକକୁ ଯାଇ ସିଲେଇ ଓ ଖିଲ ସିଲେଇର ପ୍ରଶିକ୍ଷଣ ନେଇଥିଲେ। ମାଧୁରୀ ଗୋଷ୍ଠୀ ସହାୟିକା ଭାବେ କାର୍ଯ୍ୟ କରି ମହିଳାଙ୍କ ଉତ୍‌ଥାନ ଉପରେ ଗୁରୁତ୍ବ ଦେଇଥିଲେ।
କରୋନା ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସେ ଏବଂ ତାଙ୍କ ସଂଗଠନ ଖାଦ୍ୟ ବଣ୍ଟନ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। କେବଳ ସେତିକି ନୁହେଁ ବ୍ୟାଙ୍କ ସହ ଯୋଗସୂତ୍ର ରକ୍ଷା କରି ପ୍ରତ୍ୟେକ ମହିଳା କିଭଳି ସ୍ବାବଲମ୍ବୀ ହୋଇପାରିବେ ଏବଂ ଋଣ ପାଇପାରିବେ ସେ ଦିଗରେ ବି କାର୍ଯ୍ୟ କରୁଛନ୍ତି ମାଧୁରୀ। ମାଧୁରୀଙ୍କ ପ୍ରଚେଷ୍ଟା ଓ ଦିଗ୍‌ଦର୍ଶନରେ ଅନ୍ୟ ମହିଳା ସ୍ବୟଂସହାୟକ ଦଳ ଗୁଡିକ ବି ସ୍ବାବଲମ୍ବୀ ହୋଇପାରିଛନ୍ତି। କେବଳ ଆର୍ଥିକ ବିକାଶ କ୍ଷେତ୍ରରେ ନୁହଁ ବରଂ ସାମାଜିକ ସ୍ତରରେ ବି ମହିଳା ସଦସ୍ୟାଙ୍କୁ ନେଇ କାମ କରି ପ୍ରଶଂସିତ ହୋଇଛନ୍ତି। ସ୍ବଚ୍ଛଭାରତ ଯୋଜନାରେ ଲୋକଙ୍କୁ ପାଇଖାନାର ବ୍ୟବହାର ସମେତ ପରିବେଶକୁ ସଫା ସୁତରା ରକ୍ଷା କରିବା ଦିଗରେ ସଚେତନ ସୃଷ୍ଟି କରି ଉଦାହାରଣ ସୃଷ୍ଟି କରିଛନ୍ତି।
ଜିଲ୍ଲା ସ୍ତରରେ ଭଲ ମହିଳା ସ୍ବୟଂସହାୟକ ଦଳର ପରିଚୟ ପାଇଥିବା ବୁରୁଝରୀସ୍ଥିତ ମା ଆଦ୍ୟାଶକ୍ତି ଏସ୍‌ଏଚ୍‌ଜିର ସଦସ୍ୟା ରହିଛନ୍ତି। ଏହି ଏସ୍‌ଏଚ୍‌ଜି ଅଙ୍ଗନବାଡ଼ି ପିଲାଙ୍କ ପାଇଁ ପୋଷାକ ସାଂଗକୁ  ମାସ୍କ୍‌ ପ୍ରସ୍ତୁତ କରି ବ୍ଲକକୁ ଯୋଗାଉଛି। ମାଧୁରୀ ବ୍ଲକସ୍ତରୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରଶିକ୍ଷକ ରହିଥିବା ବେଳେ ତାଙ୍କ ପ୍ରଚେଷ୍ଟାରେ ୬୫୦ ଜଣ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି l ବେଗୁନିଆପଡା ବ୍ଲକର ୨୩ଟି ପଂଚାୟତରେ ପ୍ରାୟ ୧୭,୦୦୦  ମହିଳା ବିଭିନ୍ନ ଗୋଷ୍ଠୀରେ ରହି ସ୍ୱାବଲମ୍ବୀ ହୋଇପାରିଥିବା ବେଳେ ମାଧୁରୀଙ୍କ ଚେଷ୍ଟା କିନ୍ତୁ ନିଆରା ରହିଛି l ମାଧୁରୀଙ୍କ ଚିନ୍ତାଧାରା ସହ ବୁରୁଝରୀ ପଂଚାୟତର ଝିଅ ଟିଟୁମା ଜେନା ଓ ଫାଶୀ ପଂଚାୟତର ମହିଳା ମିନତୀ କୁମାରୀ କାମ କରି ଚର୍ଚ୍ଚାରେ ରହିଛନ୍ତି।
ସମ୍ବନ୍ଧିତ ଖବର