ଶୈଳବାଳା, ମଧୁବାବୁଙ୍କୁ ପ୍ରତାରଣା!

ମଧୁସୂଦନ ଆଇନ ମହାବିଦ୍ୟାଳୟ କେବେ ହେବ ବିଶ୍ବବିଦ୍ୟାଳୟ?
ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ ଶୈଳବାଳା ପ୍ରତି ବି ଅବିଚାର
କଟକ ସହରର ନେତା, ଉଚ୍ଚଶିକ୍ଷା, ଆଇନ ମନ୍ତ୍ରୀ ଚୁପ୍‌ କାହିଁକି?

ଭୁବନେଶ୍ବର : ଏକଦା କଟକ ବିଧାୟକ ସମୀର ଦେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ। ନବୀନ ପଟ୍ଟନାୟକଙ୍କ ସରକାରରେ ଦେବୀ ପ୍ରସାଦ ମିଶ୍ର ବି ଏହି ବିଭାଗର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିନା କେତେ ନିଭାଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କଡ଼କୁ ଛିଡାହୋଇଥିବା ରମାଦେବୀ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଗଲା। ହେଲେ ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟ କଥା ଆସିଲାନି? ସେହି ଅଞ୍ଚଳର ଲୋକ ପ୍ରତିନିଧି ହୋଇବି ଏହି ନେତାମାନେ ନିରବ ରହିଲେ।

ମନ୍ତ୍ରୀ ଅରୁଣ ସାହୁ ନୟାଗଡ ଜିଲ୍ଲା ରାଜନୀତି ସହ ବହୁ ପଛରେ ଯୋଡି ‌ହୋଇଛନ୍ତି। କଟକର ବାଙ୍କୀ କଲେଜ ସହିତ ତାଙ୍କର ସଂପର୍କ ବେଶ୍ ନିବିଡ। କେଇ ମିନିଟ ମଧ୍ୟରେ ବିଧାନସଭାରେ ରାଜ୍ୟର ଘରୋଇ କଲେଜକୁ ବିଶ୍ବବିଦ୍ୟାଳୟ କରିବାର କ୍ଷମତା ରଖୁଥିବା ମନ୍ତ୍ରୀ ଶ୍ରୀ ସାହୁ କଟକର ସ୍ବାଭିମାନ ସହିତ ଯୋଡ଼ି ହୋଇଥିବା ଏହି କଲେଜକୁ ବିଶ୍ବବିଦ୍ୟାଳୟ କରିବା ଲାଗି କାହିଁକି ଚାହୁଁନାହାନ୍ତି? ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଲାଗି ଆନ୍ଦୋଳନ ଲୋଡା କି? ନା ଘରୋଇ କଲେଜ ଭଳି ସରକାରରେ ଫାଇଲ ଚଳାଇବା ଲାଗି ବହୁତ କରିତକର୍ମା ପ୍ରଭାବୀ ବ୍ୟକ୍ତିବିଶେଷଙ୍କର ଆବଶ୍ୟକତା ରହିଛି?

ଏଭଳି କିଛି ପ୍ରଶ୍ନ ଏବେ କେବଳ କଟକ ସହରର ନାଗରିକ ନୁହନ୍ତି, ଓଡ଼ିଶାର ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି। ଶିକ୍ଷା ବିଭାଗ ସଂସ୍କାର ଆଳରେ ସରକାର ଫି’ ଦିନ ନୂଆ ନୂଆ କଥା କରିବାକୁ ଯୋଜନା ଚଳାଇଥିବା ବେଳେ ଓଡ଼ିଶାର ସ୍ବାଭିମାନ ସହିତ ଯୋଡ଼ି ହୋଇଥିବା ଅନୁଷ୍ଠାନ ପ୍ରତି ଖେଳୁଆଡ ମନୋଭାବ ପୋଷଣ କରିବା ଘଟଣାକୁ କେହି ହଜମ କରିବା ସ୍ଥିତିରେ ନାହାନ୍ତି।

କେବଳ ଏହି ଗୋଟିଏ କ୍ଷେତ୍ରରେ ଯେ ସରକାରୀ ଉଦାସୀନ ତା ନୁହେଁ, ବର୍ତମାନର ଆଇନମନ୍ତ୍ରୀ ପ୍ରତାପ ଜେନା କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ପାସ୍ କରିଛନ୍ତି। ବିଧାନସଭାରେ ଅନେକ ବିଧାୟକ ଆଜି ଦିନରେ ଅଛନ୍ତି, ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତାରେ ଥିବା ଆଇନ ଡିଗ୍ରି ସହିତ ଏହି ମହାବିଦ୍ୟାଳୟ ଯୋଡି ହୋଇରହିଛି। ହେଲେ ରାଜ୍ୟର ଏହି ପ୍ରଥମ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଲାଗି ନା ବିଧାନସଭାରେ ଥରୁଟିଏ ଦାବି କରୁଛନ୍ତି ନା ସରକାର ନିଜ ଆଡୁ ଏ ଦିଗରେ ଉଦ୍ୟମ କରୁଛନ୍ତି।

ଯେଉଁ ପ୍ରତିଷ୍ଠାନଟି ଓଡ଼ିଶାର ଆଇନ ସେବା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଛି, ହଜାର ହଜାର ଯୁବକଙ୍କ ରୋଜଗାରର ବାଟ ଖୋଲିଛି, କୋଟି କୋଟି ଓଡ଼ିଆଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ, ସେ ସଂପର୍କରେ ସରକାରଙ୍କର ହେୟ ମନୋଭାବକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ‘ସମ୍ବାଦ’ ରେ କଟକର ବୁଦ୍ଧିଜୀବୀ ନିଜର ଅସନ୍ତୋଷ ଜାହିର କରିବା ପରେ ବି ସରକାର ଚେତୁନାହାନ୍ତି କି କଥା କଥାକେ କଟକ ଜିଲ୍ଲାର ସ୍ବାଭିମାନ କଥା କହୁଥିବା କଟକର ବିଧାୟକମାନଙ୍କ ତୁଣ୍ଡ ଫିଟୁନାହିଁ।

କଲେଜ ଛକ ଷ୍ଟେସନ ରୋଡରେ ଥିବା ମଧୁସୂଦନ ଲ’ କଲେଜ ୧୯୪୩ ମସିହାରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ୧୮୬୯ ମସିହାରୁ ଏହି କଲେଜ ସହିତ ଓଡ଼ିଶାର ସମୃଦ୍ଧ ଇତିହାସ ଯୋଡି େହାଇ ରହିଛି। ପ୍ରଥମେ ରେଭେନ୍ସା କଲିଜିଏଟ୍ ବିଦ୍ୟାଳୟରେ ଲ’ରେ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭରୁ ଏହି ଅନୁଷ୍ଠାନର ମୂଳଦୁଆ ପଡିଥିଲା। କିଛି ବର୍ଷ ରେଭେନ୍ସା କଲେଜ ପରିସରରେ ଏହା ଚାଲିଲା। କିନ୍ତୁ ୧୯୪୩ ମସିହାରୁ ବର୍ତମାନର ରୂପରେଖରେ ଛିଡା ହୋଇଛି।

ବିଜୁ ବାବୁଙ୍କ ନାମରେ ବିଜୁ ଜନତା ଦଳ ଗଠନ େହାଇଥିବା କାରଣରୁ ସରକାର ଏକାଧିକ ଯୋଜନା, କାର୍ଯ୍ୟକ୍ରମ କରିବା ଲାଗି ଆଗ୍ରହ ଦେଖାଇବେ। ଓଡ଼ିଶାର ସ୍ବାଭିମାନ, ଅସ୍ମିତାର ପ୍ରତୀକ ମଧୁବାବୁଙ୍କ ନାମରେ ଗୋଟିଏ ଲ’ କଲେଜ ରହିଛି, ତାହାକୁ ବିଶ୍ବବିଦ୍ୟାଳୟ କରିବା ଲାଗି ଆଗ୍ରହ ନ ଦେଖାଇବା ପଛର କାରଣ ହୋଇପାରେ? ମଧୁବାବୁଙ୍କ ନାମରେ ପେନସନ୍ େଯାଜନା କରି ଅଟକି ଯାଇଥିବା ରାଜ୍ୟ ସରକାର ତାଙ୍କ ନାମରେ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟଟିଏ ଗଢିତୋଳିବା ଲାଗି ଆଗ୍ରହ ଦେଖାଇବେନି?

ଆହୁରି ଦୁର୍ଭାଗ୍ୟର ବିଷୟ ହେଉଛି, ୧୯୧୩ ମସିହାରୁ ଆରମ୍ଭ େହାଇଥିବା ଶୈଳବାଳା ମହିଳା ମହାବିଦ୍ୟାଳୟ ପ୍ରତି ସରକାରଙ୍କ ଉଦାସୀନତା ସୀମା ଲଂଘିଛି। ଏହି ଅନୁଷ୍ଠାନ ଚୌଧୁରୀ ବଜାରରୁ ୧୯୧୭ ମସିହାରେ ଉଠିଯାଇଥିଲା। ୧୯୪୬ ମସିହାରେ ପ୍ରଥମ ମହିଳା ଡିଗ୍ରି କଲେଜର ସ୍ମୃତି ବହନ କରୁଥିବା ଏହି ପ୍ରତିଷ୍ଠାନ ୧୯୫୨ ମସିହାରୁ ବର୍ତମାନ ଦେଖୁଥିବା ରୂପରେ ଛିଡା ହୋଇଛି। ସାରା ଓଡ଼ିଶା ବୁଲି ବୁଲି ଉଚ୍ଚଶିକ୍ଷାରେ ନୀତି ଆଦର୍ଶର ପ୍ରବଚନ ଶୁଣାଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି କଲେଜର ଭିତ୍ତିଭୂମି ଅନୁଧ୍ୟାନ କଲେଣି?

ନା ସେବେ ସମୀର ଦେ ଏସବୁ ଅନୁଷ୍ଠାନ ପ୍ରତି ନ୍ୟାୟ କରିଛନ୍ତି କି କଟକର ଉପକଣ୍ଠ ବଡ଼ମ୍ବା ଆସନରୁ ବାରମ୍ବାର ଜିତି ନିଜକୁ ପ୍ରତିଷ୍ଠିତ ରାଜନେତା ଭାବେ ଦାବି କରୁଥିବା ଦେବୀ ପ୍ରସାଦ ମିଶ୍ର ଏସବୁ ପ୍ରତିଷ୍ଠାନକୁ ସମ୍ମାନ ଦେଇଛନ୍ତି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଜୁ ପଟ୍ଟନାୟକ ସରକାରରେ ଦ୍ବିତୀୟ ବାର ମନ୍ତ୍ରୀ େହାଇଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ଏକାଧିକ ବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚନ୍ଦ୍ର ସାରଥୀ ବେହେରାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରାଙ୍କ ପର୍ଯ୍ୟନ୍ତ ତୁଙ୍ଗ ରାଜନେତା କଟକ ସହରକୁ ପ୍ରତିନିଧିତ୍ବ କରୁଥିବା ସତ୍ତ୍ବେ ଏହି ଦୁଇଟି ପ୍ରତିଷ୍ଠାନ ପ୍ରତି ଉଦାସୀନତା ସମସ୍ତଙ୍କୁ ଆଚମ୍ବିତ କରୁଛି।

ଆହୁରି ବିସ୍ମୟର କଥା ହେଲା, ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ କଟକ ଯାଇ ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ନକ୍ସା ତିଆରି କରିଛନ୍ତି। କଟକକୁ ଭିଡ଼ ମୁକ୍ତ ସହର ଭାବେ ଗଢିତୋଳିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ଯୋଜନା ପ୍ରସ୍ତୁତ ହେଉଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ େମଡିକାଲ କଲେଜକୁ ବିଶ୍ବସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବା ଲାଗି ରାତି ଅଧରୁ ଶ୍ରୀ ପାଣ୍ଡିଆନ୍ ତନାଘନା କରୁଛନ୍ତି। ପଦ୍ମ ପୁରସ୍କାର ପାଇଥିବା ତଥା ଅନ୍ତର୍ଜାତିକ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ବଙ୍କୁ ନେଇ ପରାମର୍ଶଦାତା ମଣ୍ଡଳୀ ଗଠନ କରିଛନ୍ତି, ଯାହାକୁ ପାଇଁ ବିଭିନ୍ନ ମହଲରେ ସରକାରଙ୍କୁ ସାଧୁବାଦ ମିଳିଛି। ହେଲେ ଭାରତର ବହୁ ପ୍ରତିଷ୍ଠିତ ଓ ନାମକରା ଆଇନଜୀବୀଙ୍କୁ ଜନ୍ମ ଦେଇଥିବା ତଥା ମଧୁବାବୁଙ୍କ ନାମରେ ଗଢା େହାଇଥିବା ଆଇନ ମହାବିଦ୍ୟାଳୟକୁ ସାରା ଭାରତବର୍ଷରେ ପରିଚିତ କରିବା ଲାଗି କାହିଁକି ୫ଟି ସଚିବ ଆଗ୍ରହ ଦେଖାଉନାହାନ୍ତି? ମହିଳା ଭୋଟ ବ୍ୟାଙ୍କକୁ ଆୟୁଧ କରି ତଥା ସେମାନଙ୍କ ନାମରେ ବାରମ୍ବାର ଶାସନ କ୍ଷମତାକୁ ଆସୁଥିବା ବିଜେଡି ସରକାର ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟକୁ ଏଭଳି ଛୋଟ ଆଖିରେ ଦେଖିବା ପଛର କାରଣ କଣ େହାଇପାରେ?

ହଜାରେ ବର୍ଷର ସହର କଟକର ମାଟି ଉପରେ ଛିଡା େହାଇଥିବା ଦୁଇ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପ୍ରତି ସାଂଘାତିକ ଅବହେଳାର କେବେ ଅନ୍ତ ଘଟିବ? ତାହା ଉପରେ ଏବେ ଓଡ଼ିଶାବାସୀଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର