ଭୁବନେଶ୍ୱର : ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟକୁ ଆଇନ୍‌ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବ। ଆଇନଜୀବୀ କଲ୍ୟାଣ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି କରାଯିବ। ଆଇନଜୀବୀଙ୍କ ତାଲିମ୍‌ ଓ ଦକ୍ଷତା ବିକାଶ ପାଇଁ ଆଡ୍‌ଭୋକେଟ୍‌ ଏକାଡେମି ପ୍ରତିଷ୍ଠା ହେବ। ଆଇନ୍‌ ଶିକ୍ଷା ଓ ଆଇନଜୀବୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏପରି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

Advertisment

ବିଜେଡିର ଆଇନ୍‌ଜୀବୀ ସାମ୍ମୁଖ୍ୟର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଆଇନ୍‌ଜୀବୀ ସାମ୍ମୁଖ୍ୟର ସଭ୍ୟମାନେ ଆଇନ୍‌ ସଚେତନତା ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ। ତୃଣମୂଳ ସ୍ତରର ଲୋକମାନେ ଯେପରି ଆଇନ୍‌ ସେବା ପାଇପାରିବେ, ସେ ଦିଗ ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି। ଖୁବ୍‌ ଶୀଘ୍ର ପ୍ରତି ପଞ୍ଚାୟତରେ ମଧୁ ବାବୁ ଆଇନ୍‌ ସହାୟକ ନିଯୁକ୍ତ ହେବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।

ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କ ଦ୍ୱାରା ନୂଆ କୋର୍ଟ ପ୍ରତିଷ୍ଠା ଓ ଭିତ୍ତିଭୂମି ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ବହୁ ରାଜନୈତିକ ଲଢ଼େଇ କୋର୍ଟରେ ହେଉଥିବାରୁ ଆଇନ୍‌ଜୀବୀ ସାମ୍ମୁଖ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ଜେନା କହିଥିଲେ। ବିଧାୟକ ଦେବାଶିଷ ସାମନ୍ତରାୟ ବିଜେପୁର ଉପନିର୍ବାଚନରେ ବିପୁଳ ବିଜୟ ପଛରେ ଆଇନ୍‌ଜୀବୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍‌ବୋଧନ ଦେଇଥିଲେ।

ସାମ୍ମୁଖ୍ୟର ରାଜ୍ୟ ଉପଦେଷ୍ଟା ଅସିମ ଅମିତାଭ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆବାହକ ମିଲନ୍‌ କାନୁନ୍‌ଗୋ, ଜୋନାଲ୍‌ ଆବାହକ ଗୋପାଳ ପାଣିଗ୍ରାହୀ, ପ୍ରବୀର ପଟ୍ଟନାୟକ, ସୌମେନ୍ଦ୍ର ଘୋଷ, ବିଷ୍ଣୁ ପାତ୍ର, ନିରଞ୍ଜନ ପଣ୍ଡା, ସନ୍ତୋଷ ନାୟକ, ଅଶୋକ ମହାନ୍ତି, ଜିଲ୍ଲା ଆବାହକ ଗଗନ ଚନ୍ଦ୍ର ମେହେର, ପବନ କୁମାର ଶର୍ମା, ଭୀମସେନ ସାହୁ, ରାଜକିଶୋର ଖଟୁଆ, ବସନ୍ତ ମିଶ୍ର, ତାପସ ରାୟଚୌଧୁରୀ, ପ୍ରତାପ ପାତ୍ର, ଦିଲ୍ଲୀପ ମଲ୍ଲିକ, ସୁଷମା ସାହୁ, ବିଶ୍ୱେଶରୀ ମହାନ୍ତି, ଭିକାରୀ ମହାନ୍ତି, ଗୋପାଳ ଚନ୍ଦ୍ର ପାତ୍ର, ବାର୍‌ କାଉନ୍‌ସିଲ୍‌ର ଉପାଧ୍ୟକ୍ଷ ଦେବଦତ୍ତ ମିଶ୍ର ଓ ରାଉରକେଲା ବାର୍‌ ସଭାପତି ସତ୍ୟ ଶର୍ମା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଅଧିକ ବାର୍‌ ଆସୋସିଏସନ୍‌ର ଆଇନଜୀବୀ, ୮ଟି ଜୋନ୍‌ର ଜୋନାଲ୍‌ ଆବାହକ ଓ ଜିଲ୍ଲା ଆବାହକମାନେ ଯୋଗ ଦେଇଥିଲେ। ଏହି ଅବସରରେ କଂଗ୍ରେସ ଆଇନ ସେଲ୍‌ର ବିଜ୍ଞାନ ମହାପାତ୍ର ଓ ଦେବେନ୍ଦ୍ର ବେହେରା ବିଜେଡିରେ ଯୋଗ ଦେଇଥିଲେ। ରାଜ୍ୟ ସଂଯୋଜକ ଶୁଭ୍ରାଂଶୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।