ବ୍ରହ୍ମପୁର: ବ୍ରହ୍ମପୁର ଝିଅ ମଧୁସ୍ମିତା ପାତ୍ର ପର୍ବତାରୋହଣରେ ଆଉ ଏକ ସଫଳତା ହାସଲ କରିଛନ୍ତି। ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍‌ର ଶିଖରରେ ପହଁଚି ତ୍ରିରଙ୍ଗା ଉଡ଼ାଇବାରେ ସକ୍ଷମ ହୋଇଛନ୍ତି। ଏହି ଅଭିଯାନ ତାଙ୍କ ପାଇଁ ବେଶ୍‌ ଆହ୍ବାନଭରା ଥିବା ମଧୁସ୍ମିତା ପ୍ରକାଶ କରିଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି କରି ଗତ ୧୦ତାରିଖରେ ସେ ଦିଲ୍ଲୀରୁ ରୁଷିଆ ଅଭିମୁଖେ ଯାତ୍ରା କରିଥିଲେ। ୧୧ତାରିଖରେ ମାଉଣ୍ଟ ଏଲବ୍ରସ୍ ଅଭିମୁଖେ ବାହାରି ବେସ୍ କ୍ୟାମ୍ପରେ ପହଁଚିଥିଲେ। ସେଠାରେ ଦେଶ ବିଦେଶରୁ ପ୍ରାୟ ୧୫ଜଣ ପର୍ବତାରୋହୀ ଥିଲେ। ଉକ୍ତ ବେସ୍‌ କ୍ୟାମ୍ପରେ ଦିନବେଳା ତାପମାତ୍ରା ବିଯୁକ୍ତ ୧ ଡ୍ରିଗ୍ରି ଏବଂ ରାତିରେ ବିଯୁକ୍ତ ୫ରୁ ୬ ଡିଗ୍ରି ସେଲ୍‌ସିୟସ୍ ଥିଲା। ବେସ୍‌ କ୍ୟାମ୍ପରୁ ଆରମ୍ଭ କରି ପର୍ବତ ଶିଖର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବରଫଚାଦରରେ ଆଚ୍ଛାଦିତ ଥିଲା। ପରିବେଶ ଓ ସ୍ଥିତିକୁ ଅନୁଧ୍ୟାନ କରି ଗତ ୧୭ତାରିଖ ମଧ୍ୟରାତ୍ରୀରେ ସାଥୀ ପର୍ବତାରୋହୀ ଏବଂ ଗାଇଡ୍‌ଙ୍କ ସହ ମଧୁସ୍ମିତା ଏଲବ୍ରସ୍‌ ଅଭିଯାନ ଆରମ୍ଭ କରିଥିଲେ। ଚଢ଼ିବା ଆରମ୍ଭରୁ ହିଁ ତାଙ୍କୁ ଏକ ବରଫ ଝଡ଼ର ସାମ୍ନା କରିବାକୁ ପଡ଼ିଥିଲା। ଶିଖରରେ ପହଁଚିବାକୁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା। ଦିନ ୧୧ଟା ୦୫ରେ ଏଲବ୍ରସ୍‌ ଶିଖରରେ ମଧୁସ୍ମିତା ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଅଭିଯାନ ଶେଷ କରି ବୁଧବାର ସନ୍ଧ୍ୟାରେ ମଧୁସ୍ମିତା ଟ୍ରେନ୍‌ରେ ନିଜ ସହର ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଛନ୍ତି। ରେଳ ଷ୍ଟେସନ୍‌ଠାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଁଚି ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Advertisment

ମଧୁସ୍ମିତାଙ୍କ ଘର ବ୍ରହ୍ମପୁର ଗୋସାଇଁ ନୂଆଗାଁରେ ହୋଇଥିବା ବେଳେ ବାପା ପ୍ରେମାନନ୍ଦ ପାତ୍ର ଜଣେ ପୂର୍ବତନ ବାୟୁସେନା ଅଧିକାରୀ। ମଧୁସ୍ମିତା ଉଚ୍ଚଶିକ୍ଷା ଲାଭ କରି ଏବେ ଚେନ୍ନାଇ ସ୍ଥିତ ଟିସିଏସ୍‌ କମ୍ପାନିରେ କମ୍ପ୍ୟୁଟର୍‌ ଇଂଜିନିୟର୍ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ପର୍ବତାରୋହଣ ପ୍ରତି ତାଙ୍କର ବି‌ଶେଷ ଆଗ୍ରହ ଥିଲା। ତେଣୁ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ହିମାଳୟ ପର୍ବତାରୋହଣ ସଂସ୍ଥା ‘ଏଚ୍‌ଏମ୍‌ଆଇ ଶିକ୍ଷାନୁଷ୍ଠାନରୁ ସେ ୨୦୨୨ରେ ପ୍ରଶିକ୍ଷଣ ଲାଭ କରିଥିଲେ। ଗତ ଫେବ୍ରୁଆରିରେ ସେ ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲମାଞ୍ଜାରୋ ସଫଳାର ସହ ଆରୋହଣ କରିଥିଲେ। ଏହାପୂର୍ବରୁ ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଚଢ଼ିଥିଲେ। ଡିସେମ୍ବରରେ ସେ ଦକ୍ଷିଣ ଆମେରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଆକନ୍‌କାଗୁଆ ଆରୋହଣ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।